ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ୍‌ଙ୍କୁ ଗିରଫ କରିବା ଦାବିରେ ବିଜେପିର ଧାରଣା

ଖୋର୍ଦ୍ଧା: ଚଳିତ ମାସ ୮ ତାରିଖରେ ବାଲୁଗାଁରେ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ୍‌ ବିଜେପିର ସ୍ଥାନୀୟ ମଣ୍ଡଳ ଅଧ୍ୟକ୍ଷ ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିବା ଓ ହତ୍ୟାଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଦୀର୍ଘ ୭ ଦିନ ପରେ ମଧ୍ୟ ଚିଲିକା ବିଧାୟକଙ୍କୁ ଗିରଫ କରା ଯାଇନଥିବାରୁ ଆଜି ଖୋର୍ଦ୍ଧା ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ବିଜେପିର ଶତାଧୀକ କର୍ମକର୍ତା ଓ ସଦସ୍ୟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଉପରେ ଧାରଣାରେ ବସିଥିଲେ। ଏହାପରେ ରାଜ୍ୟ ଏସ୍‌ସି ମୋର୍ଚ୍ଚା ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରାଙ୍କୁ ସାକ୍ଷାତ କରି ପ୍ରଶାନ୍ତ ଜଗଦେବ୍‌ଙ୍କ ପୂର୍ବ ଅପରାଧର ତାଲିକା ସହ ୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଦେଇଥିଲେ। ଏନେଇ ଶ୍ରୀ ତରାଇ କହିଛନ୍ତି ଯେ ପ୍ରଶାନ୍ତ ଜଗଦେବ୍‌ଙ୍କ ବିରୋଧରେ ବିଭିନ୍ନ ଥାନାରେ ୧୦ରୁ ଉର୍ଦ୍ଧ୍ବ ମାମଲା ରହିଛି। ଏଭଳି ଜଣେ ଅପରାଧୀକ ପ୍ରବୃତ୍ତିର ରାଜନେତା ଗଣତନ୍ତ୍ର ପ୍ରତି ବିପଦ।

Sambad

ସେମାନେ ତୁରନ୍ତ ବିଧାୟକ ପ୍ରଶାନ୍ତ ଜଗଦେବ୍‌ଙ୍କ ଗିରଫଦାରୀ, ଏନ୍ଏସି କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ୍‌ ପ୍ରମାଣ ସ୍ୱରୂପ ଗ୍ରହଣ କରିବା, ସେଠାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଘଟଣା ସମ୍ପର୍କରେ ବୟାନ ରେକର୍ଡ କରିବା ଆଦି ଦାବି କରିଛନ୍ତି। ସେମାନଙ୍କ ଦାବି ଆସନ୍ତା ୭ ଦିନ ମଧ୍ୟରେ ପୂରଣ ନହେଲେ ବିଜେପି ଏସ୍‌ସି ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବା ସହ ଏନେଇ ପୁଲିସ ବିରୋଧରେ ମାନବାଧୀକାର ସୁରକ୍ଷା ସେଲ୍ (ଏଚ୍ଆର୍ପିସି), ଜାତୀୟ ଅନୁସୂଚିତ ଜାତି କମିସନ ଓ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବେ।

ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରିବାକୁ ଯାଇଥିବା ପ୍ରତିନିଧୀ ମଣ୍ଡଳରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ରଶ୍ମୀରଂଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ, ବିଶ୍ୱରଂଜନ ବଡ଼ଜେନା, ପୃଥିବୀରାଜ ହରିଚନ୍ଦନ, ଦୁଷ୍ମନ୍ତ ହରିଚନ୍ଦନ, ନିରଂଜନ ସେଠୀ, ରାଘବ ମଲ୍ଲିକ, ପ୍ରବୀଣା ଭଂଜଦେଓ, ଶିବ ମଲ୍ଲିକ, ମାଧବ ଦଳେଇ, ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ସୁମନ୍ତ ପଟ୍ଟନାୟକ, ଅମରେନ୍ଦ୍ର ରଣସିଂହ, ଦେବରାଜ ବସ୍ତି, ରୋଜିନାରାଣୀ ଦାସ, ସର୍ବେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର