କେନ୍ଦୁଝର : ରାଜନୀତିରେ ଅନେକ ସମୟରେ ଶତ୍ରୁ ମିତ୍ର ପାଲଟିଯାଏ ଏବଂ ମିତ୍ର ମଧ୍ୟ ଶତ୍ରୁ ପାଲଟିଯାଏ। ଭାଇ ଭଗାରି ପାଲଟେ ଏବଂ ଭଗାରି ମଧ୍ୟ ଭାଇ ପରି ଆଚରଣ ଦେଖାଏ। ରାଜନୀତିରେ ଏହି ଉକ୍ତିଟି ସବୁବେଳେ ସତ୍ୟ ବୋଲି ପ୍ରତିପାଦିତ ହୋଇଥାଏ। କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ନିଜ ବଡ଼ଭାଇ ସତ୍ୟବ୍ରତ ନାଏକ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ହେବା ପରେ ଏହି ଉକ୍ତିଟି ପୁଣିଥରେ ପ୍ରମାଣିତ ହୋଇଛି।
ପାଟଣାର ପୂର୍ବତନ ବିଧାୟକ କାହ୍ନ ଚରଣ ନାଏକଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ସାନପୁଅ ଜଗନ୍ନାଥ ନାଏକ ଏବେ ପାଟଣାର ବିଜେଡି ବିଧାୟକ। କିନ୍ତୁ ତାଙ୍କ ବଡଭାଇ ସତ୍ୟବ୍ରତ ନାଏକ ୨୧ ନଂ ଜିଲ୍ଳା ପରିଷଦ ଜୋନରୁ ବିଜେପି ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ୨୧ ନଂ ଜୋନଟି ଖିରେଇଟାଙ୍ଗିରୀ, ବାଉଁଶୁଳୀ, ଚେମଣା, ବୁଢିକାପୁଡି, ଜମୁନାପଶି, କଣ୍ଟିଆପଡା ପଞ୍ଚାୟତକୁ ନେଇ ଗଠିତ। ଏହି ଜୋନରୁ ବିଜେଡିର ପାର୍ଥୀ ଭାବେ ପ୍ରଫୁଲ୍ଲ ନାଏକଙ୍କୁ ଦଳ ଟିକେଟ ଦେଇଛି। କିନ୍ତୁ ଖୋଦ୍ ବିଧାୟକଙ୍କ ଭାଇ ବିଜେପିରୁ ପ୍ରାର୍ଥିପତ୍ର ଦାଖଲ କରିବା ପରେ ରାଜନୈତିକ ସମୀକରଣ ଓଲଟପାଲଟ ହେବାପରି ମନେ ହେଉଛି । କାରଣ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ସୁରମାଲ ବେହେରା ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଦୀପିକା ପାତ୍ର ଦ୍ବିତୀୟ ସ୍ଥାନରେ ରହିଥିଲେ । ଶାସକ ବିଜେଡିର ପ୍ରାର୍ଥୀ ତୃତୀୟ ସ୍ଥାନ ବଜାଇ ରଖିଥିଲେ। ଗତଥର ଜିଲ୍ଳା ପରିଷଦ ନିର୍ବାଚନରେ ବିଜେଡି ତୃତୀୟ ସ୍ଥାନରେ ଥିବା ବେଳେ ଚଳିତ ନିର୍ବାଚନରେ ଖୋଦ ବିଧାୟକଙ୍କ ଭାଇ ବିଜେପି ପ୍ରାର୍ଥୀ ହୋଇଥିବାରୁ ବିଧାୟକଙ୍କ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ଭାବେ ଛିଡା ହୋଇଛି।