ବଢି ଚାଲିଛି ପରୀ ହତ୍ୟାକାଣ୍ଡ ତାତି: ନୟାଗଡ଼ ଗସ୍ତରେ ବଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ 

ନୟାଗଡ଼: ନୟାଗଡ଼ର ନାବାଳିକା ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ଉଠୁଛି ପଡ଼ୁଛି। ବିରୋଧୀ ଦଳ ବିଜେପି ଏନେଇ ଏବେ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଛି। ଅଭିଯୁକ୍ତକୁ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବା ଅଭିଯୋଗରେ ବିଜେପି ବିଧାନସଭାରେ ତମ୍ବତୋଫାନ କରିଥିବା ବେଳେ ଆଜି ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୟାଗଡ଼ରେ ଆସି ପହଞ୍ଚିଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ନେତୃତ୍ବରେ ଏହି ଟିମ୍ ଆସି ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନୀ ସାହୁଙ୍କ ଭେଟିଛନ୍ତି। ବିଜେପିର ଏଭଳି ଗସ୍ତକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ପରୀ ପରିବାର ଠାରୁ ବିଜେପି ଟିମ୍ ସମସ୍ତ ଘଟଣା ପଚାରି ବୁଝିବା ସହିତ ପରୀ ଶବ ଉଦ୍ଧାର ହୋଇଥିବା ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି।

କ୍ରାଇମବ୍ରାଞ୍ଚ ହେଉ କି ଏସଆଇଟି ତଦନ୍ତ କରି ପରୀ ପରିବାରକୁ ନ୍ୟାୟ ପ୍ରଦାନ କରିବନି ବରଂ ଶାସକ ଦଳକୁ ଏହା ସୁରକ୍ଷା ଦେବ ବୋଲି ବିଜେପି ଟିମ୍ କହିଛି।  ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ବିଜେପି ଦାବି କରିଛି।

ବିଜେପିର ଏହି ଉଚ୍ଚସ୍ତରୀୟ  ପ୍ରତିନିଧି ଦଳ ଗସ୍ତ ସମୟରେ ଜିଲ୍ଲା ବିଜେପି ସଭାପତି ଲାଲାମନୋଜ ରାୟ, ସନ୍ତୋଷ ପ୍ରଧାନ,  ପୂର୍ବତନ ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣଚଦ୍ର ନାୟକ,  ସିଦ୍ଧାର୍ଥ ଶେଖର ସିଂହ, ଇରାନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ କେଉଁଆଡେ ନିଖୋଜ ହୋଇ ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା ସେ।  ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଏଭଳି ସ୍ଥିତିରେ ସେହିମାସ ୨୩ରେ  ପରୀ ଶବ ଉଦ୍ଧାର ହୋଇଥିଲା।  ଦୀର୍ଘ ୪ ମା୍ସ ଧରି  ପୁଲିସ ଅନୁସନ୍ଧାନ କରୁଥିବା କହୁଥିଲେ ମଧ୍ୟ ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଫେଲ୍ ମାରିଥିଲା।

ଅଭିଯୁକ୍ତ ବିଜେଡି ଦଳର ହୋଇଥିବାରୁ ଓ ସେମାନଙ୍କୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା  ଅଭିଯୋଗ ଆସିଥିଲା। ଏଭଳି ସ୍ଥିତିରେ ପରୀ ବାପା, ମା’ ଗତ ମଙ୍ଗଳବାର ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାର  କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର