ବିଭିନ୍ନ ଦାବି ନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଜେପିକୁ ଆକ୍ସନ ମୁଡରେ ଦେଖିବାକୁ ମିଳିଛି। ଜିଲ୍ଲାରେ ବିଜେପିର ସଂଗଠନ ମଜବୁତ ଥିଲେ ମଧ୍ୟ ଗତ କିଛି ବର୍ଷ ହେଲା ସଂଗଠନରେ ସେଭଳି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇପାରୁନଥିଲା। ଯାହାଫଳରେ ଜିଲ୍ଲାରେ ହେଉଥିବା ଦୁର୍ନୀତି ଦିନକୁ ଦିନ ବଢିବାରେ ଲାଗିଥିଲା। ତେବେ ଗତ କିଛି ଦିନ ତଳେ ଆଇଟିଡିଏ ହୋଇଥିବା କାମ ଦୁର୍ନୀତିର ତାଲିକା ଭାଇରାଲ ହେବା ପରେ ଏବେ ସବୁ ଦଳରେ ତର୍ଜମା ଚାଲିଛି । ବିଭିନ୍ନ ଦାବି ନେଇ ମାଲକାନଗିରି ବିଧାୟକ ଆଦିତ୍ୟ ମାଢିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳ ସମେତ ଏସପି,ଜିଲ୍ଲା ଶିକ୍ଷା ଅଧିକାରୀ ଭଳି ସମସ୍ତ ଜିଲ୍ଲା ପଦାଧିକାରୀଙ୍କୁ ଭେଟି ଜିଲ୍ଲାରେ ହେଉଥିବା ଦୁର୍ନୀତି ସଂପର୍କରେ ଅବଗତ କରାଇବା ସହ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ।

ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ସଭା ଗୃହରେ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସହ ସାକ୍ଷାତ କରି ଜିଲ୍ଲାରେ ହେଉଥିବା ଦୁର୍ନୀତି ବିଷୟରେ ଅବଗତ କରାଇଛି।ଯେପରି ଶିକ୍ଷା ବିଭାଗରେ କିପରି ପୋଷାକ ବିତରଣ,କ୍ରୀଡା ସାମଗ୍ରୀ ଠାରୁ ଆରମ୍ଭ କରି ପିଇବା ପାଣି ମେସିନ ପ୍ରଦାନରେ ଦୁର୍ନୀତି ଅଭିଯୋଗର ହିସାବ ମାଗିବା ସହ ତୁରନ୍ତ ତଦନ୍ତ କରିବା ପାଇଁ ଦାବି କରାଯାଇଥିଲା। ସେହିପରି ମେଡିକାଲରେ ଡାକ୍ତରର ଅଭାବ ସାଂଗକୁ ଆଗକୁ କରୋନାର ତୃତୀୟ ଲହରି ଆସୁଥିବା ବେଳେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଜାଣିବାକୁ ଚାହିଁଥିଲା।କାଲିମେଳା ଭଳି ଚାରୋଟି ରାଜ୍ୟର ଲୋକେ ନିର୍ଭର କରୁଥିବା ମେଡିକାଲରେ ଶିଶୁ ବିଶେଷଜ୍ଞ,ସ୍ତ୍ରୀ ବିଶେଷଜ୍ଞ ଭଳି ପଦବୀ ଖାଲି ପଡିଥିବା ବେଳେ ତୁରନ୍ତ ପୂରଣ କରିବାକୁ ଦାବି କରାଯାଇଥିଲା।ସେହିପରି ଆଇଟିଡିଏରେ ଭାଇରାଲ ହୋଇଥିବା କାମ ତାଲିକାରେ ବିଧାୟକଙ୍କ ଜ୍ବାଇଁ ଜଣେ ଶିକ୍ଷକ ହୋଇଥିବା ବେଳେ କିପରି ଠିକା କାମ କରୁଛନ୍ତି ତାହାର ତଦନ୍ତ କରାଯାଉ। ସେହିପରି ଚିତ୍ରକୋଣ୍ଡା ଅଂଚଳରେ ସୁଶାନ୍ତ ସାହୁ ନାମକ ଶିକ୍ଷକ ମଧ୍ୟ ଠିକା କାମ କରୁଥିବାରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଥିଲା।ପ୍ରଧାନମନ୍ତ୍ରୀ ଆବାସ ଯୋନଜାରେ ହେଉଥିବା ବ୍ୟାପକ ଦୁର୍ନୀତିର ପର୍ଦାଫାସ କରାଯାଉ। ଡିଡାଇ ଉନ୍ନୟନ ସଂସ୍ଥାରେ ହେଉଥିବା ବ୍ୟାପକ ଦୁର୍ନୀତି ପଦାରେ ପଡିବା ପରେ ମଧ୍ୟ କି ପଦକ୍ଷେପ ନିଆଯାଇଛି ଜିଲ୍ଲାପାଳଙ୍କ ଠାରୁ ଜାଣିବାକୁ ଚାହିଁଥିଲା ବିଜେପି। ଜିଲ୍ଲାରେ ବିଦ୍ୟୁତ ସରବାହର ବ୍ୟାପକ ଭାବେ ବ୍ୟାହତ ହେଉଥିବା ବେଳେ ଅନଲାଇନରେ ପାଠ ପଢୁଥିବା ପିଲାମାନେ ନାହିଁନଥିବା ହଇରାଣ ହେଉଛନ୍ତି।ଏହାର ତୁରନ୍ତ ସମାଧାନ କରାଯାଉ। ଜିଲ୍ଲାରେ ନେଟଓ୍ବର୍କ ସେବା ବହୁ ଗ୍ରାମରେ ନଥିବା ବେଳେ ଏନେଇ ପଦକ୍ଷେପ ନିଆଯାଉ ବୋଲି ଦଳ ଦାବି କରିଛି ।ଏଥିସହ ଜିଲ୍ଲାର ସମସ୍ତ ବିଭାଗରେ ହେଉଥିବା ବିଭିନ୍ନ କାମ ସଂପର୍କରେ ବିଜେପି ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲା।

ବିଜେପି ଏବେ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା ଆରମ୍ଭ କରିଛି । ଆଜି ଜିଲ୍ଲାର ସଭାପତି ତଥା ବିଧାୟକ ଆଦିତ୍ୟ ମାଢିଙ୍କ ନେତୃତ୍ବରେ ଏକ ଜରୁରୀ ବୈଠକ ମଧ୍ୟ ବସିଥିଲା।ଯେଉଁଥିରେ ଅସଜଡା ହୋଇଥିବା ସଂଗଠନକୁ ପୁନଃ ସଂଗଠିତ କରାଯାଇଥିଲା। ଆଗକୁ ପଞ୍ଚାୟତ ଏବଂ ପୌର ପରିଷଦ ନିର୍ବାଚନ ରହିଥିବା ବେଳେ ବିଜେପି ଏଥର ମଧ୍ୟ ବାଜିମାରି ନେବାର ଆଶା ରଖିଛି। ତେଣୁ ଏବେ ଠାରୁ ଲୋକଙ୍କ ନିକଟତର ହେଲେ ହିଁ ଏବଂ ଲୋକଙ୍କ ପାଇଁ କାମ କଲେ ହିଁ ଲୋକେ ପାର୍ଟି ଉପରେ ବିଶ୍ବାସ କରିବେ ବୋଲି କୁହାଯାଇଛି। ବିଜେପି ଜିଲ୍ଲାରେ ହେଉଥିବା ଦୁର୍ନୀତିକୁ ପଦାରେ ପକାଇବା ସହ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ଆରମ୍ଭ କରିଥିବା ଏଥିରୁ ଅନୁମାନ କରାଯାଇପାରେ। ତେବେ ବିଜେପିର ଏହି ପ୍ରତିନିଧି ଦଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ,ଜିଲ୍ଲା କାର୍ଯ୍ୟକାରୀଣି ସଭାପତି ନିମାଇ ପାଲ,ସାଧାରଣ ସଂପାଦକ ଅକ୍ଷୟ କୁମାର ବିଶ୍ବାସ,ସାଂଗଠାନିକ ସଂପାଦକ ମାଣିକଲାଲ ଚକ୍ରବର୍ତ୍ତୀ,କୋଷାଧ୍ୟକ୍ଷ ତଥା ବିଧାୟକ ପ୍ରତିନିଧି ସଂଜୟ ସରକାର,ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଭବାନୀ ଶଂକର ମୁଖାର୍ଜୀ,ଜିଲ୍ଲା ପରିଷଦ ସଭ୍ୟ ସମୀର ମିସ୍ତ୍ରୀ,ଉତ୍ତମ କୁମାର ରାୟ,ପ୍ରମିଳା ଦାସ,ଦେବେ ମାଢି,ବିଜୟ ବୈରାଗୀ,କୁଶ ତାଟି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର