କମିସନ ବାବଦ ଟଙ୍କା ନଦେବାରୁ ବୋମା ଫିଙ୍ଗିଲେ ଦଲାଲ, ଦୁଇ ଆହତ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଳକାଟି ଫାଣ୍ଡି ଅଧୀନ ସରକଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ବ୍ରାହ୍ମଣସୁଆଁଲୋ ମୌଜାରେ ଥିବା ଏକ ପ୍ଲଟିଂ ସ୍କିମ ଆଉଟହାଉସକୁ ଗତକାଲି ଦୁର୍ବୃତ୍ତ ମାନେ ବୋମାମାଡ଼ କରିଛନ୍ତି। ବୋମାମାଡ଼ରେ ଆଉଟହାଉସ ଭିତରେ ଶୋଇଥିବା ୩ ଜଣ କର୍ମଚାରୀଙ୍କ ଭିତରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ବାବୁରାମ ବେହେରା(୩୪) ରାଜାରାମ ବିଶ୍ବାଳ (୩୨)। ଖବର ପାଇ ଜାଗା ମାଲିକ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାବୁରାମ ଓ ରାଜାରାମକୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ବୋମା ବିସ୍ଫୋରଣରେ ଉକ୍ତ ଆଉଟହାଉସ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଆଉଟହାଉସର ଟିଣଚାଦର ସମ୍ପୂର୍ଣ୍ଣ ଉଡ଼ିଯିବା ସହ ଦୁଇପାର୍ଶ୍ବରେ ଥିବା ଝରକା ଗ୍ଲାସ ଉଡ଼ିଯାଇଛି। ଏଥିସହିତ ପଥରକାନ୍ଥର ବିଭିନ୍ନ ସ୍ଥାନ ଫାଟିଯାଇଛି।

ଜାଗା କିଣା ବିକା ବାବଦ କମିସନ ଟଙ୍କା ପାଇବାକୁ କେନ୍ଦ୍ର କରି ଦୁର୍ବୃତ୍ତ ମାନେ ବୋମାମାଡ଼ କରିଥିବା ଜଣାପଡ଼ିଛି। ହସ୍ପିଟାଲ ନିକଟରେ ଏଭଳି ବୋମାମାଡ଼ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଆଜି ପୂର୍ବାହ୍ନରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ପହଞ୍ଚିବାରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ଦେଖାଦେଇଥିଲା। ଅପରାହ୍ନରେ ବାଲିଅନ୍ତା ଥାନା ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ବିକ୍ଷିପ୍ତ ହୋଇପଡ଼ିଥିବା ଫୁଟା ବୋମାର ସୁତୁଲି ଆଦି ଟୁକୁଡ଼ା ଅଂଶକୁ ଜବତ କରିଥିଲା। ଏଥିସହିତ ଘର ବାହାର ପଟେ ପଡ଼ିଥିବା ଆଉ ଦୁଇ ଗୋଟି ଜୀବନ୍ତ ବୋମାକୁ ପୁଲିସ ଜବତ କରିବା ସହ ନିଷ୍କ୍ରିୟ କରାଯାଇଛି।

Sambad

ସୂଚନାଅନୁସାରେ, ସରକଣା ପଞ୍ଚାୟତ ଅଧୀନ ବ୍ରାହ୍ମଣସୁଆଁଲୋ ମୌଜାରେ ନୟାପଲ୍ଲୀ ଅଞ୍ଚଳର ଜଣେ ବିଲ୍ଡର ଧନୁଆ ଧାର ସଂଲଗ୍ନ ଅଞ୍ଚଳରେ ସାଢ଼େ ୩ ଏକର ପରିମିତ ଜମିରେ ପ୍ଲଟିଂ କରିଛନ୍ତି। ନଦୀପଠା ଅଞ୍ଚଳରେ ପ୍ଲଟିଂକୁ ସ୍ଥାନୀୟ ଲୋକ ବିରୋଧ କରି ଆସୁଥିଲେ ମଧ୍ୟ ବିଲ୍ଡର ବଳପୂର୍ବକ କାମ ଚଳାଇଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଆଉଟହାଉସ ଭିତରେ ସଂସ୍ଥାର ୩ଜଣ କର୍ମଚାରୀ ବାବୁରାମ, ରାଜାରାମଙ୍କ ସମେତ ମନୋଜ ଶୋଇଥିଲେ। ରାତି ୧୫୦ ମିନିଟ ସମୟରେ ଦୁର୍ବୃତ୍ତ ଲଗାତର ଆଉଟହାଉସ ଉପର ଟିଣ ଚାଦର ଓ କାନ୍ଥକୁ ୬ଟି ବୋମା ପକାଇଥିଲେ। ସେଥିମଧ୍ୟରୁ ୪ଟି ଫୁଟିଥିବା ବେଳେ ଆଉ ଦୁଇଟି ନଫୁଟି ଘର ବାହାରପଟକୁ ଗଡ଼ିଥିଲା। ବୋମା ବିସ୍ଫୋରଣ ପ୍ରଚଣ୍ଡ ଶବ୍ଦରେ ନିକଟସ୍ଥ ଗ୍ରାମ ଏବଂ ହସ୍ପିଟାଲ କର୍ମଚାରୀ ଭୟଭୀତ ହୋଇ ପଡ଼ିଥିଲେ। ଘର ଭିତର ସାରା ଧୂଆଁ ହୋଇଯିବା ସହ ବାବୁରାମ ଏବଂ ରାଜାରାମ ଆହତ ହୋଇପଡ଼ିଥିଲେ। ସୌଭାଗ୍ୟବଶତଃ ମନୋଜ ଅଳ୍ପକେ ରକ୍ଷା ପାଇଯାଇଥିଲେ।

ଏନେଇ ବିଲ୍ଡର ସଂସ୍ଥା ପକ୍ଷରୁ ବ୍ରଜବନ୍ଧୁ ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ଲାଗିଥିବା ସିସି କ୍ୟାମେରା ଫୁଟେଜରୁ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ହେଁ ଏଯାଏ ଗିରଫ କରିନଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଗତ ୨ ମାସ ତଳେ ଅନୁରୂପ ଭାବେ ଉକ୍ତ ପ୍ଲଟିଂ ସ୍କିମରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତମାନେ ‌ପ୍ରାଚିର ଭାଙ୍ଗି ଦେଇଥିଲେ। ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କ ସୂଚନା ଅନୁସାରେ ଦାଦାବଟିକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ। ଅନ୍ୟପକ୍ଷରେ ଜାଗା କିଣାବିକା ବାବଦ କମିସନ ଟଙ୍କା ମାଲିକ ନଦେବାରୁ ଏହି ଗଣ୍ଡଗୋଳ ହୋଇଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର