ମାନବିକତାର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନ ରକ୍ତଦାନ: ଏସପି

ଓଲିଉଡ ହିରୋ ପ୍ରଦୀପଙ୍କ ସହ ୬୧ ଜଣ ଦେଲେ ରକ୍ତ

ସୁନ୍ଦରଗଡ଼: ‘ମାନବିକତାର ଶ୍ରେଷ୍ଠ ନିଦର୍ଶନ ହେଉଛି ରକ୍ତଦାନ। ମରଣ ମୁହଁରେ ପଡ଼ିଥିବା ଲୋକଟିକୁ ଜୀବନ ଦାନ ଦେବା ଠାରୁ ବଳି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଆଉ କିଛି ନାହିଁ’। ଆଜି ‘ସମ୍ବାଦ’ ଆମଓଡ଼ିଶା ଓ ସୁନ୍ଦରଗଡ଼ ସମର୍ପିତ ସେବା ସଂସ୍ଥାନ (ଟିମ ଶ୍ମଶାନବନ୍ଧୁ)ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରର ମୁଖ୍ୟ ଅତିଥି ଏସପି ସାଗରିକା ନାଥ ଏହା କହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ସରୋଜ କୁମାର ମିଶ୍ର ଯୋଗ ଦେଇ ‘ରକ୍ତର ବିକଳ୍ପ ନଥିବାରୁ ରକ୍ତଦାନ ହିଁ ତାର ଏକମାତ୍ର ବାଟ’ ବୋଲି କହିଥିଲେ। ତେବେ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବେଚ୍ଛାକୃତ ରକ୍ତଦାତା ଓ ଶିବିର ଆୟୋଜକଙ୍କ ନିଷ୍ଠା ଯୋଗୁଁ ରକ୍ତ ଅଭାବରୁ ଏଯାଏ କେହି ପ୍ରାଣ ହରାଇ ନଥିବା ସେ ପ୍ରକାଶ କରିବା ସହ ପ୍ରଶଂସା କରିଥିଲେ। ଓଲିଉଡ ହିରୋ ପ୍ରଦୀପ ଦତ୍ତଙ୍କ ସମେତ ୬୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଶିବିରରେ ନବ ବିବାହିତ ଦମ୍ପତି ସୁବୀର କୁମାର ବେହେରା ଓ ମୋନାଲିସା ବେହେରା ରକ୍ତଦାନ କରିବା ପ୍ରେରଣା ଯୋଗାଇଥିଲା। ସେହିପରି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ସଭାପତି ଦିନେଶ ପଟେଲଙ୍କ ନେତୃତ୍ବରେ ମଞ୍ଚ ସଦସ୍ୟମାନେ ରକ୍ତଦାନ କରିଥିଲେ।

ସୁନ୍ଦରଗଡ଼ ସମର୍ପିତ ସେବା ସଂସ୍ଥାନ (ଟିମ୍ ଶ୍ମଶାନବନ୍ଧୁ)ର ସିଦ୍ଧାନ୍ତ କୁମାର ପଣ୍ଡା, କମଲେଶ ନଥାନୀ, ମନୋଜ ତ୍ରିପାଠୀ, ଶିଶିର ବେହେରା, ଚିଣ୍ଟୁ ରକ୍ସା, ଦେବେନ ସାହୁ ଓ ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ସମୀର ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, ଟୁନା ସାହୁ, ମଞ୍ଚ ଅଭିନେତା ବିଜୁ ମହାରଣା, ସମାଜସେବୀ ସୁରୁ ମିଶ୍ର, ସୁବୁ ପଟ୍ଟନାୟକ, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଦିନେଶ ପଟେଲ, ମାନବୀ ଜୟପୁରିଆ, ପରମେଶ୍ବର ଛତ୍ରିଆ, ଦେବାଶିଷ ଦାସ, ପ୍ରିୟଦର୍ଶୀ ଅଶୋକ କୁମାର ବରାଇ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କ ଉତ୍ସାହିତ କରିବା ସହ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସୁନ୍ଦରଗଡ଼ ସ୍ଥିତ ଓଡ଼ିଶା ରକ୍ତଭଣ୍ଡାର ଅଧିକାରୀ ଡଃ. ଶରତଚନ୍ଦ୍ର ପଟେଲଙ୍କ ନେତୃତ୍ବରେ ରତ୍ନପ୍ରଭା ନାୟକ, ଜ୍ୟୋତ୍ସ୍ନା ଦେଉରିଆ, ଦୁଷ୍ମନ୍ତ ପଟେଲ, ସୁରଜ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର