ଆର୍‌ଜିଏଚ୍‌ରେ ଦୂର ହେବ ରକ୍ତ ସଙ୍କଟ: କାର୍ଯ୍ୟକ୍ଷମ ହେଲା ରକ୍ତ ପୃଥକୀକରଣ ବିଭାଗ 

ରାଉରକେଲା: ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ରାଉରକେଲା ରକ୍ତ ଭଣ୍ଡାରରେ ଦୂର ହେବ ରକ୍ତ ସଙ୍କଟ। କାରଣ ଏଣିକି ତିନିଜଣଙ୍କୁ ଦିଆଯାଇ ପାରିବ ଗୋଟିଏ ୟୁନିଟ୍‌ ରକ୍ତ। ଗତ ୨୦୧୬-୧୭ ଆରମ୍ଭ  ହୋଇଥିବା ରକ୍ତ ପୃଥକୀକରଣ ପ୍ରକ୍ରିୟା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟର ଭୁବନେଶ୍ବର, କଟକ, ବୁର୍ଲା, ବ୍ରହ୍ମପୁର, ଅନୁଗୋଳ, ବାଲେଶ୍ବର ପରେ ସ୍ମାର୍ଟସିଟି ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରକ୍ତ ଭଣ୍ଡାରରେ ବିଭାଗ ଚାଲୁ ହୋଇଛି। ପୂର୍ବରୁ ଥାଲେସେମିଆ, ସିକିଲ ସେଲ୍‌, ଜଳାପୋଡା, ଲିଭର ସମସ୍ୟା ସମେତ ଅନ୍ୟାନ୍ୟ ରୋଗୀଙ୍କୁ ଗୋଟିଏ ୟୁନିଟ୍‌ ରକ୍ତ ଦିଆଯାଉଥିଲା। ଏବେ ଥାଲାସେମିଆ ଓ ସିକିଲ ସେଲ୍‌ ରୋଗୀଙ୍କୁ ପେକେଡ୍‌ ରେଡ୍‌ ବ୍ଲଡ ସେଲ୍‌ (ପିଆର୍‌ବିସି), ଜଳାପୋଡା, ଲିଭର ଆକ୍ରାନ୍ତ ରୋଗୀଙ୍କୁ ପ୍ଲାଜ୍‌ମା ଓ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟିଲେଟ୍‌ ଦିଆଯିବ। ସଂଗ୍ରହ‌ ହେଉଥିବା ଗୋଟିଏ ୟୁନିଟ୍‌ ରକ୍ତକୁ ମେସିନ୍‌ ସହାୟତାରେ ପୃଥକୀକରଣ କରାଯାଉଛି।

ଲାମିନାର ଏୟାର ଫ୍ଲୋ, କ୍ରାଇଓ ଫ୍ୟୁଜ୍‌, ଥାଇିଂ ବାଥ୍‌ ଭଳି ମେସିନ୍‌ ସହାୟତାରେ ଗୋଟିଏ ୟୁନିଟ୍‌ ରକ୍ତରୁ  ପିଆର୍‌ବିସି,  ପ୍ଲାଟିଲେଟ୍‌, ପ୍ଲାଜାମ୍‌  ବାହାର କରାଯାଉଛି। ପ୍ଲାଜାମକୁ ୪୦ରୁ ୮୦ ଦିନ ରଖାଯାଉଥିବାବେଳେ ପ୍ଲେଟିଲେଟ୍‌କୁ ମାତ୍ର ୫ ଦିନ ରଖାଯାଇ ପାରୁଛି।। ପ୍ଲାଜମାକୁ ସର୍ବାଧିକ ବର୍ଷେ ରଖାଯାଇ ପାରିବ। ପୂର୍ବରୁ ଡେଙ୍ଗୁରୋଗୀଙ୍କ ପାଇଁ ଆବଶ୍ୟକ ପ୍ଲାଟିଲେଟ୍‌ ପାଇଁ ସମ୍ବଲପୁର ବୁର୍ଲା ଉପରେ ନିର୍ଭର କରିବାକୁ ପଡୁଥିଲା। ଏବେ ଆର୍‌ଜିଏଚ୍‌ରେ ଏହି ସମସ୍ୟାର ସମାଧାନ ହୋଇ ପାରୁଛି। ରକ୍ତ ପୃଥକୀକରଣ କାର୍ଯ୍ୟରେ ରକ୍ତଭଣ୍ଡାରର ଟେକ୍ନିକାଲ ସୁପରଭାଇଜର ମୁରଲୀଧର ପଲାଇ, ଡାକ୍ତର ସୋରେନ୍‌ଙ୍କୁ ଏହି କାମ ହସ୍ତାନ୍ତର କରାଯାଇଛି। ମେସିନ୍‌ ସହାୟତାରେ ପ୍ରତ୍ୟେକ ଦିନ ୫୦ ୟୁନିଟ୍‌ ରକ୍ତକୁ ପୃଥକୀକରଣ କରାଯାଇ ପାରିବ। ବର୍ତ୍ତମାନ ଆର୍‌ଜିଏଚ୍‌ର ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ପୃଥକୀକରଣ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଆର୍‌ଜିଏଚ୍‌ରେ ଦୈନିକ ପ୍ରାୟ ୫୦ ୟୁନିଟ୍‌ ରକ୍ତ ଆବଶ୍ୟକତା ପଡୁଛି। ଥାଲେମେସିଆ ଓ ସିକିଲ୍‌ ସେଲ୍‌ ରୋଗୀଙ୍କ ପାଇଁ ଦୈନିକ ୧୦ରୁ ୧୨ ପିଆର୍‌ବିସି ଆବଶ୍ୟକ ପଡୁଛି। ଗତ ଚାରି ବର୍ଷ ତଳେ ରକ୍ତ ପୃଥକୀକରଣ ପାଇଁ ଗୋଟିଏ ପରେ ଗୋଟିଏ ମେସିନ୍‌ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଉରକେଲା ରକ୍ତ ଭଣ୍ଡାରକୁ ଯୋଗାଇ ଦିଆଯାଇଥିଲା। କିନ୍ତୁ ଟେକ୍ନିସିଆନ ନଥିବାରୁ ପୃଥକୀକରଣ କାର୍ଯ୍ୟ ସମ୍ଭବର ହୋଇପାରୁ ନାହିଁ। ରକ୍ତଭଣ୍ଡାରେ କାର୍ଯ୍ୟରତ ଟେକ୍ନିକାଲ ସୁପରଭାଇଜରଙ୍କୁ ତାଲିମ ପାଇଁ ବୁର୍ଲା ମେଡିକାଲକୁ ପଠାଯାଇଥିଲା। ପ୍ରାୟ ବର୍ଷେ ତାଲିମ ନେଇଥିଲେ। କିନ୍ତୁ ମେସିନ୍‌ ପହଞ୍ଚି ନଥିବାରୁ ପୃଥକକରଣ କାମ ହୋଇ ପାରି ନଥିଲେ। ଶେଷରେ ଏହି ସମସ୍ୟାର ସମାଧାନ ହୋଇ ପାରିଥିବାରୁ ରୋଗୀ ବିଶେଷ କରି ଥାଲେସେମିଆ ଓ ସିକିଲ ସେଲ୍‌ ରୋଗୀଙ୍କ ପରିବାର ଭିତରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧିତ ଖବର