ଚାକିରି ସର୍ତ୍ତାବଳୀର ଖିଲାପ ପ୍ରତିବାଦରେ ବିଦ୍ୟୁତ୍ କର୍ମଚାରୀଙ୍କ କଳାବ୍ୟାଜ୍ ପରିଧାନ

ଖୋର୍ଦ୍ଧା: ରାଜ୍ୟ ବିଦ୍ୟୁତ୍ ବୋର୍ଡ ଭାଙ୍ଗିବା ସମୟରେ ଓଏସ୍ଇବିରେ କାମ କରୁଥିବା କର୍ମଚାରୀଙ୍କୁ ଯେଉଁ ସର୍ତ୍ତାବଳୀ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ତା’ର ଖିଲାପ ହେଉଥିବା ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାବ୍ୟାଜ୍ ପରିଧାନ କରିଛନ୍ତି । ଆଜିର ବିକ୍ଷୋଭ ସମ୍ପର୍କରେ ସୂଚନା ଦେଇ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ା କହିଛନ୍ତି ଯେ ରାଜ୍ୟର ବିଦ୍ୟୁତ୍ ବୋର୍ଡ ଭାଙ୍ଗିବା ସମୟରେ ଏଥିରେ କାମ କରୁଥିବା କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ଓଏସ୍ଇବିର ଚାକିରି ସର୍ତ୍ତାବଳୀ ଠାରୁ କୌଣସି ଗୁଣରେ କମ୍ ହେବନାହିଁ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ।

କିନ୍ତୁ ଓଡ଼ିଶା ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ବର୍ତ୍ତମାନ ଏହି ପ୍ରତିଶ୍ରୁତିର ଖିଲାପ କରିଛି । ଗ୍ରୁପ୍ ସି ବର୍ଗର କର୍ମଚାରୀଙ୍କ ପଦୋନ୍ନତି ସମୟରେ ଲିଖିତ ପରୀକ୍ଷା ଦେବାର ବ୍ୟବସ୍ଥା ନଥିବାବେଳେ ଓପିଟିସିଏଲ୍ ଏହାର ସବୁଠାରୁ ତଳିଆ କର୍ମଚାରୀ ଓ ଗ୍ରୁପ୍ ସି କର୍ମଚାରୀଙ୍କ ପାଇଁ ପଦୋନ୍ନତି ସମୟରେ ଲିଖିତ ପରୀକ୍ଷା, ସାକ୍ଷାତକାର ପରୀକ୍ଷା ଭଳି ସର୍ତ୍ତ ରଖିଛି ।

ଓପିଟିସିଏଲର ଅଧିକାରୀମାନେ ବିନା ପରୀକ୍ଷାରେ ପଦୋନ୍ନତି ପାଉଥିବାବେଳେ ତଳିଆ କର୍ମଚାରୀଙ୍କ ପ୍ରତି କାହିଁକି ଏଭଳି ପାତରଅନ୍ତର ନୀତି ଲାଗୁ କରାଯାଇଛି ବୋଲି ଶ୍ରୀ ପରିଡ଼ା ଆପତ୍ତି ଉଠାଉଛନ୍ତି । ଆଜି ଏହି ନିୟମର ପ୍ରତୀକାତ୍ମକ ଭାବେ କଳାବ୍ୟାଜ୍ ପିନ୍ଧି କର୍ମଚାରୀମାନେ ବିରୋଧ କରିଛନ୍ତି । ସଂସ୍ଥା ନିଜର କର୍ମଚାରୀ ବିରୋଧୀ ନୀତି ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଭାପତି ଏନସି ରାୟଗୁରୁ କହିଛନ୍ତି ।

ସମ୍ବନ୍ଧିତ ଖବର