ଭରୁଆମୁଣ୍ଡା ଚାଷୀ ଆତ୍ମହତ୍ୟା ଘଟଣା:ବିଜେପି କୃଷକ ମୋର୍ଚ୍ଚାର ରାସ୍ତାରୋକ

କୋମନା: ଚାଷରେ ରୋଗପୋକ ତଥା କ୍ଷୟକ୍ଷତି ଯୋଗୁଁ କୋମନା ବ୍ଲକ୍‌ ଅନ୍ତର୍ଗତ ଜଟଗଡ଼ ପଞ୍ଚାୟତ ଅଧୀନ ଭରୁଆମୁଣ୍ଡା ଗାଁର ଚାଷୀ ସାଗର ଦୀପ ମଙ୍ଗଳବାର ଆତ୍ମହତ୍ୟା କରିଥିଲେ। ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦାବିରେ ବୁଧବାର ନୂଆପଡ଼ା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ତରବୋଡ଼ଠାରେ ୨ ଘଣ୍ଟା ଧରି ଜାତୀୟ ରାଜପଥ ୩୫୩କୁ ଅବରୋଧ କରାଯାଇଥିଲା। ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ତଥା ଘଟଣାର ଜୁଡ଼ିିସିଆଲ ତଦନ୍ତ ଦାବି କରାଯାଇଥିଲା। ଘଟଣାସ୍ଥଳରେ କୋମନା ଏସ୍‌ଡିପିଓ ତପନ ମହାନନ୍ଦ, ଆଇଆଇସି ଶଲ୍ୟ ନାଏକ, ତହସିଲଦାର ଶମ୍ଭୁଭୂଷଣ ମିଶ୍ର ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ମୃତ ଚାଷୀ ପରିବାରକୁ ରେଡ଼କ୍ରସ ପକ୍ଷରୁ ୧୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ଏହି ଆନ୍ଦୋଳନରେ କୃଷକ ମୋର୍ଚ୍ଚା ସଭାପତି ସଂଜୟ ତିଓ୍ଵାରୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଅର୍ଜୁନ ଜଗତ, ମନିଜର ଆର୍ଯ୍ୟ, ଟିଟୁ ପଣ୍ଡା, ତୁଳାରାମ ପ୍ରଧାନ, ଜଗଦୀଶ ହାତୀ, ଚୌତରାମ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର