ଯାଜପୁରଟାଉନ/ସଦର: ବାଲେଶ୍ବରର ବାହାନଗା ଏବଂ ଯାଜପୁରରୋଡ ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପାଇଁ ବିଜେପି ପକ୍ଷରୁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ତିଳ ତର୍ପଣ କରାଯାଇଛି। ବିଜେପି ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ସିଂହ ତୋମାର କାର୍ଯ୍ୟକ୍ରମରେ ସାମିଲ ହୋଇ ମୃତକଙ୍କୁ ତିଳ ତର୍ପଣ କରିଥିଲେ। ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମୋଦୀ ସରକାରଙ୍କ ସୁଶାସନ ସମ୍ପର୍କରେ ଅବଗତ କରାଇଥିଲେ। କେନ୍ଦ୍ର ସରକାର ଯାଜପୁର ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଶ୍ରୀ ତୋମାର କହିଥିଲେ।
ଅନ୍ୟପକ୍ଷରେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ। କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି ବୋଲି ସୂଚନା ଦେଇଥିଲେ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିବା ବେଳେ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ତୋମାର କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜ୍ପେୟୀ, ବିଜେପି ନେତ୍ରୀ ବବିତା ମଲ୍ଲିକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ୍ତ ପଣ୍ଡା, ରବିନାରାୟଣ ବେହେରା, ଦଶରଥପୁର ବ୍ଲକ୍ର ପ୍ରାକ୍ତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ, ମୃତ୍ୟୁଞ୍ଜୟ ମିଶ୍ର, ମନ୍ମଥ ବରାଳ, ଜିତାମିତ୍ର ଦାସ, ବରୀର ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/10-6.jpg)