ସୁନ୍ଦରଗଡ଼ : ହେମଗିର ବ୍ଲକରୁ ଛତିଶଗଡ଼କୁ ସଂଯୋଗ କରୁଥିବା ବାଙ୍କିବାହାଲ-ଟପରିଆ ରାସ୍ତା କଡ଼ସ୍ଥିତ ୧୧ରୁ ଅଧିକ ଗାଁରେ ଗତ ୮ ବର୍ଷ ହେଲା କୋଇଲା ପରିବହନଜନିତ କଷଣ ଓ କୋଇଲାର କଳା ଧୂଳିରେ ଜମିର ସୁନା ଧାନ, ପନିପରିବା କଳା ପାଲଟିଯାଉଥିବା ଅଭିଯୋଗ ରହିଛି। ଏ ସମ୍ବେଦନଶୀଳ ଖବର ଗତ ୧୮ ତାରିଖ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିର୍ଦ୍ଦେଶରେ କୃଷି ବୈଜ୍ଞାନିକ ଓ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଟିମ୍ ରତନସରା, ରତନପୁର, ଛତାବର, ଲୁଆବାହାଲ, କନ୍ଦାଧୁଡ଼ା, ବିଲେଇମୁଣ୍ଡା ଗ୍ରାମକୁ ଯାଇ କୋଇଲା ଗୁଣ୍ଡ ଓ ଖଣିଜଦ୍ରବ୍ୟ ପରିବହନଜନିତ ରାସ୍ତାର ଧୂଳି ଚାଷୀଙ୍କ ଧାନକୁ କେମିତି କଳା କରୁଛି, ତାକୁ ଦେଖିଥିଲେ। ଏହି ସମୟରେ ଲୋକମାନେ କଳା ଧାନ ସହ ପ୍ରଦୂଷଣରେ କଳା ରଙ୍ଗ ଧାରଣ କରିଥିବା ଶାଗ ଓ ପନିପରିବା ଦେଖାଇଥିଲେ। ଏହାର ଚାଉଳର ରଙ୍ଗ ସାଧାରଣ ଚାଉଳ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିବା ଟିମ୍ ଦେଖିଥିଲେ। କୋଇଲା ପରିବହନଜନିତ ପ୍ରଦୂଷଣ ମାଟି, ପାଣି, ପବନକୁ ବିଷାକ୍ତ କରୁଥିବା ଲୋକେ ଜହର ପିଇ ଶୋଚନୀୟ ଓ ଅନିଶ୍ଚିତ ଜୀବନ ଜିଉଁଥିବା ଅଭିଯୋଗ କରିଥିଲେ। ବାଙ୍କିବାହାଲରୁ ଟପରିଆ ୨୬ କିଲୋମିଟର ରାସ୍ତାରେ ଉଭୟ ପାର୍ଶ୍ବର ପ୍ରାୟ ୩ କିଲୋମିଟର ଅଞ୍ଚଳ ପ୍ରଦୂଷଣ ବଳୟରେ ଥିବା ଟିମ୍ ଦେଖିଥିଲେ। ସେହିପରି ଅଞ୍ଚଳର ଲୋକେ ଚର୍ମ ଓ ଶ୍ବାସ ରୋଗରେ ପଡ଼ିଥିବା ଟିମ୍ ଜାଣିବାକୁ ପାଇଥିଲେ। ଚାଷୀମାନଙ୍କ ସହ ଆଲୋଚନା ପରେ ଲୁଆବାହାଲ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଯୋଗେଶ୍ବର ପ୍ରଧାନଙ୍କୁ ଭେଟି ମଣ୍ଡିରେ ଏହି ଅଞ୍ଚଳର ଚାଷୀଙ୍କ ଧାନ ଗ୍ରହଣ କରା ନଯିବା କାରଣ ପଚାରିଥିଲେ। ଏହି ଅବସରରେ ଅନୁଧ୍ୟାନକାରୀ ଦଳ ପ୍ରଭାବିତ ଚାଷୀଙ୍କ କ୍ଷେତରୁ କିଛି ମାଟି ଓ ଧାନ ସଂଗ୍ରହ କରି ନେଇଥିଲେ। ଟିମ୍ରେ କିରେଇ କୃଷି ବିଜ୍ଞାରନକେନ୍ଦ୍ରର ବୈଜ୍ଞାନିକ ମନୋଜ କୁମାର ଜେନା, ହେମଗିର ସହ କୃଷି ଅଧିକାରୀ ନବୀନ ଚନ୍ଦ୍ର ପଟେଲ, ହେମଗିର ସହ ଉଦ୍ୟାନକୃଷି ଅଧିକାରୀ ପ୍ରଜ୍ଞାଲୋକ ପ୍ରିୟ ପ୍ରଧାନ, ଗୋପାଳପୁର ସହକୃଷି ଅଧିକାରୀ ଦୀପକ କୁମାର ଭୋଇ, ଲେଫ୍ରିପଡ଼ା ବ୍ଲକ କୃଷି ଅଧିକାରୀ ପୃଥ୍ବୀରାଜ ମଣ୍ଡଳ, ହେମଗିର ବ୍ଲକ୍ କୃଷି ଅଧିକାରୀ ସଚୀକାନ୍ତ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ଏ ସମ୍ପର୍କରେ ଟିମ୍ର ଜଣେ ସଦସ୍ୟଙ୍କୁ ପଚାରିବାରୁ ‘କୋଇଲା ଯୋଗୁଁ ଧାନ ଓ ପନିପରିବା କଳା ହେଉଥିବା ଓ ଜନଜୀବନ ଅଣନିଃଶ୍ବାସୀ ହୋଇପଡ଼ିଥିବା ଅଭିଯୋଗରେ ସତ୍ୟତା ଅଛି’ ବୋଲି କହିଥିଲେ। ସୂଚନାଯୋଗ୍ୟ, କୋଇଲା ପରିବହନଜନିତ ପରିବେଶ ପ୍ରଦୂଷଣରେ ସାରା ଅଞ୍ଚଳ ଅଣନିଃଶ୍ବାସୀ ହୋଇପଡ଼ିଥିବା ବେଳେ କୋଇଲା ଗୁଣ୍ଡ ଓ ରାସ୍ତା ଧୂଳିର ଆସ୍ତରଣ ଏକର ଏକର ଧାନକୁ କଳା କରିଦେଇଛି। ଧାନ ଫସଲର ରଙ୍ଗ ଏତେ କଳା ଯେ, ତାକୁ ଧୋଇଲେ ବି ଛାଡ଼ୁନି। ଏପରିକି ଧାନକୁ ସିଝାଇଲେ ମଧ୍ୟ କଳା ହୋଇଯାଉଥିବାରୁ ତାକୁ ଖାଦ୍ୟ ରୂପେ ଗ୍ରହଣ କରିବାକୁ ଚାଷୀମାନେ ନିରାପଦ ମଣୁ ନାହାନ୍ତି। ତା’ ଛଡ଼ା ସରକାରୀ ମଣ୍ଡିରେ ବି ଧାନ ବିକ୍ରି ଯୋଗ୍ୟ ହୋଇ ନପାରି ଫେରି ଆସୁଛି। ୮ ବର୍ଷ ହେଲା ଏହି ଦୁଃଖ ଭୋଗୁଥିବା ଚାଷୀ ଗତ ଦୁଇ ବର୍ଷ ହେଲା କ୍ଷତିପୂରଣ ଦାବି କରି ଆସୁଛନ୍ତି। ଏହିକ୍ରମରେ ହାଇକୋର୍ଟଙ୍କ ଆଦେଶରେ ସ୍ଥାନୀୟ ରାଜସ୍ବ ବିଭାଗ ୧୧ଟି ଗାଁର ୨୫୪ ଜଣ ଚାଷୀଙ୍କ ୪୨୬.୯୬ ଏକର ଜମିର ଫସଲ କୋଇଲା ପରିବହନ ଯୋଗୁଁ ନଷ୍ଟ ହେଉଥିବା ଆକଳନ କରି ରିପୋର୍ଟ ଦେଇଛି। କିନ୍ତୁ ଏଯାଏ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇ ନାହିଁ। ତେବେ ସ୍ବତନ୍ତ୍ର ଟିମ୍ ଅନୁଧ୍ୟାନ ରିପୋର୍ଟ ଦେବା ପରେ ଜିଲ୍ଲା କୃଷି ବିଭାଗ ପ୍ରଭାବିତ ଚାଷୀଙ୍କ ପାଇଁ କି ପଦକ୍ଷେପ ନେବେ ତାକୁ ଦେଖିବାକୁ ବାକି ରହିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp