ବନ୍ତ ବିଡ଼ିଓଙ୍କ ନିଲମ୍ବନ ଓ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତିରା ପଞ୍ଚାୟତ ଅନ୍ତର୍ଗତ ଶିଆଳିଆ ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁବାର ଦିନ ବନ୍ତ ବିଡିଓ ପ୍ରଦୀପ ସେଠୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ବାରିକଙ୍କୁ ମାଡ଼ ମାରିବା ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯିବା ସହ ବିଡ଼ିଓଙ୍କୁ ନିଲମ୍ବନ ସହ ଘଟଣାର ନିରପେକ୍ଷ ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଶୁକ୍ରବାର ଅପରାହ୍ନରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ଅଧୋଗତି ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ସ୍ବେଚ୍ଛାଚାରୀ ହୋଇଯିବା ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିପଦଜନକ ବୋଲି କୁହାଯାଇଛି। ଦଳର ଭଣ୍ଡାରିପୋଖରୀ ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ରଙ୍କ ସଞ୍ଚାଳନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ବ୍ଲକର ପ୍ରଶାସନିକ ମୁଖ୍ୟ ସର୍ବସାଧାରଣ ସ୍ଥାନରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ବିଦ୍ୟାଳୟର ପରିଚାଳନା କମିଟିର ସଭାପତିଙ୍କୁ ମାଡ଼ ମାରିବା ଘଟଣା ସରକାରଙ୍କର ପ୍ରଶାସନିକ ଅଧିକାରୀଙ୍କ ଉପରେ ନିୟନ୍ତ୍ରଣ ନଥିବା ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଆରୋପ କରିଥିଲେ। ବିଜେପି ଦଳର ବରିଷ୍ଠ ନେତା ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଅରାଜକତା ଓ ବ୍ୟାପକ ଦୁର୍ନୀତି ହେଉଥିବା ଉଲ୍ଲେଖ କରି ବାଲି ଚୋରା ଚାଲାଣ ଓ ବିଭିନ୍ନ କାର୍ଯ୍ୟରେ ପିସି କାରବାରରେ ସରକାରୀ ଅଧିକାରୀ, ସ୍ଥାନୀୟ ବିଧାୟକ ଓ ତାଙ୍କ ଦୁଇ ପୁଅଙ୍କ ସାହାଯ୍ୟରେ ସୀମା ଲଂଘନ କରିଛି ବୋଲି ଅଭିଯୋଗ କରି ଲୋକଙ୍କ ସ୍ଵାର୍ଥ ଓ ସେବା ପ୍ରତି ଆଖିବୁଜି ଦେଇ ‘୫ ଟି’ ଯୋଜନାରେ ବିଦ୍ୟାଳୟରେ ରଙ୍ଗ ବଦଳାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଥିବା କହିଥିଲେ।

ଲୋକଙ୍କୁ ସେବା ପ୍ରଦାନ ପରିବେତ୍ତର୍ ବନ୍ତ ବିଡିଓଙ୍କ ଏପରି କାର୍ଯ୍ୟ ନିନ୍ଦନୀୟ। ଆଜି ଦଳର ନେତାମାନେ ବନ୍ତ ବିଡ଼ିଓଙ୍କ ବିରୋଧରେ ଭଦ୍ରକ ଜିଲାପାଳ ଓ ପୁଲିସ ଉଚ୍ଚ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି ବୋଲି ଶ୍ରୀଯୁକ୍ତ ଧଳ ସୂଚନା ଦେଇଥିଲେ। ସାଧାରଣ ଲୋକଙ୍କ ସୁରକ୍ଷା ଓ ସ୍ଵାର୍ଥ ରକ୍ଷା କରିବାକୁ ବିଜେପି ସର୍ବଦା ତତ୍ପର ଥିବାରୁ ବିଡିଓଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମ୍ମିଳନୀରେ ଦାବି କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ବନ୍ତ ମଣ୍ଡଳ ସଭାପତି ଖଗେଶ୍ଵର ବେହେରା, ସାଧାରଣ ସମ୍ପାଦକ କିଶୋରୀ କିଙ୍କର ପଢ଼ିଆରି, ବରଡେଶ୍ଵର ମଣ୍ଡଳ ସଭାପତି ନବକିଶୋର ବଳ, ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଆଜି ଜିଲ୍ଲାପାଳ ଓ ଏସ ପିଙ୍କୁ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ, ଡ଼ଃ. ପ୍ରଦୀପ ନାୟକ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ପ୍ରମୁଖ ଭେଟି ସଂପୃକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର