ଡୁଙ୍ଗୁରିପାଲି: ଅଘୋଷିତ ବିଦ୍ୟୁତ୍କାଟ୍, ବିଜୁଳି ଦର ବୃଦ୍ଧି ଓ ବିତରକ କମ୍ପାନିର ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଶନିବାର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଶତାଧିକ ବିଜେପି କର୍ମୀ ଚେରୁପାଲି ଗ୍ରିଡ୍ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ଇସ୍ତଫା ଦାବି କରିଥିଲେ। ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ଜିଲ୍ଲା ସମ୍ପାଦକ ହେମନ୍ତ ବିଶ୍ବାଳ, ଶୁଖା ବିଜେପି ମଣ୍ଡଳ ସଭାପତି ସୁରେଶ ପଧାନ, ରାମପୁର ବିଜେପି ମଣ୍ଡଳ ସଭାପତି ରୁପଧର ପଧାନ, ଡୁଙ୍ଗୁରିପାଲି ବିଜେପି ମଣ୍ଡଳ ସମ୍ପାଦକ ବାସୁଦେବ ନାଏକ, ଗୋବିନ୍ଦ ବାରିକ, ପ୍ରବୀର ସାହୁ, ଅଣାକାର ବିଶେଶ୍ବର, ଭରତ ପଧାନ, ସନ୍ୟାସୀ ବାବୁ, ନବକୃଷ୍ଣ ଦନ୍ତା, ଭରତ ବେହେରା, ବେଣୁଧର ବିଶ୍ବାଳ, ସୁନୀଲ ବେହେରା, ରଥ ସାହୁ, ବସନ୍ତ ପତି, ନେହରୁ ପଧାନ, ନିମାଇଁ ଚରଣ ସାହୁଙ୍କ ସହ ସମେତ ବହୁ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ।
ତରଭା:ସାରାରାଜ୍ୟରେ ଘରୋଇ ବିଦ୍ୟୁତ୍ ବିତରକ କମ୍ପାନିର ଶୋଷକ ନୀତି ଏବଂ ବିତରଣରେ ଅନିୟମିତତା ପ୍ରତିବାଦରେ ବିଜେପି ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଶନିବାର ତରଭା ବିଜେପି ପକ୍ଷରୁ ପୂର୍ବତନ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ମହଲାଙ୍କ ନେତୃତ୍ୱରେ ବ୍ଳକ୍ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ବିଜେପି କର୍ମୀମାନେ ତରଭାସ୍ଥିତ କମ୍ପାନି ବିଦ୍ୟୁତ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଗ୍ରିଡ୍ ସବଷ୍ଟେସନ ସମ୍ମୁଖରେ ବିଜେପି କର୍ମୀମାନେ ଅଘୋଷିତ ବିଦ୍ୟୁତ୍ କାଟ, ବକେୟା ବିଲ୍ ଆଦାୟରେ ଜୁଲୁମ ଏବଂ ଉପଭୋକ୍ତା ଶୋଷଣ ନୀତି ବିରୋଧରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। ରାଜ୍ୟ ସରକାର ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ବିଜେପି କର୍ମୀମାନେ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ।
କମ୍ପାନି ସବଷ୍ଟେସନ କାର୍ଯ୍ୟାଳୟକୁ ଯାଇ ଇଏସଓ କୁମୁଦ ବେହେରାଙ୍କୁ ସମସ୍ତ ସମସ୍ୟା ବାବଦରେ ଅବଗତ କରି ତୁରନ୍ତ ଏହାର ସମାଧାନ ଦାବି କରିଥିଲେ। ସରକାର ପଦକ୍ଷେପ ନ ନେଲେ କିମ୍ବା କମ୍ପାନି ଏସବୁ ସମସ୍ୟା ସମାଧାନ ନେଇ ତା’ର ନୀତି ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ଏହି ଆନ୍ଦୋଳନରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଜକିଶୋର ମେଣ୍ଡଲି, ମିଡିଆ ସେଲ ପ୍ରଭାରୀ କଲ୍ୟାଣ ନାଏକ, ମଣ୍ଡଳ ସଭାପତି ମୁଚୁରାମ ମେଣ୍ଡଲି, ପୁରୁଷୋତ୍ତମ ମେହେର, ସୁରେଶ ନାଏକ, ତରଭା ନଗର ସଭାପତି ସୁବାସ ସାହୁ ଓ ମନୋଜ ସାହୁଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଭାଗନେଇ ଥିଲେ।