ବାରିପଦା: ଆଉ ମାତ୍ର ଦୁଇ ଦିନ ପରେ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାରିପଦାର ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ମାତ୍ର ଏହା ପୂର୍ବରୁ ଜିଲ୍ଲାରେ ଜୋର୍ ଧରିଛି ରାଜନୈତିକ ପାଣିପାଗ। ଏହି ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି। ସ୍ବାସ୍ଥ୍ୟ ଭିତ୍ତିଭୂମି ନଥାଇ ସ୍ମାର୍ଟ ହେଲଥ କାର୍ଡ କାହା କାମରେ ଲାଗିବ ବୋଲି ଆଜି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ଜନଜାତି ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ। ଜିଲ୍ଲାରେ ଡାକ୍ତର ନାହାନ୍ତି, ଡାକ୍ତରଖାନାରେ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରୁନି, ତଥାପି ମୁଖ୍ୟମନ୍ତ୍ରୀ ବାରିପଦା ଆସି ହେଲ୍ଥ କାର୍ଡ ବାଣ୍ଟିବା ନିହାତି ଏକ ପ୍ରହସନ।

Advertisment

ଏପରି କରି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭକୁଆ ବନଉଥିବା କହି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୂଷ ଯୋଜନା ଲାଗୁ କରିସାରିଛନ୍ତି। ଏହା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କଣ ପାଇଁ ଆୟୂଷ ଯୋଜନା ଲାଗୁକରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ରାଜ୍ୟ ସରକାର ତୁରନ୍ତ ଆୟୂଷ୍ମାନ ଯୋଜନା ଲାଗୁ କରିବାକୁ ସେ ଦାବି କରିଛନ୍ତି। ଅଲଗା ଦିନରେ ମୟୂରଭଞ୍ଜ କଥା ମନେ ପକାଉନଥିବା ବିଜେଡି ନେତାମାନେ ହେଲଥ କାର୍ଡ ବାଣ୍ଟିବାକୁ ମାଳ ମାଳ ହୋଇ ଆଜିଠାରୁ ଜିଲ୍ଲାରେ ଡେରା ପକେଇଲେଣି। ପ୍ରାୟ ୧୭ ସରିକି ମନ୍ତ୍ରୀ ଏବଂ ୪୦ ସଂଖ୍ୟାରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାରେ ଉପସ୍ଥିତ ରହିବେ। ଏହା ସମ୍ପୂର୍ଣ୍ଣ ଭାବେ ଲୋକଦେଖାଣିଆ। ପୂର୍ବରୁ ମଧ୍ୟ ରାଜ୍ୟ ସରକାର ହେଲଥ କାର୍ଡ ବାଣ୍ଟିଥିଲେ ମାତ୍ର ତାହା କୌଣସି କାମରେ ଲାଗିପାରିଲା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

publive-image

ଏହି ଗସ୍ତକୁ ବିରୋଧ କରିବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଛି ଏବଂ ଠିକ୍ ସମୟରେ ଗଣାମାଧ୍ୟମକୁ ଏସମ୍ପର୍କରେ ସୂଚନା ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇ ଥର କାର୍ଯ୍ୟକ୍ରମ ପରିବର୍ତ୍ତନ କେବଳ ତାଙ୍କ ଗସ୍ତ କାରଣରୁ ହୋଇଥିବା କହି ତାତ୍ସଲ୍ୟ କରିଥିଲେ କେନ୍ଦ୍ରମନ୍ତ୍ରୀ। ଯେହେତୁ ସେ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଗସ୍ତରେ ଅଛନ୍ତି ଏବଂ ଏସମୟରେ ସେ ବିଡିଓ, ତହସିଲଦାର ଏବଂ ବିଭିନ୍ନ ଅଧିକାରୀଙ୍କୁ ନେଇ ସମୀକ୍ଷା କରୁଛନ୍ତି ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ ହୋଇ ୨୨ ତାରିଖରେ ହେଉଛି।

ତେବେ ଏହି କାର୍ଯ୍ୟକ୍ରମକୁ ଆଳ କରି କେନ୍ଦ୍ରମନ୍ତ୍ରୀ ବିଡିଓ ମାନଙ୍କୁ ନେଇ ଡାକିଥିବା ସମୀକ୍ଷା ବୈଠକରେ କେହି ଯୋଗଦେଇପାରିବେନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କୁହାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ସୂଚନା ଦେଇଛନ୍ତି। ଗଣମାଧ୍ୟମ ସହିତ ହୋଇଥିବା ଏହି ଆଲୋଚନାରେ ବିଧାୟକ ପ୍ରକାଶ ସୋରେନ, ସନାତନ ବିଜୁଳି, ଭାସ୍କର ମଢ଼େଇ, ବୁଢ଼ାନ ମୁର୍ମୁ, ଗଣେଶ ରାମସିଂ ଖୁଣ୍ଟିଆ, ନବ ଚରଣ ମାଝୀ, ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ପୁର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ଜୀବନ ସାହୁଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।