ଝାରସୁଗୁଡ଼ା ରକ୍ତ ଭଣ୍ଡାରରେ ରକ୍ତ ସଂକଟ, କରୋନା ପାଇଁ ଶିବିର ବାତିଲ

ଝାରସୁଗୁଡ଼ା: କରୋନା ଭୂତାଣୁ ଆଜି ସାରା ବିଶ୍ବକୁ କବଳିତ କରିଥିବା ବେଳେ ଏହା ସବୁ କ୍ଷେତ୍ରକୁ ପ୍ରଭାବିତ କରିଛି। ଏହି ରୋଗର ଚିକିତ୍ସା ବ୍ୟବସ୍ଥା ନଥିବାରୁ କେବଳ ସଂକ୍ରମଣ ଠାରୁ ଦୂରରେ ରହିବାହିଁ ଏକମାତ୍ର ଉପାୟ ହୋଇଛି। ସଂକ୍ରମିତ ରୋଗୀ ସଂପ୍ପର୍ଶରେ ଆସିଲେ ରୋଗ ଅନ୍ୟକୁ ସଂକ୍ରମିତ ହେଉଥିବାରୁ ଏବେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଛି। ଲୋକଙ୍କୁ ଘର ଭିତରେ ରହିବା ପାଇଁ ସରକାର ଆଇନ ପ୍ରଣୟନ କରିଛନ୍ତି। ସାରା ଦେଶ ଏଥିପାଇଁ ଆଜି ଠପ୍‌ ହୋଇଯାଇଛି । ଏଭଳି ପରିସ୍ଥିତିରେ ସ୍ବାସ୍ଥ୍ୟ ଚିକତ୍ସା କ୍ଷେତ୍ରରେ ମଧ୍ୟ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି।

ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟ ଏବଂ ଜିଲ୍ଲା ରକ୍ତ ଭଣ୍ଡାର ମଧ୍ୟରେ ୭ କିମିର ଦୂରତା ରହିଛି। ତେଣୁ ଜଣେ ରୋଗୀଙ୍କୁ ରକ୍ତ ଆବାଶ୍ୟକ ହେଲେ ତାକୁ ସହଯୋଗ କରୁଥିବା ବ୍ୟକ୍ତି ହିଁ ଏକମାତ୍ର ଭରସା। ରୋଗୀର ରକ୍ତ ନମୁନା ଆଣି ରକ୍ତ ଭଣ୍ଡାରରେ ପରୀକ୍ଷା କଲାପରେ ଯଦି ଉପଲବ୍ଧ ଥାଏ ତେବେ ସେହି ଗ୍ରୁପ୍‌ର ରକ୍ତ ନେଇ ରୋଗୀକୁ ଦିଆଯାଇ ଥାଏ। ଏବ‌େ ରୋଗୀ ରକ୍ତ ପାଇଁ କଲବଲ ହେଉଥିବା ଦେଖା ଯାଉଛି। କରୋନା ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଏବେ ରକ୍ତଦାନ ଶିବିର ଗୁଡ଼ିକ ଉପରେ ରୋକ ଲାଗିଛି। ଗହଳି ହେବା ଆଶଙ୍କା ଥିବାରୁ ଏଭଳି ହୋଇଛି। ‌ଫଳରେ ଏବେ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତ ସଂକଟ ଦେଖା ଦେଇଛି।

ଏବେ ରକ୍ତ ଭଣ୍ଡାରରେ ଏ ପଜିଟିଭ୍‌ ୨ ଟି, ବି ପଜିଟିଭ୍‌ ୨ ଟି, ଓ ପଜିଟିଭ୍‌ ୨ ଟି ଏବଂ ଏବି ପଜିଟିଭ୍‌ ୨ ଟି ‌ଷ୍ଟକ୍‌ରେ ରହିଛି। ତେବେ ଏହି ରକ୍ତ ଭଣ୍ଡାରରେ ଦୈନିକ ୨୫ ରୁ ୩୦ ୟୁନିଟ୍‌ ରକ୍ତର ଆବାଶ୍ୟକତା ରହିଥାଏ। ରକ୍ତ ଆବାଶ୍ୟକ କରୁଥିବା ରୋଗୀଙ୍କୁ ଏବେ ରକ୍ତ ଦେବା କଷ୍ଟକର ହୋଇ ପଡ଼ିଛି। ତେବେ କିଛି ରକ୍ତଦାତା ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରି ଯାଉଥିବା ଦେଖାଯାଉଛି। ତେବେ କିଛି ରକ୍ତଦାତା ଏକୁଟିଆ ଆସି ରକ୍ତ ଦେଇ ଚାଲି ଯାଉଥିବା ବେଳେ କିଛି ରକ୍ତଦାତା ଦଳେ ଲୋକଙ୍କୁ ସାଙ୍ଗରେ ଆଣି ପ୍ରଚାର ଉଦ୍ୟମ କରୁଥିବାରୁ ଏଭଳି ମାନସିକତା ସଂକ୍ରମଣ ଆଶଙ୍କା ସୃଷ୍ଟି କରୁଛି।

ରକ୍ତଭଣ୍ଡାର ପାଇଁ ଜଣେ ଡାକ୍ତରଙ୍କୁ କେବଳ ରକ୍ତଭଣ୍ଡାର ଦାୟିତ୍ବ ଦେବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ସରକାର ଏଥିପ୍ରତି ଆଦୌ ଦଅଷ୍ଟି ଦେଉନାହାନ୍ତି। ଏଠାରେ ଥିବା ରକ୍ତଭଣ୍ଡାର ଅଧିକାରୀ ମୁଖ୍ୟ ଚିକତ୍ସାଳୟରେ ରୋଗୀସେବା କରୁଥିବା ବେଳେ ସମୟ ପାଇଲେ ଏଠାକୁ ଆସିଥାନ୍ତି। ତେଣୁ ଏଭଳି କରୋନା ସଂକ୍ରମଣ ପରି ଆତଙ୍କ ସମୟରେ ସଦାସର୍ବଦା ଜଣେ ଡାକ୍ତର ଏଠାରେ ରହି ରକ୍ତଦାନକାରୀ ତଥା ତାଙ୍କ ସହିତ ଆସୁଥିବା ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ରକ୍ତଭଣ୍ଡାର ଭିତରେ ଯେଉଁ ସ୍ଥାନରେ ରକ୍ତ ସଂଗ୍ରହ କରାଯାଉଛି ସେହି ଭିତରକୁ ରକ୍ତଦାନକାରୀ ବ୍ୟତୀତ ଅନ୍ୟ କେହି ଯିବାକୁ ବାରଣ ହୋଇଥିବା ବେଳେ ଏଠାରେ ଏହାକୁ ସଂପୂର୍ଣ୍ଣ ଉଲଘ୍ନନ କରାଯାଉଛି। ରକ୍ତଦାନ ସମୟର ‌ଫଟୋ ଉତ୍ତୋଳନ ପାଇଁ ଏକାଧିକ ଲୋକ ଭିତରେ ରହୁଥିବା ଦେଖାଯାଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ଜଣେ ରକ୍ତଦାତା ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର