ରାଉରକେଲା: କର୍ମୀଙ୍କୁ ଛୁଞ୍ଚି ଫୋଡି ରକ୍ତଟାଣିବା ଘଟଣାରେ ଶ୍ରମମନ୍ତ୍ରୀ ସାରଦା ନାୟକଙ୍କୁ ଗିରଫ ଦାବିରେ ବିଜେପି ଯୁବମୋର୍ଚ୍ଚାର ଆଜି ସୁନ୍ଦରଗଡ ରଘୁନାଥପାଲି ଥାନା ଘେରାଉ କରିଛି l ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମାଙ୍କ ନେତୃତ୍ୱରେ ଶତାଧିକ ଯୁବକର୍ମୀ ସାମିଲ ହେଇଥିଲେ l ସାରଦାଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଇଥିଲେ | ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ ଯଦି ବିନା ପ୍ରମାଣପତ୍ର ଥିବା ନକଲି ଡାକ୍ତରଙ୍କୁ ରାଜ୍ୟ ସରକାର ଗିରଫ କରାଯାଉଛି ତେବେ ସାରଦାଙ୍କୁ କାହିଁକି ଗିରଫ କରାଯିବ ନାହିଁ |
ଉଲ୍ଲେଖ ଥାଉ କି ୩ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନାସ୍ଥ ରକ୍ତଭଣ୍ଡାରର ଆୟୋଜିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଜଣେ ରକ୍ତଦାତାଙ୍କ ରକ୍ତ ଟାଣିଥିଲେ, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା । ରକ୍ତ ସଂଗ୍ରହ ଏକ ସମ୍ବେଦନଶୀଳ କାର୍ଯ୍ୟକ୍ରମ, ସତର୍କ ଓ ସୁରକ୍ଷିତ ପ୍ରକ୍ରିୟା ମଧ୍ୟରେ ଅଭିଜ୍ଞ କର୍ମଚାରୀ ହାତରେ ଗ୍ଲୋଭ ଲଗାଇ ରକ୍ତ ଟାଣିଥାନ୍ତି। ହେଲେ କେଉଁସ୍ଥିତିରେ ମନ୍ତ୍ରୀଙ୍କୁ ରକ୍ତ ଟାଣିବାକୁ ଅନୁମତି ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ। ରକ୍ତ ଟାଣିଲା ବେଳେ ମନ୍ତ୍ରୀ ହାତରେ ଗ୍ଲୋଭ ଲଗାଇ ନଥିଲେ। ଏପରିକି ମନ୍ତ୍ରୀ ଗୁଡ୍ଡୁ ସୋନାର ନାମକ ଜଣେ ବିଜେଡି କର୍ମକର୍ତ୍ତା ରକ୍ତଦାତାଙ୍କ ହାତରେ ଠିକ୍ ଭାବରେ ଛୁଞ୍ଚି ଲଗାଇ ପାରୁ ନଥିବା ଦେଖାଯାଇଥିଲା। ଯାହାକୁ ସାଧାରଣରେ ନାପସନ୍ଦ କରାଯାଇଥିଲା |