ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ଖଣ୍ଡପ୍ରଳୟ: ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଗୁରୁତର

ବିଜେପି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପୁଅ ଆହତ, ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍ ନିକଟରେ କଳା ପତାକା ଦେଖାଉଥିଲେ

ବାରିପଦା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଅବସରରେ ବାରିପଦାରେ ଖଣ୍ଡପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଭା ଆରମ୍ଭ ପର୍ଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲା। ଯଦିଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ବିଜେପି ଏବଂ ଅନ୍ୟ କିଛି ସଂଗଠନ ବିରୋଧ କରିବ ବୋଲି ପୂର୍ବରୁ ସୂଚନା ଥିଲା। ତେଣୁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଆଜି ପୁଲିସ୍ ସକାଳୁ କିଛି ବିଜେପି ନେତ୍ରୀଙ୍କୁ ଘରୁ ଆଣି ଥାନାରେ ଅଟକ ରଖିଥିଲା। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସଭା ଆରମ୍ଭ ହେବାର କିଛି ସମୟ ପରେ ପ୍ରଥମେ ବିଜେପି ଜିଲ୍ଲା ସଭାନେତ୍ରୀ ସରୋଜିନୀ କିସ୍କୁ, କୌଶଲ୍ୟା ନାୟକ, ହେମଲତା ଦାସ, ସୁଜାତା ଷଡ଼ଙ୍ଗୀ ପ୍ରମୁଖ ପୁଲିସକୁ ଚକ୍ମା ଦେଇ କଳା ଶାଢ଼ୀ ପିନ୍ଧି ସଭାସ୍ଥଳ ନିକଟରେ ପହଞ୍ଚିଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ନାରାବାଜି କରିଥିଲେ। ମାତ୍ର ପୁଲିସ୍ ଏହାକୁ ନିୟନ୍ତ୍ରଣକୁ ନେଇ ଆନ୍ଦୋଳନକାରୀ ନାରୀ ନେତ୍ରୀଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ତେବେ ପ୍ରକୃତ ଖେଳ ମୁଖ୍ୟମନ୍ତ୍ରୀ ସଭା ସାରି ହେଲିପ୍ୟାଡକୁ ଗଲାପରେ ଦେଖିବାକୁ ମିଳିଥିଲା। ହଠାତ୍ ବିଜେପି ଯୁବମୋର୍ଚ୍ଚାର କିଛ କାର୍ଯ୍ୟକର୍ତ୍ତା ହାତରେ କଳା ପତାକା ଧରି ହେଲିପ୍ୟାଡ୍ ଦିଗରେ ଦୌଡ଼ିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି ମଧ୍ୟ କରିଥିଲେ। ତେବେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବିଜେଡି ଛାତ୍ର ଏବଂ ଯୁବ ସଂଗଠନର କିଛି କର୍ମକର୍ତ୍ତା କଳାପତାକା ଦେଖାଉଥିବା ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ୍ ଉପସ୍ଥିତିରେ ଏପରି ସ୍ଥିତି ଉପୁଜିଥିଲା। ତେବେ କିଛି ସମୟ ମଧ୍ୟ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣକୁ ଆଣି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି କର୍ମକର୍ତ୍ତାଙ୍କ କବଳରୁ ଉଦ୍ଧାର କରିଥିଲା। ତେବେ ଏହି ଆକ୍ରମଣ ଘଟଣାରେ ବିଜେପି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ପୁଅ ତଥା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁରଜ ସୂର୍ଯ୍ୟବଂଶୀ, ଭଦ୍ରକ ବିଜେପି ଯୁବନେତା ଦେବାଂଶୁ ରାଉତ, ମୟୂରଭଞ୍ଜ ବେତନଟୀ ବ୍ଲକ୍ର ଯୁବନେତା କୁନା ମହାନ୍ତ, ଦିଲୁ ଦାସ ପ୍ରମୁଖ ଗୁରୁତର ଆହତ ହୋଇଥିଲେ। ସୁରଜଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ କୁନା ମହାନ୍ତଙ୍କ ମୁହଁ ଫାଟିଯାଇଛି। ଆହତମାନେ ପିଆରଏମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ନେଇ ବାରିପଦାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

 

 

ସମ୍ବନ୍ଧିତ ଖବର