ରାୟଗଡ଼ା: ଜେଲ୍ ଫେରନ୍ତା ପ୍ରସୂତି ମୃତ୍ୟୁ ଘଟଣାରେ ପୁଲିସ୍-ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷଙ୍କୁ ଘେରିଛି ବିଜେପି। ବିଜେପି ପ୍ରତିନିଧି ଦଳ ଅଣ୍ଡିରାକଞ୍ଚ ଗାଁକୁ ଯାଇ ସୁଲବତୀଙ୍କ ପରିବାରକୁ ସାକ୍ଷାତ କରି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିଛନ୍ତି। ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ବିଜେପି ସମ୍ପୂର୍ଣ୍ଣ ଦାୟୀ କରିବା ସହ କ୍ଷତିପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛି। ଏଥି ସହିତ ଆଇନକୁ ହାତକୁ ନେଇଥିବା ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ନଚେତ୍ ଏହାକୁ ରାଜ୍ୟସ୍ତରୀୟ ଆନ୍ଦୋଳନରେ ପରିଣତ କରିବାକୁ ବିଜେପି ଚେତାବନୀ ଦେଇଛି। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଇଂ. ବଳଭଦ୍ର ମାଝି କହିଛନ୍ତି, ପ୍ରସୂତି ମହିଳା ସୁଲବତୀଙ୍କ ମୃତ୍ୟୁ ମାମଲାକୁ ଚାପି ଦେବା ପାଇଁ ପୁଲିସ୍-ପ୍ରଶାସନ ପକ୍ଷରୁ ସମସ୍ତ ଉଦ୍ୟମ ହୋଇଛି। ଥାନା, ମେଡ଼ିକାଲରୁ ଆବଶ୍ୟକ ସମସ୍ତ କାଗଜପତ୍ରକୁ ଗାଏବ କରି ଦିଆଯାଇଛି। ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ୍ ମହିଳାଙ୍କ ବିରୁଦ୍ଧରେ ୩୦୭ ଦଫା ଲଗାଇ କୋର୍ଟ ଚାଲାଣ କରିଥିଲା। କିନ୍ତୁ ହତ୍ୟା ଉଦ୍ୟମର ଶିକାର ହୋଇଥିବା ପୁଲିସ୍ ଅଧିକାରୀଙ୍କୁ ଆଜି ଥାନା ପରିଦର୍ଶନ ସମୟରେ ବିଜେପି ପ୍ରତିନିଧି ଦଳ ପାଇନଥିଲେ। ଘଟଣା ପରେ ତାଙ୍କର ବଦଳି ହୋଇଯାଇଥିବା କହି ଥାନା ଅଧିକାରୀ ବିଜେପିକୁ କୌଣସି ତଥ୍ୟ ଦେଇନଥିଲେ। ସେହିପରି କୋର୍ଟ ଚାଲାଣ ପୂର୍ବରୁ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମେଡ଼ିକାଲରେ କରାଯିବାର ନିୟମ ରହିଥିଲେ ମଧ୍ୟ ମେଡ଼ିକାଲରେ ଏ ସଂପର୍କିତ କୌଣସି କାଗଜପତ୍ର ନଥିବା ବିଜେପି ପ୍ରତିନିଧି ଦଳକୁ ଡାକ୍ତର କହିଛନ୍ତି। ପୁଲିସ୍ ଆଣିଥିବା କାଗଜରେ ଡାକ୍ତର ସ୍ବାକ୍ଷର କରି ଦେଇଥିବା କହିଛନ୍ତି। ରାତି ୨ଟାରେ ସମସ୍ତ ମହିଳାଙ୍କୁ ଜେଲକୁ ଅଣାଯାଇଥିଲା। ଯାହା ସମ୍ପୂର୍ଣ୍ଣ ନିୟମ ବାହାରେ।
ପୁଲିସ୍ ରାତି ଅଧିଆ ମାଜିଷ୍ଟ୍ରେଟଙ୍କୁ ଉଠାଇ ଅନୁମତି ନେଇ ଜେଲ୍ ପଠାଇଥିବା ବେଳେ ଜେଲର ମଧ୍ୟ କିପରି ନିୟମକୁ ଉଲ୍ଲଂଘନ କରି ଏକ କୋଠରୀରେ ସମସ୍ତ ମହିଳାଙ୍କୁ ରଖିଥିଲେ ବୋଲି ବିଜେପି ପ୍ରଶ୍ନ କରିଛି। ମୃତ ସୁଲବତୀଙ୍କ ୪ ବର୍ଷର ଝିଅଙ୍କ ସହ ସ୍ବାମୀ ଘରେ ଥିବା ବେଳେ ନବଜାତ ଶିଶୁ ପୁତ୍ର ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛି। ସରକାର ଉଚ୍ଚ ଚିକିତ୍ସା ସୁବିଧା ଯୋଗାଇ ଦେଇ ନବଜାତ ଶିଶୁକୁ ବଞ୍ଚାଇବା ପାଇଁ ବିଜେପି ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିକ କହିଛନ୍ତି, କମ୍ପାନିର ହାତବାରିସ୍ ସାଜି ପୁଲିସ୍ ଉକ୍ତ ଅଞ୍ଚଳରେ କାମ କରୁଛି। ଆବଶ୍ୟକତା ନଥିବା ସତ୍ତ୍ବେ କମ୍ପାନିର ସୁରକ୍ଷା ଲାଗି ଚାରିପାର୍ଶ୍ବରେ ୩ଟି ଥାନା ପ୍ରତିଷ୍ଠା କରାଯାଇଛି। ଜମି ଅଧିଗ୍ରହଣ ସମୟରେ କମ୍ପାନି ଶାଗମାଛ ଦରରେ ଏକର ପିଛା ୧ ଲକ୍ଷ, ଦେଢ଼ ଲକ୍ଷ ଦେଇ ଜମି ହାତେଇ ନେଇଛନ୍ତି। ଛତିଶଗଡ଼ ସହ ଅନ୍ୟ ରାଜ୍ୟରେ ଏକର ପିଛା ୧୦ ଲକ୍ଷ କ୍ଷତିପୂରଣ ପ୍ରଦାନ କରୁଛନ୍ତି ସରକାର। ଜମି ହରାଇବା ପରେ ବିସ୍ଥାପିତ ସର୍ବହରା ହୋଇ ପଡିଥିବା ବେଳେ କାମ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଛି କମ୍ପାନି।
ମାମଲାରେ ପୁଲିସ୍ ତଦନ୍ତ ଉପରୁ ଭରସା ହଟି ଯାଇଥିବାରୁ ତୁରନ୍ତ ଅଣ୍ଡିରାକଞ୍ଚ ଥାନା ଅଧିକାରୀ, ଏସଆଇଙ୍କ ବଦଳି ସହ ଘଟଣାର ନ୍ୟାୟିକ ତଦନ୍ତ କରିବାକୁ ବିଜେପି ଦାବି କରିଛି। ଏଥି ସହିତ ସୁଲବତୀଙ୍କ ସ୍ବାମୀକୁ ଚାକିରି, ଝିଅ ଓ ନବଜାତ ଶିଶୁପୁତ୍ରର ପାଠପଢ଼ା ସହ ସମସ୍ତ ଦାୟିତ୍ବ କମ୍ପାନି ନେବା ସହିତ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝି, ରାୟଗଡ଼ା ପ୍ରଭାରୀ ଗୋବିନ୍ଦ ଜୈନ୍, ଜିଲ୍ଲା ସାଧାରଣ ସଂପାଦକ କିଶୋର ପଣ୍ଡା, ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ନଗର ସଭାନେତ୍ରୀ ମଞ୍ଜୁଳା ମିଣିଆକା, ନଗର କମିଟି ସାଧାରଣ ସଂପାଦକ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।