ବିହାରରୁ ଧରାପଡ଼ିଲା ବ୍ଲାକ୍‌ମେଲର୍‌; ମହିଳାଙ୍କ ନାଁରେ ଖୋଲୁଥିଲା ଫେସ୍‌ବୁକ୍‌ ଆକାଉଣ୍ଟ, ଅଶ୍ଲୀଳ ଫଟୋ ଯୋଡ଼ି କରୁଥିଲା ଅର୍ଥ ଲୁଟ୍‌

ରାଉରକେଲା: ସାମାଜିକ ଗଣମାଧ୍ୟମରେ ବ୍ଲାକ୍‌ମେଲିଂ କରି ଅର୍ଥ ଲୁଟିବା ଏବେ ସାଧାରଣ ଘଟଣା ହୋଇଯାଇଛି। ଠକଦଳ କେତେବେଳେ ହ୍ବାଟ୍‌ସଆପ୍‌ରେ ଅଶ୍ଳୀଳ ଭିଡିଓ କଲ୍‌ କରି ଟଙ୍କା ମାଗୁଥିବାବେଳେ କେତେବେଳେ ଫେସ୍‌ବୁକ୍‌ରେ ବନ୍ଧୁତା ସ୍ଥାପନ କରି ଅର୍ଥ ଲୁଟିବାକୁ ପ୍ରୟାସ କରୁଛନ୍ତି। ଏଭଳି ଏକ ଘଟଣାକୁ ପର୍ଦ୍ଦାଫାସ କରି ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ। ରାଉରକେଲାର ଜଣେଯୁବତୀଙ୍କୁ ସମାନଢ଼ଙ୍ଗରେ ଲୁଟିବାକୁ ଚକ୍ରାନ୍ତ ଚଲାଇଥିବା ବିହାରର ଅଭିଯୁକ୍ତ ମହମ୍ମଦ ଏହସାନ(୨୫)କୁ ଗିରଫ କରି କୋର୍ଟଚାଲାଣ କରିଛି।

୨୦୨୦ ଜୁଲାଇ ୧ ତାରିଖ  ହାତିବାରୀ ଥାନା ଅନ୍ତର୍ଗତ ପୁରୁଣାପାଣି ଅଞ୍ଚଳର ମୂଳବାସିନ୍ଦା ତଥା ସଂପ୍ରତି ଜଗଦା ଅଞ୍ଚଳରେ ରହୁଥିବା ଯୁବତୀ(୧୯)ଙ୍କୁ ଫେସବୁକ୍‌ରେ ଫ୍ରେଣ୍ଡ୍‌ ରିକ୍ବେଷ୍ଟ୍‌ ଆସିଥିଲା। ସୁମନ ଲାକ୍ରା ନାମ୍ନୀ ଜଣେ ଯୁବତୀଙ୍କ ନାଁରେ ଉକ୍ତ ଫେକ୍‌ ଆକାଉଣ୍ଟ୍‌ ଥିବାରୁ ଯୁବତୀ ଜଣକ ତା’ର ବନ୍ଧୁତା ସ୍ଥାପନ ଅନୁରୋଧକୁ ଗ୍ରହଣ କରିଦେଇଥିଲେ। ବାସ୍‌ କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା ବ୍ଲାକମେଲିଂ। ଜଗଦାର ଯୁବତୀଙ୍କ ଫଟୋ ସହ ଅଶ୍ଳୀଳ ଫଟୋ ଯୋଡ଼ି ଉକ୍ତ ଫେକ୍‌ ଆକାଉଣ୍ଟ୍‌ରୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲା ଅଭିଯୁକ୍ତ। ପ୍ରଥମେ ଯୁବତୀଙ୍କୁ ହ୍ବାଟ୍‌ସଆପ୍‌ ନମ୍ବର ମାଗିବା ସହ ଅର୍ଥ ମଧ୍ୟ ଦାବି କରିଥିଲା ଅଭିଯୁକ୍ତ ଏହସାନ।

ତେବେ ଯୁବତୀ ଜଣକ ମନା କରିବାରୁ ଅଭିଯୁକ୍ତ ଆହୁରି ଅଧିକ ସଂଖ୍ୟକ ଅଶ୍ଳୀଳ ଫଟୋ ଫେସ୍‌ବୁକ୍‌ ମେସେଞ୍ଜର୍‌ରେ ପଠାଇଥିଲା। ଯୁବତୀ ଜଣକ ଠକଦଳର କବ୍‌ଜାରେ ପଡ଼ିଯାଇଥିବା ଅନୁଭବକରି ସାଇବର ପୁଲିସର ଦ୍ବାରସ୍ଥ ହୋଇଥିଲେ। ଏନେଇ ଗତ ୨୦୨୦ ଜୁଲାଇ ୨ ତାରିଖରେ ମାମଲା ରୁଜୁ କରି ସାଇବର ଥାନା ପୁଲିସ ତଦନ୍ତ ଜାରି ରଖିଥିଲା। ସାଇବର ଥାନାଧିକାରୀ ସେରୋଫିନା ଖେସ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଥା ସବ୍‌ଇନ୍ସପେକ୍ଟର ମୁନ୍ନା ନାୟକଙ୍କ ନେତୃତ୍ବରେ ସାଇବର ପୁଲିସ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଶେଷରେ ଦୁଇ ବର୍ଷର ଲୁଚୁକାଳି ପରେ ପୁଲିସ ଅଭିଯୁକ୍ତକୁ ବିହାରର ବୈଶାଳୀ ଅଞ୍ଚଳରୁ କାବୁ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ନିକଟରୁ ଦୁଇଟି ମୋବାଇଲ ଫୋନ, ସିମ୍‌କାର୍ଡ, ଆଧାର କାର୍ଡ୍‌, ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି।

ସମ୍ବନ୍ଧିତ ଖବର