ରାଜ୍ୟର ୫୩୦୦ ନିଖୋଜ ଶିଶୁଙ୍କ ନ୍ୟାୟ ପାଇଁ ଲିଙ୍ଗରାଜଠାରୁ-ଯଦୁପୁର ପଦଯାତ୍ରା କରିବ ବିଜେପି

ଖୋର୍ଦ୍ଧା: ଗତ ଦୁଇ ବର୍ଷ ମଧ୍ୟରେ ୫୩୦୦ ଶିଶୁ ନିଖୋଜ ହୋଇଛନ୍ତି । ସେମାନଙ୍କ ନିଖୋଜ ନେଇ ଥାନାରେ ଏତଲା ହୋଇଛି । କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ଖୋଜି ଆଣିପାରିନାହାନ୍ତି । ପରୀ ଘଟଣା ଏହି ସମସ୍ତ ଶିଶୁଙ୍କ ପ୍ରତୀକମାତ୍ର । ସେହି ସମସ୍ତ ନିଖୋଜ ଶିଶୁଙ୍କ ନ୍ୟାୟ ପାଇଁ ବିଜେପି ପକ୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଠାରୁ ପରୀର ଗାଁ ଯଦୁପୁର ୪ ଦିନ ଧରି ଦୀର୍ଘ ୯୦ କିମି ପଦଯାତ୍ରା କରାଯିବ ବୋଲି ଆଜି ବିଜେପି ପକ୍ଷରୁ ଖୋର୍ଦ୍ଧାଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଭୃଗୁ ବକ୍ସିପାତ୍ର ପରୀ ଓ କେନ୍ଦ୍ର ସରକାରଙ୍କ ତିନିଟି ନୂତନ କୃଷି ଆଇନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଛବିରାଣୀ ଓ ଅଂଜନା ଗଣଧର୍ଷଣ ତତ୍କାଳୀନ ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଇଥିଲା । ପରୀ ଓ ପରୀ ଭଳି ଘଟଣା ଏହି ସମସ୍ତ ଜଘନ୍ୟ ଘଟଣା ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହି ଘଟଣାରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୁଲିସ ଓ ସାଧାରଣ ପ୍ରଶାସନର ଅପରାଗତା ପଦାରେ ପଡ଼ିଛି । ଏହାର ବିରୋଧରେ ଆସନ୍ତା ୨୦ ତାରିଖରୁ ବିଜେପିର ସମସ୍ତ ତୃଣମୂଳ କର୍ମକର୍ତା ଓ ନେତା ୪ ଦିନିଆ ପଦଯାତ୍ରା କରିବେ । ଏହି ପଦଯାତ୍ରା ୨୦ ତାରିଖରେ ଭୁବନେଶ୍ୱର ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନିକଟରୁ ବାହାରିବ । ୨୦ ତାରିଖ ଅପରାହ୍ଣରେ ଜଟଣୀରେ ପହଂଚିବ । ସେଠାରେ ରାତ୍ରୀ ଯାପନ କରିବା ପରେ ୨୧ ତାରିଖ ଅପରାହ୍ଣରେ ଖୋର୍ଦ୍ଧା ପହଂଚିବ ।

ସ୍ଥାନୀୟ ଟିଏଲ୍ସି ପଡ଼ିଆରେ ଖାଦ୍ୟ ଖାଇବା ପରେ ପଦଯାତ୍ରୀ ଦଳ ସେଇ ଦିନ ବେଗୁନିଆ-ବୋଲଗଡ଼ରେ ପହଂଚିବେ । ୨୨ ଓ ୨୩ ତାରିଖ ବୋଲଗଡ଼ ଓ ବେଗୁନିଆରେ ରାତ୍ରୀଯାପନ କରାଯିବ ଓ ୨୪ ତାରିଖରେ ନୟାଗଡ଼ ଯଦୁପୁର ଠାରେ ପଦଯାତ୍ରା ଶେଷ ହେବ । ସେଠାରେ ଏକ ବଡ଼ଧରଣର ସାଧାରଣ ସଭା କରାଯିବ । ଏହି ପଦଯାତ୍ରାରେ ରାଜ୍ୟର ବିଜେପିର ସମସ୍ତ ସାଂସଦ, ବିଧାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସଂଗଠନର ସମସ୍ତ କର୍ମକର୍ତା, କୃଷକ, ମହିଳା, ଛାତ୍ର, ଯୁବ, ସଂଖ୍ୟାଲଘୁ, ଜନଜାତି ଆଦି ୭ଟି ଛାମୁଆ ସଂଗଠନର ସଦସ୍ୟ ଓ କର୍ମକର୍ତା ମଧ୍ୟ ଯୋଗ ଦେବେ । ପଦଯାତ୍ରା ଯେଉଁ ଯେଉଁ ଅଂଚଳ ଦେଇଯିବ ସେହି ସେହି ଅଂଚଳର ବିଜେପିର ସଦସ୍ୟ ଓ କର୍ମକର୍ତା ମଧ୍ୟ ଯୋଗ ଦେବେ ବୋଲି ଶ୍ରୀ ବକ୍ସିପାତ୍ର ସୂଚନା ଦେଇଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ତିନି କୃଷି ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ଡିସେମ୍ବର ଠାରୁ ଫେବ୍ରୁଆରୀ ଶେଷ ଯାଏଁ “ମଣ୍ଡିଚାଲ” ଅଭିଯାନ ଆରମ୍ଭ କରାଯିବ । ବର୍ତମାନ ଯାଏଁ ଖୋର୍ଦ୍ଧା ସମେତ ଅନେକ ସ୍ଥାନରେ ମଣ୍ଡି ଆରମ୍ଭ ହୋଇନାହିଁ । ଚାଷୀ ଧାନ ଧରି ଜଗି ରହିଛନ୍ତି ।

କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ୍ ପିଛା ୧୮୬୮ ଟଙ୍କା ରଖିଛନ୍ତି । ତେବେ ରାଜ୍ୟର ୩୫୦୦ ମଣ୍ଡିରେ ଚାଷୀଙ୍କୁ ଏହି ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନାହିଁ । ଧାନ ସଂଗ୍ରହ କରିବା ବେଳେ କାଂଟଛାଂଟ ଆଳରେ ପ୍ରତି କ୍ୱିଂଟାଲ୍ ପିଛା ୫ରୁ ୭ କିଲୋଗ୍ରାମ ଧାନ କମାଇ ଦିଆଯାଉଛି । ଏହି ଟଙ୍କାର ୩ ଭାଗ ଅର୍ଥ ବିଜେଡିର ପାଣ୍ଠୀକୁ ଯାଉଥିବା ବେଳେ ୨ ଭାଗ ପ୍ରଶାସନିକ ଅଧିକାରୀ ଓ ସମବାୟ ସମିତିର କର୍ମଚାରୀ ହଡ଼ପ କରିନେଉଛନ୍ତି । ମଣ୍ଡିରେ ବସ୍ତା, ଧାନ ଓହ୍ଲାଇବା- ଚଢ଼ାଇବା, ବସ୍ତା ବାନ୍ଧିବା ପାଇଁ ସୂତା, ମଣ୍ଡିରେ ରହଣୀ ସମୟରେ ଚାଷୀଙ୍କ ପାଇଁ ଚାହାପାଣିର ବ୍ୟବସ୍ଥା ନେଇ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ଟଙ୍କାରୁ କାଣିଚାଏ ମଧ୍ୟ ଖର୍ଚ୍ଚ କରୁନାହାନ୍ତି । ଚାଷୀଙ୍କ ଟଙ୍କା ଖାଇ ରାଜନୀତି କରୁଛନ୍ତି । କୃଷି ବିଲ୍ ସଂସଦରେ ଗୃହୀତ ହେବା ବେଳେ ସମର୍ଥନ କି ବିରୋଧ କଲେନାହିଁ । କିନ୍ତୁ ଭାରତବନ୍ଦରେ କରୋନାକୁ ଆଢ଼ୁଆଳ କରି ସମର୍ଥନ ଜଣାଇଲେ ।

ଯେଉଁମାନେ ଏଭଳି କୃଷକଙ୍କ ଅର୍ଥ ଲୁଟୁଛନ୍ତି ସେମାନେ ନିଜର ଲୁଟ୍ ବନ୍ଦ ହୋଇଯିବା ଭୟରେ ନୂଆ କୃଷି ଆଇନକୁ ବିରୋଧ କରୁଛନ୍ତି । ଏନେଇ ସଚେତନତା ସୃଷ୍ଟି କରିବାକୁ ବିଜେପିର ସମସ୍ତ କାର୍ଯ୍ୟକର୍ତା, ନେତା ରାଜ୍ୟର ସମସ୍ତ ମଣ୍ଡିକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ । ନୂତନ କୃଷି ଆଇନର ଉପକାରିତା ଓ ରାଜ୍ୟ ସରକାରଙ୍କ ଚାଷୀ ଧନ ଲୁଟ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଋଷଭ ନନ୍ଦ, ବିଶ୍ୱରଂଜନ ବଡ଼ଜେନା, ଅନୁ ଚୌଧୁରୀ, ନିକୁଂଜ କିଶୋର ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ସଂଯୋଜକ ଦିଲୀପ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର