ପୌର ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ୧୭ ସହରାଞ୍ଚଳରେ ଉନ୍ନୟନ କାମ ଶେଷ ଲାଗି ବ୍ଲୁପ୍ରିଣ୍ଟ୍

ଛତ୍ରପୁର: ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାମଧ୍ୟରେ ଆସନ୍ତା ମାସରେ ସଂରକ୍ଷଣ ବ୍ୟବସ୍ଥା ଲାଗି ଚିଠା ତାଲିକା ପ୍ରକାଶ ପାଇବ। ଫଳରେ ପୌର ନିର୍ବାଚନ ଆଗରୁ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳ ଗୁଡ଼ିକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଶେଷ କରିବାକୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ପରିମଳଠୁ ଆରମ୍ଭ କରି ସ୍ମାର୍ଟପାର୍କ, ସ୍ମାର୍ଟରାସ୍ତା, ସ୍ମାର୍ଟଶ୍ମଶାନ ଏବଂ ବିଭିନ୍ନ ବିକାଶମୂଳକ କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି ବୋଲି ଜିଲ୍ଲା ସହରା‌ଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ ସୂଚନା ଦେଇଛନ୍ତି। ହିଞ୍ଜିଳିକାଟୁ ପୌରପାଳିକା ଓ ୧୬ ଏନ୍ଏସିରେ ଉନ୍ନୟନକାମକୁ ତ୍ବରାନ୍ବିତ କରାଯାଉଛି। ମୋଟ ୧୭ ସହରର ୫୯ ହଜାର ୨୨୦ ଘରକୁ ଜଳଯୋଗାଣ ପାଇଁ ପାଇପ ଲାଇନ୍ ସଂଯୋଗ କରାଯିବ। ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଅଧିକ ଘରକୁ ପାଇପ୍‌ ଲାଇନ୍ ସଂଯୋଗ କାମ ସରିଛି। ଗୋପାଳପୁର ଓ ଦିଗପହଣ୍ତି ଏନ୍ଏସିରେ ଶତ ପ୍ରତିଶତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ବାକି ଘରକୁ ପାଇପ୍ ଲାଇନ୍ ସଂଯୋଗୀକରଣ କାର୍ଯ୍ୟ ଡିସେମ୍ବର ସୁଦ୍ଧା ସଂପନ୍ନ ହେବ।
‘ଜାଗା’ ମିସନ୍ ଯୋଜନାରେ ବସ୍ତିରେ ରହୁଥିବା ୩୫୬୮ ହିତାଧିକାରୀଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ କରାଯାଇଛି। ପ୍ରତି ସହରରେ ୧୦ କେ.ଏଲ୍. ବିଶିଷ୍ଟ ମଳଜଳ ଉପଚାର ପ୍ଲାଣ୍ଟ୍ ସ୍ଥାପନ କରିବା ଲକ୍ଷ୍ୟ ରଖାଯାଇଛି। ଆସିକା ଏନ୍ଏସିରେ ପ୍ଲାଣ୍ଟ୍ କାମ ସରିଛି। ହିଞ୍ଜିଳି ଓ ସୋରଡ଼ାରେ ନଭେମ୍ବର ୧୫ ତାରିଖ ସୁଦ୍ଧା ଏବଂ ବାକି ସହରା‌ଞ୍ଚଳ ଗୁଡ଼ିକରେ ୨୦୨୨ ମାର୍ଚ୍ଚ ସୁଦ୍ଧା କାମ ଶେଷ କରିବା ପାଇଁ ଧାର୍ଯ୍ୟ ହୋଇଛି। ସବୁ ସହରରେ ମାଇକ୍ରୋ କମ୍ପୋଷ୍ଟ୍ ସେଣ୍ଟର୍ ଓ ଏମ୍ଆରଏଫ୍ ପ୍ଲାଣ୍ଟ୍ ମାଧ୍ୟମରେ ଖତ ଉତ୍ପାଦନ ହେଉଛି। ସେହିପରି ‘ସଫା’ ଆପ୍ ଜରିଆରେ ସହରା‌ଞ୍ଚଳ ଜନସାଧାରଣ ସଫେଇଜନିତ ବିଭିନ୍ନ ସୁବିଧା ସୁଯୋଗ ହାସଲ କରିପାରିବେ।

ସବୁ ସହରରେ ପରିଚୟ କେନ୍ଦ୍ର ନିର୍ମାଣ ହୋଇଛି। ଏହା ମାଧ୍ୟମରେ ସହରର ସମସ୍ତ ୱାର୍ଡ଼ ଗୁଡ଼ିକର ବିଭିନ୍ନ ସମସ୍ୟା ଆଲୋଚନା କରି ସମାଧାନ କରାଯାଇ ପାରିବ। ୧୭ ସହରର ୨୪୦ ଓ୍ବାର୍ଡ଼ରେ ୧୩୦୫ଟି ଭୂତଳ ଜଳ ରିଚାର୍ଜ ଓ ରିଷ୍ଟୋର ପଏଣ୍ଟ୍ ସ୍ଥାପନ ହୋଇଛି। ସମସ୍ତ ସହରରେ ସୌନ୍ଦର୍ଯ୍ୟକରଣକୁ ଅଧିକ ଫୋକସ୍‌ ଦିଆଯାଇଛି। ସ୍ମାର୍ଟପାର୍କ, ଶିଶୁ ଉଦ୍ୟାନ, ଆଦର୍ଶ ଶ୍ମଶାନ, ଖୋଲା ବ୍ୟାୟ‌ାମ କେନ୍ଦ୍ର ଓ ସ୍ମାର୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ‘ମୁକ୍ତା’ ଯୋଜନା ମାଧ୍ୟମରେ ୨୮ଟି ମିସନ୍ ଶକ୍ତି ଗୃହ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ୨୧ଟି ଗୃହର କାମ ଶେଷ ହୋଇଛି। ସବୁ ସହରରେ ଦଳଗତ ଭାବେ ସହରର ବିକାଶ ପାଇଁ କାର୍ଯ୍ୟ ଚାଲୁ ରହିଛି। ହୋଲଡିଂ ଟିକସ ବାବଦରେ ୧ କୋଟି ୪୭ ଲକ୍ଷ ୪୮ ହଜାର ଟଙ୍କା ଏବଂ ୟୁଜର୍ସ ଫି’ ବାବଦରେ ୪ କୋଟି ୭୩ ଲକ୍ଷ ୧ ହଜାର ଟଙ୍କା ଆଦାୟ ହୋଇଛି। ଅନ୍ୟାନ୍ୟ ଟିକସ ଆଦାୟ ୮୦ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇଛି ବୋଲି ଶ୍ରୀ ମଣ୍ତଳ କହିଛନ୍ତି।

ସମ୍ବନ୍ଧିତ ଖବର