ଭୁବନେଶ୍ବର: ରାଜଧାନୀର ପ୍ରମୁଖ ଆକର୍ଷଣୀୟ ବ୍ୟବସାୟିକ ବଜାର ‘‘ମାର୍କେଟ ବିଲ୍ଡିଂ’’ ଏକ ସପ୍ତାହ ପରେ ବି ଖୋଲି ପାରି ନାହିଁ। ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ସ୍ଥାୟୀ ଦୋକାନୀମାନେ ଉଠାଦୋକାନୀଙ୍କୁ ହଟାଇବା ପାଇଁ ଦାବି କରୁଛନ୍ତି। ଭୁବନେଶ୍ୱର ବନ୍ଦ ପାଇଁ ବି ସଜବାଜ ଚାଲିଛି। ଆଉ ଏହାର ମଧ୍ୟରେ ସବୁଠାରୁ ବଡ କଥା ହେଲା, ଭୁବନେଶ୍ୱର ମହାନଗର ନିଗମ ପ୍ରତିଶ୍ରୁତି ଦେଇ ମଧ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି। ୭ ଦିନ ବିତି ଯାଇଥିଲେ ମଧ୍ୟ ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀ ବିବାଦର ସମାଧାନ ହୋଇପାରି ନାହିଁ। ଫଳରେ ସହରର ଜନଗହଳିପୂର୍ଣ୍ଣ ଓ ମଧ୍ୟଭାଗରେ ଥିବା ଏହି ବଜାର ବନ୍ଦ ରହିବା ଫଳରେ ଦିନକୁ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଛି।
କୁହାଯାଏ, ୧୯୬୦ରୁ ୧୯୬୨ ମଧ୍ୟରେ ମାର୍କେଟ ବିଲ୍ଡିଂର ପରିକଳ୍ପନା ହୋଇଥିଲା। କଳାମନ୍ଦିର ହେଉଛି ମାର୍କେଟ ବିଲ୍ଡିଂର ସବୁଠାରୁ ପୁରୁଣା ଦୋକାନ, ଯାହା ପୂର୍ବରୁ ବର୍ମା ଜେନେରାଲ ଷ୍ଟୋର ଥିଲା। ପ୍ରଥମ ଏଠାରେ ୩୦ଟି ଦୋକାନ ଥିଲା। ଧୀରେଧୀରେ ଦୋକାନ ବଢ଼ିବା ସହ ବାଜରର ଚାହିଦା ବି ବଢିଲା। ଆଉ ମାର୍କେଟ ବିଲ୍ଡିଂ ହୋଇଥିଲା ସାଧାରଣ ଲୋକଙ୍କ ପସନ୍ଦର ବଜାର। ବର୍ତ୍ତମାନ ଏହାର ରାଜଧାନୀର ସବୁଠାରୁ ବଡ଼ ବଜାର ହୋଇ ପାରିଛି। ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ ବିବାଦ କମିବା ବଦଳରେ ବଢୁଛି।
ସବୁଠାରୁ ବଡ଼ କଥାହେଲା ସମସ୍ୟାର ସମାଧାନ କରିବାରେ ବିଏମ୍ସି ବିଫଳ ହୋଇଛି। ସପ୍ତାହେ ବିତି ଗଲାଣି କିନ୍ତୁ ବିଏମ୍ସି କ’ଣ କରିବ ଜାଣି ପାରୁନାହିଁ। ଉଠା ଦୋକାନୀଙ୍କ ଥଇଥାନ ପାଇଁ ଜାଗା ଖୋଜା ଚାଲିଛି। ଆଗରୁ ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଦୋକାନ ସହ ଅଳ୍ପ ଉଠାଦେକାନୀ ଥିଲା। କିନ୍ତୁ ଧୀରେ ଧୀରେ ଉଠାଦୋକାନୀ ସଂଖ୍ୟା ବଢ଼ି ୨୦ରୁ ୨ ଶହ ପାର ହୋଇଛି। ଆଉ ୨୦୦୭ରୁ ସ୍ଥାୟୀ-ଅସ୍ଥାୟୀ ବିବାଦ ଆରମ୍ଭ ହୋଇଛି, ଯାହା ଏବେ ଉଗ୍ରରୂପ ଧାରଣ କରିଛି। ଆଉ ବଜାର ବନ୍ଦ ରହିବା ଫଳରେ ପାଖାପାଖି ୧୫ କୋଟି କ୍ଷତି ହେଲାଣି। ସେହିପରି ଏଠାରେ ଥିବା ସିଭିଲ୍ ସଂସ୍ଥା (ବିଏମସି) ୟୁନିଟ୍-୨ର ମାର୍କେଟ ବିଲଡିଂରେ ଥିବା ଦୋକାନକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଏକ ପ୍ୟାଚ୍ ଜମି ବଣ୍ଟନ ପ୍ରକ୍ରିୟାରେ ଅଛି। ଏହି ସମସ୍ୟା ଦୁଇରୁ ତିନିଦିନ ମଧ୍ୟରେ ସମାଧାନ ହେବ ବୋଲି ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ଆଜି ସୂଚନା ଦେଇଛନ୍ତି।