ମଣ୍ଡିରେ ଧାନ ବିକି ପାରୁନି ଚାଷୀ, ଦେଉଳି ଲ୍ୟାମ୍ପ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ବାରିପଦା: ମଣ୍ଡିରେ ଧାନ ବିକିପାରୁନି ଚାଷୀ। ଟୋକନ ପାଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏହାକୁ ବାତିଲ କରାଯାଉଛି। ଏପରି ଏକାଧିକ ଅଭିଯୋଗ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଦେଉଳି ଲ୍ୟାମ୍ପ୍ସ ଘେରାଉ କରାଯାଇଛି । ଫେବ୍ରୁଆରି ୧୯ରୁ ୨୦ ମଧ୍ୟରେ ଦେଉଳି ଲ୍ୟାମ୍ପ ଧାନ ମଣ୍ଡିରେ ୮୦ ଜଣ ଚାଷୀମାନଙ୍କୁ ୨୩ଶହ କୁଇଣ୍ଟାଲ୍‌ ଧାନ ଦେବା ନିମନ୍ତେ ଟୋକନ ଦିଆଯାଇଥିଲା । ଏହି ସମୟରେ ଜିଲ୍ଲା ଖାଦ୍ୟ ଓ ଯୋଗାଣ ଅଧିକାରୀ ୧୦ ଜଣ ଟୋକନଧାରୀଙ୍କ ପାଇଁ ୪୦୦ କୁଇଣ୍ଟାଲ୍‌ ଧାନର ଏଲଟମେଣ୍ଟ୍‌ ଦେଇଥିଲେ । ଫଳରେ ୭୦ ଜଣ ଚାଷୀଙ୍କ ଟୋକନ ବାତିଲ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଚାଷୀମାନେ ଗତ କାଲି ଲ୍ୟାମ୍ପ୍ସ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ ।

ଏନେଇ ମୟୂରଭଞ୍ଜ ପୂର୍ବ ସଂଗଠନ ବିଜେପିର ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ସିଏସଓଙ୍କ ସହିତ ଯୋଗାଯୋଗ କରିବାରୁ ଏଲଟମେଣ୍ଟ୍‌ ବଢ଼ାଇ ଦେବାର ପ୍ରତିଶ୍ରୁତି ଦେଇ ଜାଣିଶୁଣି ଦେଉଳି ଲ୍ୟାମ୍ପର ଚାଷୀଙ୍କ ଏଲଟମେଣ୍ଟ୍‌ ରାତି ୯ରେ ବୃଦ୍ଧି କରିଥିଲେ । ଏ ସମସ୍ତ ପ୍ରକ୍ରିୟା ଶାସକ ଦଳ ବିଜେଡି ସହ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ମିଲରମାନଙ୍କ ମଧ୍ୟରେ ରହିଥିବା ଅସାଧୁ ମଧୁଚନ୍ଦ୍ରିକାକୁ ସ୍ପଷ୍ଟ ପ୍ରମାଣିତ କରୁଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ମଣ୍ଡିରେ ଧାନ ନକିଣି କମ୍ ମୂଲ୍ୟରେ ଦଲାଲଙ୍କ ଦ୍ୱାରା ଚାଷୀଙ୍କ ନିକଟରୁ ସେହି ଧାନ କିଣି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଟଙ୍କାକୁ ବାଟମରଣା କରି ନିର୍ବାଚନରେ ଭୋଟ କିଣୁ ଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେପି ନେତା ଶ୍ରୀ ମହାପାତ୍ର ।

କେନ୍ଦ୍ର ସରକାର ଧାନର ଏମଏସପି ମୂଲ୍ୟ ୧୮୬୮ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିନାପାରିବାରୁ ଦଲାଲଙ୍କୁ ୧୨ ଶହରୁ ୧୩ ଶହ ଟଙ୍କା କୁଇଣ୍ଟାଲ୍‌ ପିଚା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ବିଭିନ୍ନ ଦାବିରେ ଆଜି ବିଜେପି ପକ୍ଷରୁ ଦେଉଳି ଲ୍ୟାମ୍ପ୍ସକୁ ଘେରାଉ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୀଣ କୁମାର ପାତ୍ର, ମିଡିଆ ସଂଯୋଜକ ଦୀନେଶ ଦାସ, ତପନ ହାବଡ଼ା, ମନୋରଞ୍ଜନ ଦତ୍ତ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବଳରାମ ସାହୁ, ଦେଉଳି ମଣ୍ଡଳ ସଭାପତି ଦିଲ୍ଲୀପ ଦାସ ପ୍ରମୁଖଙ୍କ ସମେତ ବିଜେପିର ଶତାଧିକ କର୍ମକର୍ତ୍ତା, ଚାଷୀ ଯୋଗ ଦେଇଥିଲେ । ବିଜେପିର ଏହି ଦାବିଗୁଡ଼ିକ ସମ୍ପର୍କରେ ବିଭାଗ ପୂରଣ ନକଲେ ଆଗାମୀ ଦିନରେ ଜିଲ୍ଲା ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର