ଆରଏସ୍‌ଏସ୍‌ର ପୂର୍ବତନ ପ୍ରାନ୍ତ ପ୍ରଚାରକଙ୍କ ପୁଣ୍ୟତିଥିରେ ରକ୍ତଦାନ ଶିବିର

ବାଲେଶ୍ବର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପ୍ରାନ୍ତର ପୂର୍ବତନ ପ୍ରାନ୍ତ ପ୍ରଚାରକ ସ୍ବର୍ଗତ ହରିହର ନନ୍ଦଙ୍କ ଆଜି ପୁଣ୍ୟତିଥିରେ ଭାରତୀୟ ସଂସ୍କୃତି ପ୍ରଚାର ସମିତି ଏବଂ ସେବା ବିଭାଗ, ବାଲେଶ୍ୱର ଜିଲ୍ଲା ଦ୍ୱାରା ଏକ ବିଶାଳ ରକ୍ତଦାନ ଶିବିର ଗୋପଳଗାଁ ସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଉଦ୍ୟୋଗପତି ତଥା ବାଲେଶ୍ୱର ଲାୟନ୍ସ କ୍ଲବର ସମ୍ପାଦକ ଗୋପାଳ ଖଣ୍ଡେଲୱାଲ ଏବଂ ମୁଖ୍ୟ ବକ୍ତା ଭାବେ ଅଶ୍ବିନୀ କୁମାର ଶତପଥୀ ଯୋଗଦେଇ ସ୍ବର୍ଗତ ନନ୍ଦଙ୍କର ତ୍ୟାଗପୂତ ଜୀବନ ଏବଂ ଓଡ଼ିଶାରେ ସଂଘ କାର୍ଯ୍ୟର ବିିସ୍ତାର ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ।

Sambad

ମୁଖ୍ୟ ଅତିଥି ପ୍ରଫେସର ତ୍ରିପାଠୀ ରକ୍ତଦାନ ସେବା ଭାବର ଏକ ଆଧାର ଅଟେ ଏବଂ ଏହା ଏକ ଈଶ୍ୱରୀୟ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଆରଏସ୍‌ଏସ୍‌ର ଜିଲ୍ଲା କାର୍ଯ୍ୟବାହ ବିଜୟ କୁମାର ଦାସ ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିବା ବେଳେ ଭାରତୀୟ ସଂସ୍କୃତି ପ୍ରଚାର ସମିତିର ସଭାପତି ଭଗବାନ ଦାଶ ଖଣ୍ଡେଲୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରୁ ୧୫୧ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଭଞ୍ଜନ ପାଢ଼ୀ, ସଞ୍ଜୟ ଖଣ୍ଡେଲୱାଲ, ଗୋପାଳ ନାୟକ, ଅମରନାଥ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର