ନୟାଗଡ଼: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଘରକୁ ଘର ବୁଲି ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନଙ୍କୁ କରୋନା ସମ୍ପର୍କିତ ସର୍ଭେ ଦାୟିତ୍ବ ଦିଆଯାଇଛି। ଥଣ୍ଡା, ସର୍ଦ୍ଦି, କାଶ ଓ କୋଭିଡ୍ ସଂକ୍ରମଣ ବାବଦରେ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତେବେ ଏହି ସମୟରେ ଭଲ ଭାବେ ମାସ୍କ, ଗ୍ଲୋଭ୍ସ ଆଦି ପରିଧାନ କରି କର୍ମୀମାନେ ଘରକୁ ଘର ଯିବା ପାଇଁ କୁହାଯାଇଛି। ଏଭଳି ସ୍ଥିତିରେ ମେଡିକାଲରେ ବ୍ୟବହାର ହୋଇସାରିଥିବା ଗ୍ଲୋଭ୍ସ ଅଙ୍ଗନୱାଡିକର୍ମୀଙ୍କୁ ଯୋଗାଇ ଦିଆଯାଇଥିବା ଅଭିଯୋଗ ଆସିଛି।
ଖୋଦ୍ ନୟାଗଡ଼ ବ୍ଲକରେ ୩୦ରୁ ଅଧିକ ଅଙ୍ଗନୱାଡି କର୍ମୀ ଏଭଳି ବ୍ୟବହୃତ ଗ୍ଲୋଭ୍ସ ପାଇଥିବା ଅଭିଯୋଗ ଆସିଛି। ଜନୈକ ଅଙ୍ଗନବାଡ଼ି କର୍ମୀଙ୍କ ସୂଚନା ମୁତାବକ ଉକ୍ତ ଗ୍ଲୋଭ୍ସରେ ରକ୍ତ ଲାଗିଥିବା ବେଳେ ବିଭିନ୍ନ ସ୍ଥାନରେ କଣା ଥିବା ଦେଖାଯାଇଛି। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୩୦ରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଏଭଳି ଗ୍ଲୋଭ୍ସ ପାଇଛନ୍ତି। ''ଅସୁରକ୍ଷିତ ଭାବେ ଆମେ କିଭଳି ସର୍ଭେ କାମ କରିବୁ'' ବୋଲି ଅଙ୍ଗନବାଡ଼ି କର୍ମୀଗଣ କହିଛନ୍ତି।
ଏଭଳି ବ୍ୟବହୃତ ଗ୍ଲୋଭ୍ସ ପିନ୍ଧି ଆମକୁ ଯଦି କୌଣସି ସଂକ୍ରମଣ ହୁଏ, ସେଥିନେଇ କିଏ ଦାୟୀ ରହିବ ବୋଲି ଅଙ୍ଗନବାଡ଼ି କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହି ଗ୍ଲୋଭ୍ସଗୁଡ଼ିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଅଙ୍ଗନୱାଡି କର୍ମୀଙ୍କୁ ଏହା ଯୋଗାଣ ହୋଇଥିବା ଜଣାପଡ଼ିଛି। ଏ ବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆମେ ନୂତନ ଗ୍ଲୋଭ୍ସ କିଣି ପ୍ରଦାନ କରିଥିଲୁ, ଯଦି ଅଭିଯୋଗ ଆସିଛି ଘଟଣାର ଅନୁଧ୍ୟାନ କରିବି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/41a49bed-4719-4cce-9ca3-318ef562fd0a.jpg)