ଆବାସ ତାଲିକାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବିଜେପିର ବ୍ଲକ୍‌ ଘେରାଉ

ପୁଲିସ୍‌ ସହ ଧସ୍ତାଧସ୍ତି, ଭଙ୍ଗାରୁଜା

ଆଠଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ଦାବି କରି ଗୁରୁବାର ବିଜେପି ପକ୍ଷରୁ ବ୍ଲକ୍‌ ଘେରାଉ କରାଯାଇଛି। ଗାନ୍ଧୀମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ବରିଷ୍ଠ ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଏକ ବିରାଟ ରାଲି ବିଭିନ୍ନ ନାରାବାଜି ଦେଇ ବ୍ଲକ୍‌ କାର୍ଯ୍ୟାଳୟ ଆସିଥିଲା। ଦଳୀୟ କର୍ମୀମାନେ କାର୍ଯ୍ୟାଳୟକୁ ପ୍ରବେଶ ଉଦ୍ୟମ ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। କିଛି କର୍ମୀ କାର୍ଯ୍ୟାଳୟରେ ପଶିଯାଇ ଚେୟାର୍‌ ଭଙ୍ଗାରୁଜା କରିଥିଲେ। ପୁଲିସ ଉତ୍ୟକ୍ତ କର୍ମୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତ ଶାନ୍ତ ପଡ଼ିଥିଲା। ଏହାପରେ କାର୍ଯ୍ୟାଳୟ ପରିସରରେ ଦଳ ପକ୍ଷରୁ ପ୍ରତିବାଦ ସଭା ହୋଇଥିଲା। ବରିଷ୍ଠ ନେତା ବ୍ରଜେନ୍ଦ୍ର କୁମାର ରାୟ ଅଭିଯୋଗ କରିଥିଲେ ଯେ ଶାସକ ଦଳର ଇଙ୍ଗିତରେ ଆଠଗଡ଼ରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇ ଦଳୀୟ ଭିତ୍ତିରେ ତାଲିକା କରାଯାଇଛି।

ଇନ୍ଦିପୁରର ଶାନ୍ତିଲତା ବେହେରା, ତରଡିଙ୍ଗର ଉର୍ମିଳା ବାରିକ ପ୍ରଭୃତି ଶତାଧିକ ଯୋଗ୍ୟ ହିତାଧିକାରୀ ଆବାସ ତାଲିକାରେ ସାମିଲ ହୋଇନଥିବାରୁ ଆଜି ବିଜେପି କର୍ମୀଙ୍କ ସହ ଆସି ବିଡିଓଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷେ ବିଜେପି ପକ୍ଷରୁ ଏକ ସ୍ନାରକପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି। ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଦାବି ହୋଇଥିଲା। ଆଜିର ଘେରାଉରେ ପ୍ରଭାରୀ ଜ୍ଞାନେନ୍ଦ୍ର ସ୍ବାଇଁ, ବିଚିତ୍ରାନନ୍ଦ ଜେନା, ଜଗଦ୍ଦାନନ୍ଦ ତ୍ରିପାଠୀ, ସୁବାସ ମହାନ୍ତି, ଡକ୍ଟର ହରିହର ସାହୁ, ତପନ ଲେଙ୍କା, ମିଥୁନ ମଲ୍ଲିକ, ପ୍ରତିମା ରାଉତ, ସସ୍ମିତା ସାହୁ, ସତ୍ୟଜିତ ମଲ୍ଲିକ, ଇଲା ପଣ୍ଡା, ବିକ୍ରମ ଦାଶ, ହେମନ୍ତ ମହାନ୍ତି, ଜଗଦ୍ଦାନନ୍ଦ ତ୍ରିପାଠୀ, ସୁନିଲ ମିଶ୍ର, ରମାକାନ୍ତ ସେନାପତି, ପ୍ରଦୀପ ମହାପାତ୍ର, ପ୍ରକାଶ ସେଠୀ ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର