ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳବଦଳ କାର୍ଯ୍ୟକ୍ରମ ଜାରି ରହିଛି। ଏହାରି ଭିତରେ ଜିଲ୍ଲା ବିଜେପିକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ପୂର୍ବରୁ ତ୍ରିନାଥ ଗୁଆଲ ବିଜେଡିରେ ମିଶିଥିବା ବେଳେ ଆଜି ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ବି ବିଜେଡିରେ ସାମିଲ ହୋଇଛନ୍ତି।

Advertisment

ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମଙ୍ଗଳ ସାହୁ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି। ଟଙ୍କଧରଙ୍କୁ ବିଜେପି ପ୍ରାର୍ଥୀ କରିବା ପରଠାରୁ ଜିଲ୍ଲା ସଭାପତି ସାହୁ ଅସନ୍ତୁଷ୍ଟ ରହିଥିଲେ। ତେବେ ଦଳ ପରିବର୍ତ୍ତନ ସମ୍ପର୍କରେ  ଏଯାବତ୍‌ ମଙ୍ଗଳ ସାହୁଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍‌ଗ୍ରହଣକୁ ଆଉ ମାତ୍ର ଅଳ୍ପ କେଇ ଦିନ ବାକି ରହିଲା। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର ବି ଜୋର୍‌ସୋରରେ ଚାଲିଛି। ଏହାରି ମଧ୍ୟରେ ବିଜେପି ଜିଲ୍ଲା ସଭାପତିଙ୍କ ଦଳ ଡିଆଁ ନୀତି ଦଳକୁ ଶକ୍ତ ଅଘାତ ଦେଇଛି।

ବିଧାନସଭା ଓ ପୌର ନିର୍ବାଚନ ଭୋଟ୍‌କୁ ଅନୁଶୀଳନ କରିବା ସହ ବିଜେଡ଼ି, ବିଜେପି ଓ କଂଗ୍ରେସ ୩ ଦଳ ସହରୀ ଭୋଟର୍‌ଙ୍କ ଉପରେ ବିଶେଷ ଆସ୍ଥା ପ୍ରକଟ କରିଛନ୍ତି। ପୌରାଞ୍ଚଳର ଅନେକ ୱାର୍ଡରେ ବିଜେଡି ପ୍ରାର୍ଥୀ ବିରୋଧୀ ହାୱା ପ୍ରବାହ ଆରମ୍ଭ ହୋଇଥିବା ବେଳେ ମଙ୍ଗଳ ସାହୁଙ୍କ ଦଳରେ ମିଶିବା ଏକ ସକାରାତ୍ମକ ଦିଗକୁ ସୂଚାଉଛି।