ଜୟପୁର: ଗତ ୨୩ବର୍ଷ ହେବ ‌ଯାହାକୁ ଭୋଟ ଦେଇ‌ ଲୋକେ ଜିତାଇଥିଲେ ସେହି ମୁଖ୍ୟମନ୍ତ୍ରୀ ଆଜି ଅଦୃଶ୍ୟ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି। ବରଂ ମନ୍ତ୍ରୀ ଓ ଶାସକ ଦଳର ବିଧାୟକ ମଧ୍ୟ ଅଦୃଶ୍ୟ ହୋଇ ଯାଇଛନ୍ତି। ସଚିବଙ୍କ ଦୟାରେ ସରକାର ଚାଳିଛି। ଅଧିକ ମତ କିମ୍ବା ମନ୍ତବ୍ୟ ବି ମନ୍ତ୍ରୀମାନେ ଦେଇ ପାରୁ ନାହାନ୍ତି ବୋଲି ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଦୀର୍ଘ ବହୁ ବର୍ଷ ତଳେ ସେ ଅଭିନେତା ରାଜେଶ ଖାନ୍ନାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ଆଜ କା ଏମଏଲଏ’ର ଉଦାହରଣ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ବ ହେଲାଣି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇନାହାନ୍ତି କି ଲୋକଙ୍କ ସମସ୍ୟା ସିଧାସଳଖ ଶୁଣିନାହାନ୍ତି। ଏପରିକି ଏବେ ରାଜ୍ୟରେ ନିର୍ବାଚିତ ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦିଶୁନାହାନ୍ତି। ଯେଉଁମାନେ ଲୋକଙ୍କ ଅଭାବ, ଅସୁବିଧା ଆଦି ବୁଝିବା କଥା ସେମାନେ ଆଜି ଗାଏବ।

Advertisment

ଶ୍ରୀ ସାମଲ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ସଚିବ ବୁଲୁଥିବା କୁହାଯାଇଛି। ଏଥିରୁ ଗତ ୨୩ବର୍ଷ ହେବ ଲୋକଙ୍କର ଦୁଃଖ ଦୁର୍ଦ୍ଧଷା, ଆବଶ୍ୟକତା ଦୂର କରି ପାରିନଥିବା ଏବେ ବୁଲିବୁଲି ଜଣେ ବାବୁ ସମାଧାନ କରୁଥିବାରୁ ଦଳର ନେତାଙ୍କର ପାରିବାପାଣିଆ ସ୍ପଷ୍ଟ। ସେପଟେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ପଞ୍ଚାୟତରୁ ରାଜ୍ୟ ଯାଏ ବିକାଶ ପାଇଁ ପ୍ରଦାନ କରିଛନ୍ତି। ହେଲେ ସେ ସବୁ ବାଟମାରଣା କରି ଗଣତନ୍ତ୍ର ଶାସନ ନ କରି ବାବୁରାଜ୍ ଶାସନ ଚାଲିଛି ବୋଲି। ଏହା ଦ୍ୱାରା ଏ ରାଜ୍ୟରେ ଆଉ ରାଜ୍ୟ ସରକାର ଅଛି ବୋଲି ଭାବୁ ନାହାନ୍ତି ସାଧାରଣ ଜନତା। ପୂର୍ବର ୟୁପିଏ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଅପେକ୍ଷା ମୋଦୀ ସରକାର ପୂର୍ବଭାରତର ବିକାଶକ୍ରମରେ ଓଡ଼ିଶାର ବିକାଶର ଧାରା ବଜାଇ ରଖିଛି। କୋରପୁଟରେ ମେଡିକାଲ କଲେଜ ସ୍ଥାପନ, ରେଳବାଇ କ୍ଷେତ୍ରରେ କଳାହାଣ୍ଡିର ଜୁନାଗଡ଼ ଠାରୁ ନବରଙ୍ଗପୁର-ଜୟପୁର-ମାଲାକାନଗିରି-ଭଦ୍ରାଚଳମ୍ ପାଇଁ ରେଳଲାଇନ୍ ନିର୍ମାଣର ଯୋଜନା, ବିଶାଖାପାଟଣା-ରାୟପୁର ଭାରତମାଲା ପ୍ରକଳ୍ପ, ରାଞ୍ଚି ବିଜୟୱାଡା କରିଡର, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ, ମେଗା ଜଳ ଯୋଗାଣ ପାନୀୟ ପ୍ରକଳ୍ପ, ଜୟପୁର ସହରରେ ଉଡ଼ାଣ ଯୋଜନାରେ ବିମାନବନ୍ଦର ସହ ବିମାନଚଳାଚଳ କରିବା ଏକ ଐତିହାସିକ ପଦକ୍ଷେପ। ବିଜେଡି-ବିଜେପି ମେଣ୍ଟ ନାଁରେ ଭ୍ରମ ସୃଷ୍ଟି କରାଯାଉଛି।

ବିଜେପି-ବିଜେଡି ମେଣ୍ଟ ବହୁ ବର୍ଷରୁ ଭାଙ୍ଗି ସାରିଛି। ଗଣମାଧ୍ୟମ ଭ୍ରମ ସୃଷ୍ଟି କରିବା ବନ୍ଦ କରନ୍ତୁ। ଏହି ନିର୍ବାଚନରେ ବିଜେପି ୧୪୭ଟି ବିଧାନସଭା ଓ ୨୧ଟି ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ଦେ‌ବ। ଓଡିଶାବାସୀ ଏବେ ପରିବର୍ତ୍ତନ ମୁହାଁ, ୨୦୨୪ନିର୍ବାଚନରେ ନିଶ୍ଚିତ ରୂପେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଓଡିଶାରେ ବିଜେପି ସରକାର ଗଠନ କରିବ। ପ୍ରାଥମିକ ଶିକ୍ଷକ ସଂଘର ଦାବି ଯଥାର୍ଥତା ରହିଛି। ଦାବି ପୁରଣ ନ ହେଲେ ବିଜେପି ଏହାକୁ ଇସ୍ତାହାରରେ ରଖିବ। ଓଡ଼ିଆ ଠିକାଦାରଙ୍କୁ ଠିକା କାମ ଦିଆଯିବା ବଦଳରେ ଅଣଓଡିଆ ଠିକାଦାରଙ୍କୁ କାମ ଦେଇ ହାତ ଚିକ୍କଣ କରାଯାଉଛି। ପଞ୍ଚାୟତସ୍ତରରେ ଚାଳିଥିବା ଦୁର୍ନୀତିର ପର୍ଦ୍ଦାଫାର୍ସ କରାଯାଇଛି। ଏବେ ବ୍ଲକ ଓ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାମଲ କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ପୂର୍ବତନ ସାଂସଦ ଇଂ. ବଳଭଦ୍ର ମାଝୀ, ସମ୍ପାଦକ ପୂର୍ଣ୍ଣିମା ନାୟକ, ସରୋଜ କର, ରାଜ୍ୟ ପରିଷଦ ସ୍ଥାୟୀ ସଦସ୍ୟ ଗୌତମ ସାମନ୍ତରାୟ, ଜିଲ୍ଲାସଭାପତି ସୁମନ୍ତ ପ୍ରଧାନ, ରାଷ୍ଟ୍ରୀୟ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାଳୀରାମ ମାଝୀ ଭାଗ ନେଇଥିଲେ।