ବିଜେପି ପକ୍ଷରୁ ଧାନ କ୍ରୟ କରିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ, ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ଆଜି ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଵାଇ. ବିଜୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୧୬ ତାରିଖରେ ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଚାଷୀଙ୍କର ଧାନ ଖରିଦ କରିବା ନେଇ ଆଲୋଚନା କରିଥିଲେ। କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି ପୁଣି ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ସୋମବାର ଶେଷ ଦିନ ଧାର୍ଯ୍ୟ  କରିଛନ୍ତି।ସୋମବାର ଠାରୁ ଯଦି ଧାନ ଖରିଦ କରା ନଯିବ ତେବେ ଆସନ୍ତା ମଙ୍ଗଳବାର ଦିନ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି। ଜିଲ୍ଲାର ୬୫ଟି ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡି ରହିଛି।

ତେବେ ଚାଷୀ ମଣ୍ଡିରେ ଧାନ ଗଦା କରି ଶୀତ କାକରରେ ଦିନ ରାତି ଜଗି ରହିଛି। କୌଣସି ମୁହର୍ତ୍ତିରେ କିଛି ବି ଘଟିଗଲେ ଚାଷୀ ବର୍ଷକର ପରିଶ୍ରମ ବୃଥା ହେବ ବୋଲି କୁହାଯାଇଛି। ତେବେ ଚାଷୀଙ୍କର ଧାନକୁ ତୁରନ୍ତ ଉଠାଇବା ନେଇ ବିଜେପି ଦାବି କରିଛି। ପୁଣି ବିଜେପିର ପ୍ରତିନିଧି ଦଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି। ତେବେ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କୁ ପଚରାଯିବାରୁ ସେ ସୋମବାର ଠାରୁ ଯେଉଁମାନେ ଆଦୌ ଧାନ ବିକ୍ରି କରିନାହାନ୍ତି ସେମାନଙ୍କ ଠାରୁ ଖରିଦ ଆରମ୍ଭ କରାଯିବ ବୋଲି କହିଥିଲେ। ପରେ ଟାର୍ଗେଟ ଆସିଲେ ପୁଣି ଧାନ ଖରିଦ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର