ପରୀ ପାଇଁ ନ୍ୟାୟ ଦାବିରେ ରାଜରାସ୍ତାରେ ଗର୍ଜିଲେ ବିଜେପି ନେତା

ଖୋର୍ଦ୍ଧା: ନୟାଗଡ଼ ନାବାଳିକା ପରୀ ହତ୍ୟା ଘଟଣାରେ ରାଜ୍ୟ ସରକାର ବିଫଳତା ଓ ପ୍ରବଂଚନା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗତକାଲି ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ଖୋର୍ଦ୍ଧା ଦେଇ ବେଗୁନିଆ ଯାଇଛି । ଆଜି ସକାଳୁ ପଦାଯତ୍ରାରେ ଶତାଧିକ ନେତା, କର୍ମୀ ଜଟଣୀରୁ ବାହାରି ଜାତୀୟ ରାଜପଥ ୧୬ ଦେଇ ଅପରାହ୍ଣ ସାଢ଼େ ଗୋଟାଏ ବେଳେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ମେଲଣ ପଡ଼ିଆ ନିକଟରେ ଏକତ୍ରିତ ହୋଇଥିଲେ । ଏହି ସ୍ଥାନରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟଙ୍କ ନେତୃତ୍ୱରେ ପ୍ରାୟ ୧ହଜାର କର୍ମୀ ଓ ନେତା ପଦଯାତ୍ରାରେ ଯୋଗ ଦେଇଥିଲେ ।

ଏହାପରେ ପଦାଯାତ୍ରୀ ଦଳ ଖୋର୍ଦ୍ଧା ଟାଉନ୍ ମଧ୍ୟରେ ପ୍ରବେଶ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ, ବ୍ୟାଙ୍କ ଛକ, ନୂଆବସ୍ଷ୍ଟାଣ୍ଡ ଦେଇ ଅପରାହ୍ଣ ସାଢ଼େ ୨ଟାରେ ଟିଏଲ୍ସି ପଡ଼ିଆ ନିକଟରେ ପହଂଚିଥିଲେ । ପଦଯାତ୍ରାରେ ଯୋଗ ଦେଇଥିବା ନେତାମାନେ ପରୀ ଓ ପରୀ ଭଳି ରାଜ୍ୟରେ ଅପହୃତ ହୋଇଥିବା, ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୫ ହଜାରରୁ ଉଦ୍ଧ୍ୱର୍ ଶିଶୁ କନ୍ୟାଙ୍କ ସୁରକ୍ଷାରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଥିଲେ । ସରକାର ନିଜ ଅପରାଗତା ଘୋଡ଼ାଇବାକୁ ଏସ୍ଆଇଟି ଆଦି ଆଢ଼ୁଆଳ କରିଛନ୍ତି । ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା, ଘଟଣାର ସିବିଆଇ ଯାଂଚ କରନ୍ତୁ ବୋଲି ଦାବି କରିଥିଲେ ।

ଖୋର୍ଦ୍ଧା ଦେଇ ଯାଇଥିବା ଆଜିର ଏହି ପଦଯାତ୍ରାରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଧାୟକ ମୁକେଶ ମହାଳିକ, ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର, ରାଜ୍ୟ ମୁଖପାତ୍ର ଡ ଯତୀନ ମହାନ୍ତି, ସୋନାଲି ସାହୁ, ଯୁବମୋର୍ଚ୍ଚା ନେତା ଠାକୁର ରଣଜିତ ଦାସ, ସୁଦୀପ୍ତ ରାୟ, ବିଶ୍ୱ ରଂଜନ ବଡ଼ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପୂର୍ବତନ ସାଂସଦ ବିଭୂ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ରଙ୍କ ସମେତ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ୭ଟି ମଣ୍ଡଳର ସଭାପତି, ସରପଂଚ, ସମିତିସଭ୍ୟ, ୱାର୍ଡ଼ ସ୍ତରୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର