ବିଜେପି ପକ୍ଷରୁ କରୋନା କଟକଣା ମଧ୍ୟରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଆୟୋଜନ ଦାବୀ

ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡ଼ି ଉପରେ ବର୍ଷିଲା ବିଜେପି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ପବିତ୍ର ଶ୍ରୀଗୁଣ୍ଡଚା ଯାତ୍ରା ମୟୂରଭଞ୍ଜ ମାଟିର ପରମ୍ପରା ଓ ଐତିହ୍ୟ। ନୀଳାଚଳ ଧାମ ପୁରୀ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଘୋଷଯାତ୍ରା ବିଶ୍ୱ ବିଖ୍ୟାତ। ମହିଳାମାନଙ୍କ ଦ୍ୱାରା ଦେବୀ ସୁଭଦ୍ରାଙ୍କ ରଥ ଟଣା ଅନ୍ୟ କେଉଁଠାରେ ପରିଲକ୍ଷିତ ହୋଇନଥାଏ। ମହାପ୍ରଭୂ ମୟୂରଭଞ୍ଜ ମହାରାଜାଙ୍କୁ ହୋଇଥିବା ସ୍ୱପ୍ନାଦେଶ ଅନୁସାରେ ପ୍ରତ୍ୟେକ ଦିନ କିଛି ସମୟ ବାରିପଦା ମନ୍ଦିରକୁ ବିଜେ କରିଥାନ୍ତି ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ପରବର୍ତ୍ତି ଦିବସରେ ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଏଥି ସହିତ ଏହା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଜନବିଦିତ ହେବ ବୋଲି ମହାରାଜାଙ୍କୁ ସ୍ୱପ୍ନାଦେଶ ଦେଇଥିଲେ। ଏଣୁ ମନ୍ଦିର ନିର୍ମାଣ ହେବା ପରଠାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପୁରୀ ଶ୍ରୀଗୁଣ୍ଡିଚା ଯାତ୍ରାର ପରବର୍ତ୍ତି ଦିନରେ ଅନୁଷ୍ଠିତ ହୋଇଆସୁଛି।

ସେହିପରି ମହାପ୍ରଭୂଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ପାର୍ବଣୀ ଆଦି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ପାଳିତ ହୋଇଆସୁଥିବା ସମୟରେ ବାରିପଦା ବିଶ୍ୱ ବିଖ୍ୟାତ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ବନ୍‌ଦ କରିଦିଆଯିବା ନିଷ୍ପତ୍ତିକୁ ବିଜେପି ପକ୍ଷରୁ ଦୃଢ଼ ଭାବେ ନିନ୍ଦା କରାଯିବା ଏହା ଜିଲ୍ଲାବାସୀଙ୍କୁ ଦାରୁଣ ଆଘାତ ପହଞ୍ଚାଇଛି। ଏଣୁ ଜନସାଧାରଣ ଓ ଭକ୍ତ ମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କରୋନା କଟକଣା ମଧ୍ୟରେ ଦ୍ୱିତୀୟ ଡୋଜ ଟୀକା ନେଇଥିବା ସେବାୟତ, ଆରକ୍ଷୀ ବାହିନୀର କର୍ମଚାରୀ ଅଥବା ଭକ୍ତମାନଙ୍କୁ ନେଇ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆୟୋଜନ କରାଯିବା ନିମନ୍ତେ ବିଜେପି ପକ୍ଷରୁ ଆଜି ସ୍ୱସ୍ତିକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିବା ସହ ଜିଲ୍ଲାପାଳଙ୍କୁ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରନିଧି ମଣ୍ଡଳୀ ସାକ୍ଷାତ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଥିଲେ। ସେହିପରି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ୩ଟି ପ୍ରସଙ୍ଗକୁ ନେଇ ବିଜେଡ଼ି ଉପରେ ବର୍ଷିଥିଲେ ବିଜେପିର ଦଳୀୟ ନେତୃମଣ୍ଡଳୀ ।

ଜିଲ୍ଲାର ବିକାଶ କ୍ଷେତ୍ରରେ ଅର୍ଥ ମଞ୍ଜୁର କରାଉଥିବା କହି ବିଜେଡି ନେତାମାନେ ବହାବାହା ନେବାକୁ ବିଜେପି ସମାଲୋଚନା କରିଛି। ସେହିପରି କେନ୍ଦ୍ର ସରକାର ଓଡ଼ିଶାକୁ ୮୦ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଇଛନ୍ତି। ଗତ ୟାସ ବାତ୍ୟାରେ କ୍ଷତିଗ୍ରସ୍ତ ମାନଙ୍କୁ ଏବଂ ଏସଇସିସି ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଗୃହ ଯୋଗାଇ ଦେବା ସାଙ୍ଗକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ବାସଗୃହରେ ଲଗାଯାଉଥିବା ବିଜୁ ପକ୍କାଗୃହ ଲୋଗୋକୁ ବନ୍ଦ କରାଯିବା ନିମନ୍ତେ ବିଜେପି ଦାବୀ କରିଛି। ପୁଣି ବାରିପଦା ବାଙ୍କିଶୋଳ କୋଭିଡ଼ ହସ୍ପିଟାଲ ପରିସରରେ ୧୪୪ ଧାରା ଜାରି କରାଯିବା ସହ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି।

ଏହା ଭିତରକୁ କେବଳ ଜନପ୍ରତିନିଧି ମାନଙ୍କ ବ୍ୟତୀତ ବାହାରୁ ରୋଗୀମାନଙ୍କ ଆଟେଣ୍ଡେଣ୍ଟ ମାନଙ୍କୁ ପ୍ରବେଶ ନିମନ୍ତେ ଅନୁମତି ମିଳି ପାରୁନଥିବା ସ୍ଥଳେ ବିଜେଡିର ଦଳୀୟ କାର୍ଯ୍ୟ କର୍ତ୍ତାମାନେ ଭିତରକୁ ପ୍ରବେଶ କରିବା ଏବଂ ହସ୍ପିଟାଏ ପରିସରରେ ବିଜେଡ଼ିର ଦଳୀୟ ହେଲ୍ପ ଡେସ୍କ ଖୋଲିବା, ହେଲ୍ପ ଡେସ୍କ ନାମରେ ଆସୁଥିବା ଅର୍ଥ କୁଆଡ଼େ ଯାଉଛି, କେତେ ଟଙ୍କା ଆସିଛି ତାହାକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇ ବିଜେଡ଼ି ଓ ସରକାରଙ୍କ ଉପରେ ବର୍ଷିଥିଲେ ବିଜେପିର ବିଧାୟକ ଓ ଦଳୀୟ ନେତୃମଣ୍ଡଳୀ।

ଶେଷରେ କରୋନା ରୋଗୀମାନଙ୍କର ଚିକିତ୍ସା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ପ୍ରଧାନମନ୍ତ୍ରୀ ମୋଦୀ ଭୂବନେଶ୍ୱର ଏମ୍ସକୁ ୨ଟି ଇସିଏମଓ ମେସିନ ଯୋଗାଇ ଦେଇଥିବାରୁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମୟୂରଭଞ୍ଜ ପୂର୍ବ ସଙ୍ଗଠନ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ ସ୍ଥାୟୀ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ପ୍ରଦୀପ ମହାନ୍ତି, କବି ବିଷ୍ଣୁ ଶତପଥୀ, ବିଜୟ ଦାସ, ପ୍ରବୀନ ପାତ୍ର, ସୁଗଦା ମୁର୍ମୁ, ସଞ୍ଜୀବ ମହାନ୍ତି ଓ ଲକ୍ଷ୍ମଣ ତ୍ରିପାଠୀ ପ୍ରମୁଖଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର