ସ୍କୁଲ ଅଧ୍ୟକ୍ଷା ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି

ଯୋଗଦେଲେ ବିଭିନ୍ନ ଦଳର ଶତାଧିକ କର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜେଡି ଏବଂ କଂଗ୍ରେସ ନିଜ ନିଜର ରାଲି, ସଭା ଏବଂ ମିଶ୍ରଣ ପର୍ବ ଆୟୋଜନ କରୁଥିବା ବେଳେ ବିଜେପି ମଧ୍ୟ ପଛରେ ନଥିବା ଦେଖିବାକୁ ମିଳିଛି। ଆଜି ସ୍ଥାନୀୟ ଭୈରବୀ ମନ୍ଦିର ଠାରୁ ପୂଜାର୍ଚ୍ଚନା କରାଯାଇ ଏକ ବିଶାଳ ମଟର ସାଇକେଲ ରାଲି ବାହାରି ବ୍ଲକ ପଡିଆରେ ପହଞ୍ଚିଥିଲା। ହଜାର ହଜାର ବିଜେପି କର୍ମୀ ମଟର ସାଇକେଲ କାର ଯୋଗେ ସହର ପରିକ୍ରମା କରିଥିଲେ। ଏହି ମହାରାଲି ସହରରେ ପୂର୍ବରୁ କେବେ ହୋଇନଥିବା ଦେଖିବାକୁ ମିଳିଥିଲା। ମାଲକାନଗିରି ଜିଲ୍ଲାରେ ବିଜେପି କେତେ ଶକ୍ତିଶାଳୀ ଆଜି ଏହି ରାଲି ମାଧ୍ୟମରେ ସେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ପରେ ବ୍ଲକ ପଡିଆରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

ଏହି ସାଧାରଣ ସଭାରେ ୨ ହଜାରରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଯୋଗ ଦେଇଥିଲେ। ବିରାଟ ସାଧାରଣ ସଭାରେ ବିଜେପିର ଜିଲ୍ଲା ସଭାପତି ତଥା ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସାଧାରଣ ସଂପାଦକ ରବୀ ନାରାୟଣ ନାୟକ, ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ନିତ୍ୟାନନ୍ଦ ଗଣ୍ଡ, ଜାତୀୟ ଅନୁସୂଚିତ ଜନଜାତି ମୋର୍ଚାର ସାଧାରଣ ସଂପାଦକ କାଲିରାମ ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରମେଶ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିମାଇଁ ଚନ୍ଦ୍ର ପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ଗୁରୁ ଚରଣ ମହାନ୍ତି, ସ୍ୟାମର ସୁନାନୀ, ସାଧାରଣ ସଂପାଦକ ମାଣିକ ଚକ୍ରବର୍ତ୍ତୀ, ସଂଜୟ ସରକାର, ନବଘନ ଲୋକେଇ ପ୍ରମୁଖ ଉପସ୍ଥିତ ରହିଥିଲେ। ସଭାରେ ଉପସ୍ଥିତ ନେତାମାନେ କଳାହାଣ୍ଡିର ମହାଲିଙ୍ଗ ଠାରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟା ବିରୋଧରେ ସ୍ବରତ୍ତୋଳନ କରିଥିଲେ। ମାଲକାନଗିରି ଏସପିଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା।

Sambad

ସଭାରେ ନେତାମାନେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ଓଡିଶାରେ ଦିନକୁ ଦିନ ନ୍ୟାୟ ବ୍ୟବସ୍ଥା ଭୁଷୁଡିବାରେ ଲାଗିଥିବା କୁହାଯାଇଥିଲା। ବିଶେଷକରି ମହିଳାଙ୍କ ପ୍ରତି ଅତ୍ୟାଚାର ଚରମ ସୀମାରେ ପହଞ୍ଚିଛି। ନାରୀ ନିର୍ଯ୍ୟାତନା, ଧର୍ଷଣ, ହତ୍ୟା ଘଟଣାରେ ଓଡିଶା ୮ ନମ୍ବର ସ୍ତାନରେ ରହିଥିବା କୁହାଯାଇଥିଲା। ମହିଳା ସ୍କୁଲ ଶିକ୍ଷୟତ୍ରୀଙ୍କୁ ହତ୍ୟା କରିବା ପଛରେ ସେହି ବିଦ୍ୟାଳୟର ମାଲିକ ଗୋବିନ୍ଦ ସାହୁଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଓଡିଶାର ନ୍ୟାୟୀକ ବ୍ୟବସ୍ଥା ହୁଗୁଳା ରହିଥିବା ଅଭିଯୋଗ କରାଯାଇଥିଲା। ଗୋବିନ୍ଦଙ୍କ ସଂପର୍କରେ ନେତା, ପ୍ରଶାସନ ଏବଂ ବରିଷ୍ଠ ନେତାଙ୍କ ସହ ରହିଛି। ତେଣୁ ଏହା ଏକ ଘରୋଇ ବିଦ୍ୟାଳୟ ହୋଇଥିଲେ ମଧ୍ୟ ସମସ୍ତ ସରକାରୀ ସୁବିଧା ଏହି ବିଦ୍ୟାଳୟକୁ କାହିଁକି ଦିଆଯାଉଥିଲା।

ଗୋବିନ୍ଦଙ୍କ ସହ ରାଜ୍ୟ ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟ ଶଂକର ମିଶ୍ରଙ୍କ ସଂପର୍କ ଆଉ ଅଛପା ନାହିଁ ବୋଲି କୁହାଯାଇଥିଲା। ମନ୍ତ୍ରୀ ନିଜେ ସେହି ଘରୋଇ ବିଦ୍ୟାଳୟକୁ ଯାଉଥିଲେ ଏବଂ ରାତ୍ରୀଯାପନ କରୁଥିଲେ କାହିଁକି। ଗୋବିନ୍ଦ ନିଜର ଦୋଷ ସ୍ବୀକାର କରିଥିବା ବେଳେ ଏହି ବିଦ୍ୟାଳୟରେ ଛାତ୍ରୀଙ୍କ ସହ ଅନୈତିକ ସଂପର୍କ ରଖାଯାଉଥିଲା। ମନ୍ତ୍ରୀ ପଦରୁ ଶ୍ରୀ ମିଶ୍ରଙ୍କୁ ତୁରନ୍ତ ହଟାଯାଉ ବୋଲି ବିଜେପି ଦାବି କରିଛି। ଶେଷରେ ବିଭିନ୍ନ ଦଳର ଶତାଧିକ କର୍ମୀ ଆଜି ବିଜେପିରେ ଯୋଗଦାନ କରିଥିଲେ।ଯାହା ଆଗାମୀ ନିର୍ବାଚନରେ ବିଜେପିକୁ ବହୁତ ସହାୟକ ହେବ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର