ବାରିପଦାରେ ଉଦବେଗଜନକ ସ୍ଥିତି: ରକ୍ତଶୂନ୍ୟ ହୋଇପଡ଼ିଛି ରକ୍ତ ଭଣ୍ଡାର

ହତାଶ ହୋଇପଡ଼ୁଛନ୍ତି ଜରୁରୀ ରୋଗୀ

ବାରିପଦା: ବାରିପଦା ରକ୍ତ ଭଣ୍ଡାରରେ ଦେଖାଦେଇଛି ଉଦବେଗଜନକ ପରିସ୍ଥିତି। ଆଜି ଅପରାହ୍ନ ସୁଦ୍ଧା ଜିଲ୍ଲା ସଦର ମହକୁମାସ୍ଥିତ ଏବଂ ହଜାର ହଜାର ରୋଗୀଙ୍କ ସାହା ଭରସା ବାରିପଦା ରକ୍ତ ଭଣ୍ଡାରରେ ଆଦୌ ରକ୍ତ ନଥିଲା। ଏପରିକି ଜରୁରୀକାଳୀନ ଆବଶ୍ୟକତା ପାଇଁ ମଧ୍ୟ ଗୋଟିଏ ୟୁନିଟ୍ ରକ୍ତ ନଥିବା ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯାହାକି ପରିସ୍ଥିତିକୁ ଜଟିଳ କରିଛି। ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲକୁ ଦୈନିକ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ସେହି ପରିମାଣରେ ଦୈନିକ ୪୦-୫୦ ୟୁନିଟ୍ ରକ୍ତ ଆବଶ୍ୟକତା ପଡ଼ୁଛି। ସେହିପରି ଜିଲ୍ଲାରେ ପ୍ରାୟ ୪୦୦ ଥାଲାସେମିଆ ରୋଗୀ ରହିଛନ୍ତି। ଯେଉଁମାନଙ୍କ ନିମନ୍ତେ ମାସକୁ ପ୍ରାୟ ୨୦୦ ୟୁନିଟ୍ ରକ୍ତ ଆବଶ୍ୟକତା ପଡ଼ୁଛି। ମାତ୍ର ରକ୍ତ ଭଣ୍ଡାରରେ ଆଦୌ ରକ୍ତ ଗଚ୍ଛିତ ନରହିବା ବେଶ୍ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରୁଛି।

ଏବେ ନିହାତି ଆବଶ୍ୟକ ଥିବା ଜରୁରୀ ରୋଗୀଙ୍କୁ ସିଧାସଳଖ ରକ୍ତ ପ୍ରଦାନ କରାଯାଉଛି। ଜରୁରୀକାଳୀନ ପରିସ୍ଥିତି କାରଣରୁ ବିନା କୌଣସି ପରୀକ୍ଷାରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଏହି ରକ୍ତ ନିହାତି ବିପଦପୂର୍ଣ୍ଣ। କାରଣ ଏଚ୍ଆଇଭି ସହିତ ଅନ୍ୟାନ୍ୟ ପରୀକ୍ଷା ବିନା ହିଁ ରକ୍ତ ଦିଆଯାଉଛି। ଗତ କିଛି ଦିନ ହେବ ପିଆରଏମରେ ଦୈନିକ ପ୍ରାୟ ଦୁଇରୁ ଉର୍ଦ୍ଧ୍ବ ଜରୁରୀ ରୋଗୀଙ୍କୁ ଏହିପରି ସିଧାସଳଖ ରକ୍ତ ଦିଆଯାଉଛି। ଯାହାକି ଠିକ୍ ନୁହେଁ। ମାତ୍ର ଅନ୍ୟ କୌଣସି ଉପାୟ ନଥିବାରୁ ଏପରି ପନ୍ଥା ଅବଲମ୍ବନ କରିବାକୁ ପଡ଼ୁଥିବା ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି । ରକ୍ତ ଦାନ ଶିବିର କମିଯାଉଥିବା ଏବଂ ଦୈନିକ ପ୍ରାୟ ୪୦ ୟୁନିଟ୍ ରକ୍ତ ଦିଆଯାଉଥିବାରୁ ଏପରି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଏବେ ଜରୁରୀ ରୋଗୀଙ୍କ ପାଇଁ ସାହାରା ସାଜିଛନ୍ତି କିଛି ସାମାଜିକ ସଂଗଠନ ଏବଂ ସ୍ବେଚ୍ଛାସେବୀ। ଅନ୍ୟଥା ପିଆରଏମରେ ରକ୍ତ ଅଭାବରୁ ଜୀବନ ଯିବା ଆଦୌ ଅମୂଳକ ନୁହେଁ।

ପିଣ୍ଟୁ ମାଇତି, ଭଞ୍ଜସେନା ଜିଲ୍ଲା ସଭାପତି

ବାରିପଦା ରକ୍ତ ଭଣ୍ଡାର ରକ୍ତଶୂନ୍ୟ ହୋଇପଡ଼ିବା ନିହାତି ଦୁର୍ଭାଗ୍ୟଜନକ। ଏପରି ହେଲେ ଜରୁରୀ ରୋଗୀମାନେ ବିପଦରେ ପଡ଼ିବେ। ଏକ ଦାୟିତ୍ବବୋଧ ସଂଗଠନ ଭାବେ ଭଞ୍ଜସେନା ପକ୍ଷରୁ ଯଥାସମ୍ଭବ ରକ୍ତ ଅଭାବ ପୂରଣ କରିବାକୁ ଚେଷ୍ଟା କରାଯାଉଛି। କେବଳ ଆଜି ଗୋଟିଏ ଦିନରେ ୭ ୟୁନିଟ୍ ରକ୍ତ ପ୍ରଦାନ କରାଯାଇଛି। ସେହିପରି ଆବଶ୍ୟକତା ସମୟରେ ଯିଏ ଡାକିଲେ ତାଙ୍କୁ ରକ୍ତ ଦିଆଯାଉଛି। କିନ୍ତୁ କର୍ତ୍ତୃପକ୍ଷ ମଧ୍ୟ ପରିଚାଳନାଗତ ଦକ୍ଷତା ଦେଖାଇବା ଆବଶ୍ୟକ। କିପରି ଜରୁରୀ ଏବଂ ଅସହାୟ ରୋଗୀ ରକ୍ତ ପାଇବେ ସେନେଇ ରକ୍ତ ଭଣ୍ଡାର ପକ୍ଷରୁ ତତ୍ପରତା ଦେଖାଇବା ଆବଶ୍ୟକ।

ଶୁକୁଲାଲ ମାରାଣ୍ଡି, ମାସା ଆର୍ମୀ

ଜିଲ୍ଲାର ରକ୍ତ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଉଚିତ୍। ମାସା ଆର୍ମୀ ପକ୍ଷରୁ ରକ୍ତ ଆବଶ୍ୟକତା ପୂରଣ ପାଇଁ ଚେଷ୍ଟା କରାଯାଉଛି। ତେବେ ରକ୍ତ ଭଣ୍ଡାରରେ ରକ୍ତ ନରହିବା ଠିକ୍ ନୁହେଁ।

ଅରୁଣ କୁମାର ବେହେରା, ଜାଗ ମୟୂରଭଞ୍ଜ ଜାଗ ପ୍ରତିଷ୍ଠାତା

ବାରିପଦା ରକ୍ତ ଭଣ୍ଡାରରେ ରକ୍ତ ଗଚ୍ଛିତ ନରହିଲେ ବହୁତ ସମସ୍ୟା ଉପୁଜିବ। ଏପରିକି ଜୀବନହାନୀ ମଧ୍ୟ ଘଟିପାରେ। ଏହି ସମସ୍ୟାକୁ ଦୂର କରିବାକୁ ଆମେ ସମସ୍ତେ ମିଳିତ ଉଦ୍ୟମ କରିବା ଆବଶ୍ୟକ।

 

ସମ୍ବନ୍ଧିତ ଖବର