ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ଘଟଣା: ଦଳୀୟ କର୍ମୀଙ୍କ ଥାନା ଘେରାଉ

ଦେବଗଡ଼: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପରେ ଦଳୀୟ କର୍ମୀମାନେ ଦେବଗଡ଼ ଥାନା ଘେରାଉ କରିଛନ୍ତି। ଏଥି ସହିତ ବିଜେପି କର୍ମୀମାନେ ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଆଜି ସନ୍ଧ୍ୟାରେ ବିଜେପି କର୍ମୀମାନେ ଥାନା ଘେରାଉ କରିବା ସହ କହିଛନ୍ତି, ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ତୁରନ୍ତ ଗିରଫ କରାଯାଉ। ବିଡିଓ ଶ୍ରୀ ଦଳପତିଙ୍କ ବିରୋଧରେ ବିଧାୟକଙ୍କ ପକ୍ଷରୁ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରୁନାହିଁ। ବିଜେପି କର୍ମୀମାନେ ବିଧାୟକଙ୍କ ଗିରଫକୁ ତୀବ୍ର ନିନ୍ଦା କରିଛନ୍ତି।

ବିଜେପିର ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, କେନ୍ଦୁଝର ବିଧାୟକ ମୋହନ ମାଝି, ତଲସରା ବିଧାୟକ ଭବାନୀ ଭୋଇ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକଙ୍କ ସମେତ ଦଳୀୟ କର୍ମୀମାନେ ଥାନା ଘେରାଉ ସମୟରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ନରେ ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜର କିଛି ସମର୍ଥକଙ୍କ ସହିତ ତିଲେଇବଣି ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ  କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହେବା ପରେ ଆହତ ଶ୍ରୀ ଦଳପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହେବା ପରେ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗରେ ଶ୍ରୀ ଦଳପତି କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡ଼ି ଗ୍ରାମକୁ ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ତହସିଲଦାର ପଲ୍ଲବୀ ନାୟକ, ସୁପରଭାଇଜର ହୃଦାନନ୍ଦ ସାହୁ, ରାଜସ୍ୱ ନିରୀକ୍ଷକ ଜଲିରାନୀ ପ୍ରଧାନ ଏବଂ ଛେପିପାଲି ଗ୍ରାମ ରୋଜଗାର ସେବକ ଜଗନ୍ନାଥ ସାହୁଙ୍କ ସହ ପହଞ୍ଚି ଉକ୍ତ ଗ୍ରାମରେ ତଦନ୍ତ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ୩ଟି ମୋବାଇଲ ଫୋନ୍ରୁ ଲଗାତାର କଲ୍ ଆସିଥିଲା। ଫୋନ୍ କରୁଥିବା ବ୍ୟକ୍ତିମାନେ ବିଡିଓଙ୍କୁ କହିଥିଲେ ଯେ, ବିଧାୟକଙ୍କୁ ଦେଖା କରନ୍ତୁ। କିନ୍ତୁ ବିଡିଓ ବ୍ୟସ୍ତ ଥିବାରୁ ପରେ ଦେଖା କରିବାକୁ କହିଥିଲେ।

ବିଡିଓ ଶ୍ରୀ ଦଳପତି ଅଭିଯୋଗରେ କହିଛନ୍ତି ଯେ, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ସହଯୋଗୀମାନଙ୍କ ସହିତ ସେଠାରେ ପହଞ୍ଚି ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଆଶାଳୀନ ବ୍ୟବହାର ସହିତ ଜାତିଆଣ ଆକ୍ଷେପ କରିଥିଲେ। ସେହିପରି ବଳପୂର୍ବକ ମତେ ଉଠାଇ ନେଇ ବିଧାୟକଙ୍କ ଗାଡ଼ି ଭିତରେ ଭର୍ତ୍ତି କରିଦେଇଥିଲେ। ସେଠାରୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ। ମୋର ମୋବାଇଲ୍ ଫୋନ୍, ଡାଏରୀ ଓ ଅନ୍ୟ ସରକାରୀ କାଗଜପତ୍ର ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ମୋର ସହଯୋଗୀମାନେ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ।

ସମ୍ବନ୍ଧିତ ଖବର