କୁଜଙ୍ଗ: ଜଗତସିଂହପୁର ଜିଲ୍ଲାରେ ଏକ ଲୁଟେରା ଗ୍ୟାଙ୍ଗ୍‌ ବ୍ୟାଙ୍କ୍‌ ଯାଉଥିବା ଲୋକଙ୍କୁ ଟାର୍ଗେଟ୍‌ କରି ବାଇକ୍ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ଫେରାର ହୋଇ ଯାଉଛନ୍ତି। ନିକଟରେ କୁଜଙ୍ଗ ଷ୍ଟେଟ୍‌‌ବ୍ୟାଙ୍କ୍‌ ଶଖାରୁ ନିଜ ଝିଅ ବାହାଘର ପାଇଁ ୩ ଲକ୍ଷ ଟଙ୍କା ଉଠାଇ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ଲୁଟେରା ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ ସିସି କ୍ୟାମେରା ଫୁଟେଜ୍‌କୁ ନେଇ ଯାଞ୍ଚ ଚଳାଇଥିଲେ ସୁଦ୍ଧା ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଆରକ୍ଷୀ ଅଧୀକ୍ଷକ ଅଖିଳେଶ୍ବର ନିଜେ ଲୁଟେରାଙ୍କ ସମ୍ପର୍କରେ ତନାଘନା ଚଳାଇଛନ୍ତି। ଏହି ଲୁଟେରା ଅନ୍ତରାଜ୍ୟ ଅପରାଧରେ ସଂପୃକ୍ତ ଥିବା ଆଶଙ୍କା କରାଯାଉଛି। ୨ ମାସ ମଧ୍ୟରେ ତିର୍ତୋଲ ଥାନା, କୁଜଙ୍ଗ ଥାନା ଇଲାକାରୁ ଥରେ ଲେଖାଏଁ ଏବଂ ରଘୁନାଥପୁର ଥାନା ଅଞ୍ଚଳରୁ ଦୁଇ ଥର ଲୁଟ୍‌ ହେଲାଣି। ସିସିଟିଭି ଫୁଟେଜ୍‌କୁ ଆଧାର କରି ପୁଲିସ୍‌ ତଦନ୍ତ ଚଳାଇଛି। ଲୁଟେରମାନେ କୌଶଳକ୍ରମେ କେବେ ହେଲମେଟ୍‌ ତ କେବେ ମୁଖା ପିନ୍ଧି ବ୍ୟାଙ୍କ୍‌ ଆଖପାଖରେ ଘୂରି ବୁଲି ଟଙ୍କା ନେଉଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଦୁଇ ଜଣ ଯୁବକ ଏକ କଳା-ନାଲି ଷ୍ଟ୍ରିପ୍‌ଥିବା ପଲସର୍‌ ୨୨୦ରେ ଏପରି ଲୁଟ୍‌ କରିବା ପରେ ଦ୍ରୁତଗତିରେ ଖସିଯାଉଛନ୍ତି। ସେମାନେ ହାତରେ ଧାତବ କଡ଼ା ମଧ୍ୟ ପିନ୍ଧି ପୂରା ଷ୍ଟାଇଲ୍‌ରେ ଆସି ଜନଗହଳିପୂର୍ଣ୍ଣ ବଜାରରେ ବୁଳୁଥିବା କୁହାଯାଉଛି। ପୁଲିସ୍‌ ଏସବୁ ହୁଲିଆ ଯୋଗାଡ଼ କରିଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ ସକ୍ଷମ ହୋଇ ପାରିନାହିଁ। ତେବେ ଜିଲ୍ଲାର ସବୁ ଥାନାକୁ ଏନେଇ ସଜାଗ କରାଯିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେ‌ଲା ଏହି ଦାମିକିଆ ବାଇକ୍‌ର ନମ୍ବର ମଧ୍ୟ ଜାଲ୍‌ ଥିବା ଆଶଙ୍କା କରାଯାଉଛି। ପୁଲିସ୍‌ର ଏପରି ତନାଘନା ପରେ ସେମାନେ ଜିଲ୍ଲା ବାହାରକୁ ପାର୍‌ ହୋଇଯାଉଥିବା ମଧ୍ୟ ଆଶଙ୍କା କରାଯାଉଛି।

Advertisment

ପୁଣି ଡିକି ଭାଙ୍ଗି ୯୦ହଜାର ଟଙ୍କା ଲୁଟିନେଲେ

ରଘୁନାଥପୁର ବଜାରରେ ଗତ ୨ମାସ ମଧ୍ୟରେ ବାଇକ୍‌ ଡିକି ଭାଙ୍ଗି ଲୁଟେରାମାନେ ଯଥାକ୍ରମେ ୨ଲକ୍ଷ ଟଙ୍କା ଓ ୯୦ ହଜାର ଟଙ୍କା ଲୁଟି ନେଇଥିଲେ ହେଁ ଧରାପଡ଼ି ନାହାନ୍ତି। ଗତକାଲି ତାରପୁର ପୁରୁଣାବଜାରରୁ ଆକ୍ଟିଭା ଡିକିଭାଙ୍ଗି ୯୦ ହଜାର ଟଙ୍କା ଲୁଟି ନେଇଥିବା ପୁଲିସ୍‌ ପାଇଁ ଚାଲେଂଜ୍‌ ସଦୃଶ ହୋଇଛି। ପ୍ରକାଶ ଥାଉକି ତାରପୁର ପୁରୁଣା ବଜାରରେ ଚିକିଣିଆ ଗ୍ରାମର କେଦାରନାଥ ସ୍ବାଇଁଙ୍କ ପୁଅ ବିମଳ ତାଙ୍କ ଆକ୍ଟିଭା ରଖି କୌଣସି କାମରେ ବ୍ୟସ୍ତ ଥିଲେ। କାମସାରି ଆସି ଦେଖନ୍ତିତ ଆକ୍ଟିଭା ଡିକି ଭଙ୍ଗା ଯାଇ ସେଥିରେ ଥିବା ୯୦ହଜାର ଟଙ୍କା କେହି ଲୁଟେରା ଲୁଟି ନେଇଛନ୍ତି।ଏନେଇ ବିମଳ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ କୌଣସି ସୁରାକ ପାଇନଥିବା ଜଣାପଡ଼ିଛି।