ଧାମନଗର: କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପାଇଁ ପରିଭ୍ରମଣ କରୁଥିବା ବିକଶିତ ଭାରତ ସଂକଳ୍ପ ରଥକୁ ଗତକାଲି କେତେକ ଦୁର୍ବୃତ୍ତ ଧାମନଗର ବ୍ଲକ୍‌ ଚୁଡାକୁଟିଠାରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଧାମନଗର ପୁଲିସ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ଗିରଫ ଅଭିଯୁକ୍ତ ହେଲେ ରଞ୍ଜିତ ସାମଲ ଓ ଶ୍ରୀକାନ୍ତ ଦାସ। ରଥ ଭଙ୍ଗାରୁଜା ପ୍ରତିବାଦରେ ବିଜେପି ପକ୍ଷରୁ ଧାମନଗର ଥାନା ସମ୍ମୁଖରେ ରାସ୍ତାରୋକ କରାଯାଇଥିଲା।

Advertisment

ବୁଧବାର ଅପରାହ୍ନରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମର ଏକ ସଭା ଚୁଡାକୁଟି ମେଳଣ ପଡିଆରେ ଚାଲିଥିଲା। ଏଥିରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। ସଭା ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ଭିଡିଓ ପ୍ରଦର୍ଶିତ ହେଉଥିଲା। ଏହି ସମୟରେ ପ୍ରାୟ ୪ ଜଣ ଯୁବକ ସେଠାରେ ପହଞ୍ଚି ଗାଳିଗୁଲଜ କରିବା ସହ ପ୍ରଧାନମନ୍ତ୍ରୀଙ୍କ ହୋର୍ଡ଼ିଂ ଚିରି ଦେଇଥିଲେ। ସଂକଳ୍ପ ରଥ ଗାଡ଼ି ସହ ଏଲ୍‌ଇଡିକୁ ଭାଙ୍ଗି ଦେଇଥିଲେ। ଏହାକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ ଭିଆଇଥିବା ରଞ୍ଜିତ ଓ ଶ୍ରୀକାନ୍ତଙ୍କୁ ଥାନାକୁ ଆଣି ଅଟକ ରଖିଛି। ତେବେ ସରକାରୀ କାର୍ଯ୍ୟକ୍ରମରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ବିଡିଓ କିମ୍ବା ପିଡି ଏ ନେଇ ଏତଲା ନଦେବା ଓ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଅଭିଯୋଗ ଆଣି ବିଜେପି ରାଜରାସ୍ତାରେ ପ୍ରତିବାଦ କରିଥିଲା। ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଘଟଣାକୁ ନାପସନ୍ଦ କରି ଏହାକୁ ରାଜନୈତିକ ଅସୂୟା ମନୋଭାବ ବୋଲି କହିଛନ୍ତି। ରାତି ୧୦ଟା ପର୍ଯ୍ୟନ୍ତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଧାମନଗର ଥାନା ଆଗ ଧାମନଗର-ଦେବାଲ ମୁଖ୍ୟରାସ୍ତା ଉପରେ ବସି ପ୍ରତିବାଦ ଜାରି ରଖିଥିଲେ। ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର, ଧାମନଗର ତହସିଲଦାର ଦୀପକ ଦାସ, ଏସ୍‌ଡିପିଓ ରମେଶ ସିଂ ଘଟଣାସ୍ଥଳରେ ପହଞ୍ଚି ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା।

ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ଦଳର ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ବରିଷ୍ଠ ନେତା ଡ.ପ୍ରଦୀପ ନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରଘୁନାଥ ପାତ୍ର, ଜିଲ୍ଲା ସଂପାଦକ ମନୋରଞ୍ଜନ ମଲ୍ଲିକ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ବାଇଁ, ଆଇନଜୀବୀ ଦୀପ୍ତି ରଞ୍ଜନ ଜେନା, ଅଜୟ ବଳ, ରାମଚନ୍ଦ୍ର ମିଶ୍ର, ଅରବିନ୍ଦ ପତି, ଜିଲ୍ଲା ଯୁବ ସଭାପତି ଦେବାଂଶୁ ରାଉତ, ସେକ୍‌ ହମିଦ୍‌, ରମେଶ ପତିଙ୍କ ସମେତ ବହୁ ବିଜେପି ନେତା ଏଥିରେ ସାମିଲ ହୋଇଥିଲେ।