ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣଗାଡ଼ ସମିତି ନୂତନ ଭାବେ ଗଠିତ ହେବା ପରେ ଗତ ୨୦୨୨ ମେ ମାସରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ଗତ ବର୍ଷେ ହେଲା ଆଉ ବୈଠକ ବସି ନଥିଲା। ଏନେଇ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହାପରେ ଶୁକ୍ରବାର ବ୍ଲକ୍ ସଭାଗୃହରେ ପଞ୍ଚାୟତ ସମିତି ବୈଠକ ବସିଥିଲା। ବୈଠକରେ ଅନେକ ବାଦବିବାଦ ଦେଖିବାକୁ ମିଳିଥିଲା। ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ କିଛି ସମିତିସଭ୍ୟ ଓ ସରପଞ୍ଚ ଅସନ୍ତୋଷ ପ୍ରକାଶ କରିଥିଲେ।
ବିଡିଓ ସୁମନ୍ତ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟକ ସରୋଜ ମେହେର, ବ୍ଲକ୍ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଉପାଧ୍ୟକ୍ଷା, ଜିପିଇଓ ନୀଳକାଣ୍ଠ କାଲସାଏ, ସହକାରୀ ଯନ୍ତ୍ରୀ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ମନ୍ତ୍ରୀ ଶ୍ରୀ ପଣ୍ଡା ବିଭିନ୍ନ ସମସ୍ୟା ସମ୍ପର୍କରେ ସମୀକ୍ଷା କରିବା ସହ ବାର୍ଦ୍ଧକ୍ୟ ଭତ୍ତା ତଥା ଅନ୍ୟାନ୍ୟ ଭତ୍ତା ସମ୍ପର୍କରେ କହିଥିଲେ। ବିଡିଓ ଓ ଅଧ୍ୟକ୍ଷଙ୍କୁ ଲୋକଙ୍କ ପାଖକୁ ଯାଇ ଭତ୍ତା ଦେବାକୁ ନିର୍ଦେଶ ଦେଇଥିଲେ। କିଛି ସମୟ ପରେ ମନ୍ତ୍ରୀ ପ୍ରକୋଷ୍ଠରୁ ବାହାରି ଅନ୍ୟତ୍ର ଯାଇଥିଲେ। ଏହାପରେ ବି ବୈଠକ ଜାରି ରହିଥିଲା। ବୈଠକରେ ପୋଷଣ, ପାନୀୟ ଜଳଯୋଗାଣ, ବିଭିନ୍ନ ଭତ୍ତା, ଉନ୍ନତିମୂଳକ କାର୍ଯ୍ୟ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା। ହାତଗଣତି ସମିତିସଭ୍ୟ ଓ ସରପଞ୍ଚଙ୍କୁ ଛାଡ଼ିଦେଲେ ଅନ୍ୟ ସମିତିସଭ୍ୟ ଓ ସରପଞ୍ଚ ଚୁପ୍ ହୋଇ ବସିରହିଥିବା ଦେଖିବାକୁ ମିଳିଥିଲା।