ବଲାଙ୍ଗୀରରେ କଳାପଲ୍ସର ଆତଙ୍କ, ମାଉଜର ଦେଖାଇ ଲୁଟି ନେଲେ ସାଢ଼େ ୩ ଲକ୍ଷ ଟଙ୍କା

ବଲାଙ୍ଗୀର: ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବଲାଙ୍ଗୀର ରେଲେଓ୍ଵ ଷ୍ଟେସନ ରୋଡ୍‌ରେ ଦୁର୍ବୃତ୍ତମାନେ ମାଉଜର ଦେଖାଇ ସାଢ଼େ ୩ଲକ୍ଷ ଟଙ୍କା ଲୁଟି ଦେଇଛନ୍ତି। ଖବର ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ରେଳଷ୍ଟେସନର ଟିକେଟ କାଉଣ୍ଟରରୁ ଆଦାୟ ହୋଇଥିବା ଟଙ୍କାକୁ ସିଏମଏସ ନାମକ ଏକ କମ୍ପାନି ସଂଗ୍ରହ କରି ନିଜ ଗାଡ଼ିରେ ନେଇ ବ୍ୟାଙ୍କରେ ଜମା କରିଥାଏ। ଆଜି କିନ୍ତୁ ସିଏମଏସ କମ୍ପାନିର ଜଣେ କର୍ମଚାରୀ ଜୀବର୍ଦ୍ଧନ ରଣା ନିଜ ବାଇକରେ ଆସି ରେଲବାଇ କର୍ତ୍ତୃପକ୍ଷଙ୍କ ଠାରୁ ୩ ଲକ୍ଷ ୫୫ ହଜାର ୫ଶହ ୨୩ ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ଡିପୋଜିଟ୍‌ କରିବାକୁ ଯାଉଥିବା ବେଳେ ରେଳଷ୍ଟସନ ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଦୁର୍ଗାମଣ୍ଡପ ସମ୍ମୁଖରେ ୨ଟି ପଲସର ବାଇକରେ ଆସି ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତାଙ୍କ ଠାରୁ ସମସ୍ତ ଟଙ୍କା ଲୁଟି ନେଇ ଖଜେନପାଲି ଆଡକୁ ପଳାଇ ଯାଇଥିଲେ। ଏ ନେଇ ଶ୍ରୀ ରଣା ରେଳବାଇ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ କରିଛି। ତେବେ ସିଏମଏସ କମ୍ପାନି ନିଜ ଗାଡ଼ି ନ ପଠାଇ କାହିଁକି ବାଇକରେ ଟଙ୍କା ନେବା ପାଇଁ କର୍ମଚାରୀଙ୍କୁ ପଠାଇ ଥିଲା ବୋଲି କମ୍ପାନି ବିରୋଧରେ ଅଭିଯୋଗ ହେଉଥିବା ବେଳେ କଳା ପଲ୍ସର ଆତଙ୍କ ଏବେ ବଲାଙ୍ଗୀର ପୁଲିସର ଅପରାଗ ପଣିଆକୁ ପଦାରେ ପକାଇଛି ଓ ଲୋକେ ନିଜ ଧନଜୀବନ ପାଇଁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ସମ୍ବନ୍ଧିତ ଖବର