ବେଆଇନ ବିସ୍ଫୋରକ ଗୋଦାମ ଠାବ:କଣ୍ଟାବାଞ୍ଜି ବିଜେପି ନଗର ସଭାପତି ଓ ପୁଅ ଗିରଫ

ମୁହଁ ଖୋଲିଦେଲା ମୁଖିଆ

ବଲାଙ୍ଗୀର: ବହୁ ଦିନରୁ ଚାଲିଥିଲା ବେଆଇନ ବିସ୍ଫୋରକ କାରବାର। ପୁଲିସ ଅଧିକାରୀ ସୂଚନା ପାଇ ଖୋଳତାଡ଼ କରିବା ବେଳେ ଏହାର ପର୍ଦ୍ଦାଫାସ ହେଇଥିଲା। ଗୋଟିଏ କି ଦୁଇ ବସ୍ତା ନୁହେଁ, ବିସ୍ଫୋରକ ଗୋଦାମ ଠାବ କରିଥିଲା ସଦର ଥାନା ପୁଲିସ। ଏହି ମାମଲାରେ ସଦାଇପାଲି ଗାଁର ସୁଦାମ ମହାଲିଙ୍ଗକୁ ପୁଲିସ ଅଟକ ରଖି ପଚରା ଉଚୁରା ଚଳାଇଥିଲା। ବିସ୍ଫୋରକ ଗୋଦାମର ମୁଖିଆ ସୁଦାମ ଖୋଲି ଦେଇଥିଲା ବେଆଇନ କାରବାରର ଗୁମର। ଆଉ ଫସି ଯାଇଥିଲେ କଣ୍ଟାବାଞ୍ଜି ବିଜେପି ନଗର ସଭାପତି ଓ ତାଙ୍କ ପୁଅ। ବଲାଙ୍ଗୀର ସଦର ପୁଲିସ ଓ ବେଲପଡ଼ା ପୁଲିସ ଦୁଇଟି ମାମଲା ରୁଜୁ କରି ତିନିଜଣଙ୍କୁ କୋର୍ଟ ଚାଲାଣ କରିଛି।
ସଦର ଥାନାରେ ତାଲିମ ନେଉଥିବା ଡିଏସ୍‌ପି ଗୁଣନିଧି ମଲ୍ଲିକ ମଙ୍ଗଳବାର ରାତିରେ ସଦାଇପାଲିସ୍ଥିତ ସୁଦାମ ମହାଲିଙ୍ଗଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଥିଲେ। ୫୦ ମିଟର ବିଶିଷ୍ଟ ୧୦୬ ବିଡ଼ା ସେଫଟ୍‌ ଫ୍ୟୁଜ୍‌, ୩୮ ବସ୍ତା ଆମୋନିଅମ୍‌ ନାଇଟ୍ରେଟ୍‌, ୮୩ କେଜିର ଜିଲୋଟିନ୍‌, ୧୩ହଜାର ୫୨୭ଟି ଇଲେକ୍‌ଟ୍ରିକ୍‌ ଡେଟୋନେଟର୍‌, ୩୫ହଜାର ୭୭୦ଟି ଅଣ ଇଲେକ୍‌ଟ୍ରିକ୍‌ ଡେଟୋନେଟର୍‌, ୧୫ କେଜି ଚାରକୋଲ ପାଉଡର, ୧୫ କେଜି ସଲ୍‌ଫର ପାଉଡର୍‌ ଓ ୮ ବିଡ଼ା ଇଲେକ୍‌ଟ୍ରିକ୍‌ ୱାଏର ମିଳିଥିଲା। ଏହି ବିସ୍ଫୋରକଗୁଡ଼ିକ ବିପଦ୍‌ଜନକ ହୋଇଥିବାରୁ ବଲାଙ୍ଗୀର ବମ୍‌ ସ୍କ୍ଵାଡ ପହଞ୍ଚି ଜବତ ବିସ୍ଫୋରକଗୁଡ଼ିକୁ ସୁରକ୍ଷିତ ଭାବେ ଆଣିଥିଲେ ସଦର ଥାନାକୁ। ବୁଧବାର ଦିନ ତମାମ ସଦର ପୁଲିସ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଖୋଳତାଡ଼ ଚଳାଇଥିଲେ। ଅଟକ ସୁଦାମ ମହାଲିଙ୍ଗଙ୍କୁ ବିଭିନ୍ନ ସମୟରେ ଜେରା କରି ବିସ୍ଫୋରକ କେଉଁଠୁ ଆଣୁଥିଲେ ଓ କିଏ ଏହା ଦେଉଥିଲା ତାହା ଛାନ୍‌ଭିନ୍‌ କରିଥିଲେ। ସୁଦାମଙ୍କ ସୂଚନାକୁ ଆଧାର କରି ବଲାଙ୍ଗୀର ପୁଲିସ ପକ୍ଷରୁ ବିଭିନ୍ନ ଟିମ୍‌ କରି ଖୋଳତାଡ଼ ପାଇଁ ବୁଧବାର ସଂଧ୍ୟାରେ ପଠା ଯାଇଥିଲା।
ବେଲପଡ଼ା ଆଇଆଇସି ଲୋକନାଥ ସାହୁଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି-ବେଲପଡ଼ା ସୀମାନ୍ତ ଡୁଙ୍ଗୁରୀପାଲିରେ ଥିବା ଏକ ବିସ୍ଫୋରକ ଗୋଦାମକୁ ପୁଲିସ ଟିମ୍‌ ଯାଇଥିଲେ। ଗୋଦାମରେ ଥିବା ରେକର୍ଡ ଓ ଷ୍ଟକ୍‌ ଯାଞ୍ଚ କରିଥିଲେ। ସବୁ ଠିକ୍‌ଠାକ୍‌ ଥିଲା। କିନ୍ତୁ ସେଠାରେ ଥିବା ଏକ ଗାଡ଼ିକୁ ଦେଖି ପୁଲିସର ସନ୍ଦେହ ବଢିଥିଲା। ପୁଲିସ ଏହି ଗାଡ଼ିକୁ ଖୋଲି ଯାଞ୍ଚ କଲା ବେଳେ ସେଠାରେ ବିପୁଳ ପରିମାଣର ବିସ୍ଫୋରକ ଥିବା ଜଣାପଡ଼ିଥିଲା। ପୁଲିସ ସୂଚନା ଅନୁସାରେ, ୨୭ହଜାର ୪୯୮ଟି ଇଲେକ୍‌ଟ୍ରିକ୍‌ ଡେଟୋନେଟର୍‌ ମିଳିଥିଲା। ଷ୍ଟକ୍‌ ଓ ରେକର୍ଡରେ ଠିକ୍‌ ଥିବା ବେଳେ ଗାଡ଼ିରେ ଥିବା ଏତେ ପରିମାଣର ଇଡି କେଉଁଠୁ ଆସିଲା? ଏ ସଂପର୍କରେ ବିସ୍ଫୋରକ ଗୋଦାମର ମାଲିକ ମୁରାରୀ ଲାଲ ଅଗ୍ରୱାଲ (କଣ୍ଟାବାଞ୍ଜି ବିଜେପିର ନଗର ସଭାପତି)ଙ୍କୁ ପଚରା ଉଚୁରା କରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ତାଙ୍କୁ ବେଲପଡ଼ା ପୁଲିସ ଗିରଫ କରିଥିଲା। ଅନ୍ୟପଟେ ଶ୍ରୀ ଅଗ୍ରୱାଲଙ୍କ ପୁଅ ମହେଶ ଅଗ୍ରୱାଲ ସଦାଇପାଲିରୁ ଧରାପଡ଼ିଥିବା ସୁଦାମଙ୍କୁ ସାମଗ୍ରୀ ଚାଲାଣ କରିଥିବା ନେଇ ସୂଚନା ଦେଇଥିବାରୁ ସଦର ପୁଲିସ ଉଭୟ ସୁଦାମ ଓ ମହେଶଙ୍କୁ ଗିରଫ କରିଥିଲା। ସଦର ଏସ୍‌ଡିପିଓ ନାରାୟଣ ନାୟକ, ସଦର ଆଇଆଇସି ଜ୍ୟୋତିର୍ମୟ ଭୁକ୍ତାଙ୍କ ସୂଚନା ଅନୁସାରେ ଗିରଫ ସୁଦାମଙ୍କ ନିକଟରୁ ବିସ୍ଫୋରକ ସହ ୨ଲକ୍ଷ ୩୨ ହଜାର ନଗଦ ଟଙ୍କା, ମୋବାଇଲ୍‌ ଆଦି ଜବତ କରାଯାଇଛି। ବେଆଇନ ପଥର ବ୍ଲାଷ୍ଟିଂ ପାଇଁ ଏହି ବିସ୍ଫୋରକଗୁଡ଼ିକ ଚାଲାଣ ହେଉଥିବା ଓ ଅନୁସନ୍ଧାନ ଜାରି ରହିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର