ଟିକାଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ତାତିଲା ବିଜେପି

ନବୀନଙ୍କ ଫଟୋ ଥିବା କଟଆଉଟକୁ ଭାଙ୍ଗି ଫୋପାଡ଼ିଦେଲେ କର୍ମୀ

ବାରିପଦା: ଟିକାଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ତାତିଛି ବିଜେପି। କେନ୍ଦ୍ର ସରକାର ରାଜ୍ୟକୁ ଟୀକା ଯୋଗାଉଥିବା ବେଳେ ବିଜେଡ଼ି ଏହାକୁ ନେଇ ବିଜେଡି ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛି ଦଳ। ଆଜି ଏନେଇ ବାରିପଦାରେ ଏକ ଟିକାଦାନ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଜିଲ୍ଲାରେ ଚାଲିଥିବା ୧୮ରୁ ୪୪ ବର୍ଷ ବୟସର ଯୁବବର୍ଗଙ୍କୁ ଟିକାକରଣ ପ୍ରକ୍ରିୟାରେ ପ୍ରଶାସନ ପକ୍ଷରୁ ବାରିପଦା ସହରର ଭଞ୍ଜପୁର ହାଇସ୍କୁଲ ପରିସରରେ ଏକ ଟିକା କେନ୍ଦ୍ର ଖୋଲା ଯାଇଛି । ଉକ୍ତ ଶିବିରରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟ-ଆଉଟକୁ ନେଇ ଆଜି ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଟିକାକରଣ କେନ୍ଦ୍ରରେ ଟିକାଦାନ କାର୍ଯ୍ୟ ଜାରି ରହିଥିବା ବେଳେ ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶର ଟୁଡ଼ୁ, ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ପୂର୍ବ ଭାଗର ସଭାପତି କାନ୍ଦ୍ରା ସୋରେନ, ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସମେତ ବିଜେପିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ କେନ୍ଦ୍ର ଭିତରକୁ ପଶିଥିଲେ।  ଶିବିର ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ କଟଆଉଟ କାହିଁକି ଲଗାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଏହି ସମୟରେ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ଟୀକାକରଣ ପ୍ରକ୍ରିୟା ଜାରି ରହିଥିବାରୁ କେନ୍ଦ୍ର ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବାରମ୍ବାର ଅନୁରୋଧ କରିବା ସହ ସାଂସଦ ଶ୍ରୀ ଟୁଡ଼ୁଙ୍କ ପଥକୁ ଓଗାଳିଥିଲେ ।

ମାତ୍ର ଥାନା ଅଧିକାରୀ ଶ୍ରୀ ସେନାପତିଙ୍କ ଆକଟକୁ ଅଣଦେଖା କରି କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀଙ୍କ କଟଆଉଟ ହଟାଇବାକୁ ସାଂସଦ ଶ୍ରୀ ଟୁଡ଼ୁ କହୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କଟଆଉଟକୁ ଜୋର ଜବରଦସ୍ତ ଭାବେ କର୍ମୀମାନେ ନେଇ ଆସି ତାହାକୁ ଭାଙ୍ଗି ଫୋପାଡ଼ି ଦେଇଥିଲେ। ପୁଣି ତାହାକୁ ଗୋଟାଇ ଶିବିରରୁ ନେଇଯାଇଥିଲେ। ହୀନ ରାଜନୀତି କରିବାରେ ବିଜେଡି ପଶ୍ଚିମବଙ୍ଗର ଟିଏମସି ବଳିଗଲା ବୋଲି ସାଂସଦ ଶ୍ରୀ ଟୁଡୁ ଅଭିଯୋଗ କରିଛନ୍ତି।

ଟିକାଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଛବି ଥିବା ଏକ କାର୍ଡ ମଧ୍ୟ ଦିଆଯାଉଛି। ନବୀନଙ୍କ ଫଟୋ ଥିବା ବ୍ୟାନର ହୋର୍ଡିଂ ଆଦି ରଖାଯାଉଛି। ମାତ୍ର ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖାଯାଉନାହିଁ। ଯାହାକି ନିହାତି ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି ସାଂସଦ ଶ୍ରୀ ଟୁଡୁ ମତବ୍ୟକ୍ତ କରିଛନ୍ତି। ବିଜେପି ମୁଖ୍ୟମନ୍ତ୍ରୀଙ୍କ କଟଆଉଟ ଲାଗିବାକୁ ବିରୋଧ କରୁନାହାନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ କଟଆଉଟ ଲାଗୁଛି ତେବେ ପ୍ରଧାନମନ୍ତ୍ରୀଙ୍କ କଟଆଉଟ କାହିଁକି ଲଗାଗଲା ନାହିଁ ।

ଏଥି ସହିତ କେନ୍ଦ୍ର ରାଜ୍ୟକୁ ଟିକା ଯୋଗାଉଥିବା ବେଳେ ବିଜେଡ଼ି ଏହାକୁ ନେଇ ଚଳାଇଥିବା ଶସ୍ତା ରାଜନୀତିକୁ ବିଜେପି ବିରୋଧ କରୁଛି ଏବଂ ବିଜେଡ଼ି ଏଥିରୁ ନିବୃତ୍ତ ରହିବାକୁ ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ପୂର୍ବ ଭାଗର ପୂର୍ବତନ ସଭାପତି  କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ଜିଲ୍ଲାର ବାରିପଦା, ଖୁଣ୍ଟା, ଉଦଳା ଆଦି ଅଞ୍ଚଳରେ ମଧ୍ୟ ଟିକାଦାନ କେନ୍ଦ୍ରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିଜେପି ପକ୍ଷରୁ ବିରୋଧ ହୋଇଥିବା ଜିଲ୍ଲା ସଭାପତି କାନ୍ଦରା ସୋରେନ କହିଛନ୍ତି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉକ୍ତ ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର