ଆର୍‌ଡିସିଙ୍କ ସହ ଆଲୋଚନା ପରେ ବିଜେପିର ଆନ୍ଦୋଳନ ସ୍ଥଗିତ, ଧାନ ଉଠାଇବାକୁ ୭୨ ଘଣ୍ଟା ମହଲତ

ଟାଉନ୍‌ ଥାନାରେ ପୁଲିସ୍‌-କର୍ମୀ ଠେଲାପେଲା, ରାତି ସାରା ଥାନାରେ ବସିଲେ ନେତା

ସମ୍ବଲପୁର : ଶୁକ୍ରବାର ସଂଧ୍ୟାରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି) ନିରଂଜନ ସାହୁଙ୍କ ସହ ଆଲୋଚନା ପରେ ବିଜେପି ପକ୍ଷରୁ ୨ ଦିନ ଧରି ଚାଲିଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନରେ ସାମୟିକ ବିରତି ଲାଗିଛି। ଆର୍‌ଡିସି ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ବିଜେପି ପକ୍ଷରୁ ୭୨ ଘଣ୍ଟା ସମୟ ଦିଆଯାଇଛି। ଯଦି ୭୨ ଘଣ୍ଟା ମଧ୍ୟରେ ପ୍ରତିଶ୍ରୁତି ପାଳନ ନହୁଏ ତା’ହେଲେ ପୁଣି ପଶ୍ଚିମ ଓଡ଼ିଶାସ୍ତରୀୟ ବୈଠକ କରି ପରବର୍ତ୍ତୀ ଆନ୍ଦୋଳନର ରୂପ‌େରଖ ସ୍ଥିର କରାଯିବ ବୋଲି ବିଜେପି ନେତା ମାନେ ସୂଚନା ଦେଇଛନ୍ତି। ଗୁରୁବାର ଆୟୋଜିତ ବିଶାଳ କୃଷକ ଅଧିକାର ସମାବେଶ ଓ ଶୋଭାଯାତ୍ରାରୁ ଆରମ୍ଭ ହୋଇଥିବା ଛକାପଞ୍ଝା ଶୁକ୍ରବାର ବି ଜାରି ରହିଥିଲା। ଗୁରୁବାର ଆର୍‌ଡିସି ଅଫିସ୍‌ ଘେରାଉ ଉଦ୍ୟମ ବେଳେ ପୁଲିସ୍‌ ଗିରଫ୍ କରିଥିବା ବିଜେପି ନେତାଙ୍କୁ ସଂଧ୍ୟାରେ ଟାଉନ୍‌ ଥାନାରୁ ଛାଡ଼ି ଦେଇଥିଲା। କିନ୍ତୁ ସେମାନେ ଥାନାରୁ ଯାଇ ନଥିଲେ। ଆର୍‌ଡିସି ଆସି ଆଲୋଚନା ନ କରିବା ପର୍ଯ୍ୟନ୍ତ ଥାନାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବି‌ଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କନକ ବର୍ଧନ ସିଂହଦେଓ, ସମାବେଶର ଆବାହକ ଜୟ ନାରାୟଣ ମିଶ୍ର ଏବଂ ନାଉରୀ ନାୟକ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ବହୁ ବିଧାୟକ, ପୂର୍ବତନ ବିଧାୟକ ଥାନ‌ାରେ ବସି ରହିଥିଲେ।

ଶୁକ୍ରବାର ସକାଳୁ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ନେଇଥିଲା। ଶହଶହ ସଂଖ୍ୟାରେ ପୁରୁଷ, ମହିଳା ବିଜେପି କର୍ମୀ ନିଜ ନେତାଗଣ ଅଟକି ରହିଥିବା ସମ୍ବଲପୁର ଟାଉନ୍‌ ଥାନା ସମ୍ମୁଖରେ ରୁଣ୍ଡ ହୋଇଥିଲେ। କିଛି କର୍ମୀ ଆଗୁଆ ଥାନା ପରିସର ଭିତରକୁ ପଶି ଯାଇଥିଲେ। କୌଣସି ଅଘଟଣ ଆଶଂକା କରି ପୁଲିସ୍‌ ପକ୍ଷରୁ ଏହାପରେ ଥାନାର ମୁଖ୍ୟ ଗେଟ୍‌କୁ ବନ୍ଦ କରି ଦିଆ ଯାଇଥିଲା। କର୍ମୀମାନେ ଯେମିତି ଭିତରକୁ ନ ପଶି ପାରିବେ ସେଥି ପାଇଁ ଗେଟ୍ ଭିତରେ ଓ ବାହାରେ ପୁଲିସ୍‌ ବଳ ମୁତୟନ କରା ଯାଇଥିଲା। କର୍ମୀମାନେ ଗେଟ୍ ସମ୍ମୁଖରେ ବସି ଧାରଣା ଓ ସ୍ଳୋଗାନ ଆରମ୍ଭ କରି‌ ଦେଇଥିଲେ। କର୍ମୀଙ୍କ ସଂଖ୍ୟା ବଢ଼ିବା ପରେ ଉଭୟ ଭିତରେ ଓ ବାହାରେ ଥିବା କର୍ମୀ ବଳ ପୂର୍ବକ ଗେଟ୍‌କୁ ଖୋଲି ଦେଇଥିଲେ। ପୁଲିସ୍‌ ଗେଟ୍ ବନ୍ଦ କରିବାକୁ ଉଦ୍ୟମ କଲାବେଳେ ପ୍ରବଳ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା। ଗେଟ୍‌ ଖୋଲିଯିବା ପରେ ପୁଲିସ୍‌ ଗୋଟିଏ ମୋଟା ଦଉଡ଼ି ଟାଣି ଭିଡ଼କୁ ଅଟକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ କର୍ମୀମାନେ ଉକ୍ତ ଦଉଡ଼ିକୁ ବି ପୁଲିସ୍‌ଠୁ ଟାଣି ଛଡ଼ାଇ ନେଇଥିଲେ। ଠେଲାପେଲା, ପାଟିତୁଣ୍ଡ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ମହିଳାଙ୍କ ସମେତ କିଛି ବିଜେପି କର୍ମୀ ପାଚେରି ବାହାରୁ ଥାନା ଭିତରକୁ ଟେକାପଥର ମାଡ଼ କରିଥିଲେ। କର୍ମୀମାନଙ୍କୁ ଶାନ୍ତ କରାଇବାକୁ ଭିତରୁ ବିଧାୟକ ଜୟ ନାରାୟଣ ମିଶ୍ର, ନାଉରୀ ନାୟକ ଏବଂ ଜିଲ୍ଲା ସଭାପତି ଗିରୀଶ ପଟେଲ ଆସିଥିଲେ। ଆମ ଲଢ଼େଇ ରାଜ୍ୟ ସରକାର ସହିତ, ପୁଲିସ୍‌ ସହ ନୁହେଁ ବୋଲି ବୁଝାଇ ଶାନ୍ତିପୂର୍ଣ୍ଣ ଭାବେ ବସିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକଙ୍କ ସମେତ କର୍ମୀ ମାନେ ଗେଟ୍ ସମ୍ମୁଖରେ ପୁନର୍ବାର ବସି ରହିଥିଲେ।
ଆର୍‌ଡିସି ଶ୍ରୀ ସାହୁଙ୍କ ତରଫରୁ ଆଲୋଚନା ପାଇଁ ବିଜେପି ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରା ଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆ ଯାଇଥିଲା। ବିଜେପି ନେତା ମାନେ ପ୍ରଥମେ ଆଲୋଚନା ପାଇଁ ଯିବାକୁ ଅମଙ୍ଗ ହୋଇଥିଲେ। କିନ୍ତୁ ପରେ ଦିନ ୩ଟା ବେଳେ ଏକ ପ୍ରତିନିଧି ମଣ୍ଡଳ ଆଲୋଚନା ପାଇଁ ଆର୍‌ଡିସିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ବିରୋଧୀ ଦଳ ନେତା ଓ ରାଜ୍ୟ ସଭାପତିଙ୍କ ସହ ଅନ୍ୟ ମାନେ ଥାନାରେ ବସି ରହିଥିଲେ।

ଆର୍‌ଡିସିଙ୍କ ସମ୍ମିଳନୀ କକ୍ଷରେ ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧଦ୍ବାର ଆଲୋଚନା ହୋଇଥିଲା। ଆଲୋଚନା ବେଳେ ଆର୍‌ଡିସି ଶ୍ରୀ ସାହୁଙ୍କ ବ୍ୟତୀତ ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ଶୁଭମ ସକ୍‌ସେନା ଏବଂ ଏସ୍‌ପି ବି ଗଂଗାଧର ମଧ୍ୟ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ସାଂସଦ ସୁରେଶ ପୂଜାରୀ, ବିଧାୟକ ଜୟ ନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ନାଉରୀ ନାୟକ, ମୁକେଶ ମହାଲିଂଗ, ଶଂକର ଓରାମ, ବରିଷ୍ଠ ନେତା କନକବର୍ଧନ ସିଂହଦେଓ, ରବି ନାଏକ, ପ୍ରଦୀପ ପୁରୋହିତ, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ଆଲୋଚନା ପରେ ପ୍ରତିନିଧିଗଣ ଥାନାକୁ ଫେରି ଅପେକ୍ଷାରତ ଅନ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ସମାବେଶର ଆବାହକ ବିଧାୟକ ଜୟ ନାରାୟଣ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ମଣ୍ଡିରୁ ଧାନ ଉଠାଇବା, ଚାଷୀଙ୍କ ଲାପ୍‌ସ ହୋଇଥିବା ଟୋକନ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଆମେ ୭୨ ଘଣ୍ଟା ସମୟ ଦେଇଛୁ। ଏହା ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ହୋଇଥିବାରୁ ଆର୍‌ଡିସି ସରକାରଙ୍କୁ ଲିଖିତଭାବେ ଜଣାଇ ସାରିଛନ୍ତି। ସେତିକି ସମୟ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଯଦି ୩ ଦିନ ମଧ୍ୟରେ ଦାବି ପୂରଣ ନହେଲା ତାହେଲେ ସମ୍ବଲପୁରରେ ପୁଣି ଏକ ବୈଠକ କରି ଆନ୍ଦୋଳନର ପରବର୍ତ୍ତୀ ରୂପରେଖ ସ୍ଥିର କରାଯିବ। ଆର୍‌ଡିସି ତାଙ୍କ ସ୍ତରରେ ଯାହା ସମ୍ଭବ ସେହି ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଥିଲେ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ କହି‌ଥିଲେ ଯେ ମଣ୍ଡିରୁ ଧାନ ଉଠିବା ଆମ ଆନ୍ଦୋଳର ମୁଖ୍ୟ ଉଦ୍ଦେଶ୍ୟ ଥି‌ଲା। କଟ୍‌ନି, ଛଟ୍‌ନି ବନ୍ଦ କରିବା, ଅଖା, ସୁତୁଲି ଯୋଗାଇ ଦେବା, ମଣ୍ଡିର ଉନ୍ନତି କରିବାକୁ ପ୍ରତିଶ୍ରୁତି ମିଳିଥିବା ସେ କହିଥିଲେ।

ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଲେ, ବିଜେଡିର ଜଣେ ନେତ୍ରୀ ଓ କଂଗ୍ରେସ୍‌ ବିଧାୟକ ଦଳ ନେତା ଦେଇଥିବା ବୟାନ ସମାନ। ବିଜେପି ଦଲାଲି କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଚାଷୀଙ୍କ ସ୍ବାର୍ଥ ପାଇଁ ଆମେ ଦଲାଲ ହେବା ଅଭିଯୋଗକୁ ସ୍ବୀକାର କରୁଛୁ। ଆମେ ସାଧାରଣ ଚାଷୀଙ୍କ ଦଲାଲ ଓ ବିଜେଡି ମିଲର୍ସ ମାନଙ୍କ ଦଲାଲ୍ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଥିଲେ। ଚାଷୀ ପ୍ରତି ବିଜେଡି ସରକାରଙ୍କ ଆଭିମୁଖ୍ୟ ଠିକ୍ ନଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ। ପାଇକମାଲ ମାଣ୍ଡୋସିଲ୍‌ର ଜଣେ ଚାଷୀ ଧାନ ବିକିବାକୁ ଅପେକ୍ଷା କରି ମୃତ୍ୟୁ ବରଣ କରିଥିବାବେଳେ ବିଜେପି ଦଲାଲଙ୍କ ଧାନ ବିକ୍ରି ପାଇଁ ଆନ୍ଦୋଳନ କରୁଛି ବୋଲି ବିଜେଡି ପ୍ରେସ୍‌ ମିଟ୍‌ କରି କହିବାଠୁ ଦୁର୍ଭାଗ୍ୟଜନକ କଥା କଣ ହୋଇପାରେ ବୋଲି ସେ ପ୍ରତିକ୍ରିୟା ରଖିଥିଲେ।

ସମ୍ବନ୍ଧିତ ଖବର