ଇନ୍ଦ୍ରାବତୀରେ ନୌକା ଦୁର୍ଘଟଣା ଟଳିଲା, ବର୍ତ୍ତିଲେ ୭ ଯାତ୍ରୀ

ତେନ୍ତୁଳିଖୁଣ୍ଟି:  ଜଳ ଯାତ୍ରା ସମୟରେ ଏକ ବଡ଼ ଅଘଟଣରୁ ବର୍ତ୍ତୀ ଯାଇଛନ୍ତି ସାତ ଜଣ ଯାତ୍ରୀ ! ଏଭଳି ଏକ ଘଟଣା ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଆଜି ଦେଖିବାକୁ ମିଳିଛି ! ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହେବା ସମୟରେ ଦକ୍ଷିଣ ପବନ ଯୋଗୁଁ ଜଳ ଭଣ୍ଡାର ମଝିରେ ଫସିଥିଲା ଏକ ଦେଶୀ ଡଙ୍ଗା । ଡଙ୍ଗାରେ ଯାତ୍ରା କରୁଥୁବା ୭ ଜଣ ଯାତ୍ରୀଙ୍କୁ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରିଛନ୍ତି ।

ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚଗାଁ ପଂଚାୟତ ଅନ୍ତର୍ଗତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ତଲଙ୍ଗ ଗ୍ରାମ ! ସେଠାକାର ୭ଜଣ ଯାତ୍ରୀ ( ସେମଧ୍ୟରୁ ୩ଜଣ ନାବାଳକ ) ନିଜର ଦେଶୀ ଡ଼ଙ୍ଗା ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ଖାତିଗୁଡା ସହରକୁ କୌଣସି କାର୍ଯ୍ୟରେ ଆସିଥିଲେ ! କାମ ସାରି ସନ୍ଧ୍ୟା ସମୟରେ ବାରିଆଘାଟ ଘାଟରୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟ ଦେଇ ତଳଙ୍ଗ ଅଭିମୁଖେ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ହଠାତ ଦକ୍ଷିଣା ପବନ ଆରମ୍ଭ ହେବାରୁ ଜଳ ଭଣ୍ଡାର ମଝିରେ ଡ଼ଙ୍ଗାଟି ଭରସାମ୍ୟ ହରେଇ ଏପଟେ ସେପଟେ ହୋଇ ଡ଼ଙ୍ଗା ଭିତରେ ପାଣି ପଶିବାକୁ ଲାଗିଥିଲା । ଫଳରେ ଡ଼ଙ୍ଗା ଓଜନ ହେବା ସହ ଭାରସାମ୍ୟ ହରାଇବାରେ ଲାଗିଥିଲା । ତେବେ ନାଉରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ତୁରନ୍ତ ପୋଡ଼ାଗଡ଼ ନଦୀ ବନ୍ଧରେ ଥିବା ୧୦୮ବୋଟ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ କରିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ ।
ଖବର ପାଇଁ ତୁରନ୍ତ ବୋଟ ଆମ୍ବୁଲାନ୍ସ ରେ ଥିବା ଡ୍ରାଇଭର, ପାଇଲଟ, ଇଏମଟି ଓ ସହାୟକ ଘଟଣାସ୍ଥଳରେ ପହଂଚିଥିଲେ ! ଦେଶୀ ଡ଼ଙ୍ଗା ଭିତରେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ପାଣି ଭର୍ତି ହୋଇଥିବା ଦେଖି ତୁରନ୍ତ ସେଠାରେ ଥିବା ୭ଜଣ ବ୍ୟକ୍ତି ଓ ୩ଟି ସାଇକଲ ସମେତ ଅନ୍ୟାନ୍ୟ ଜିନିଷ ପତ୍ର ଉଦ୍ଧାର କରିଥିଲେ । ବୋଟ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉଦ୍ଧାର ବ୍ୟକ୍ତି ମାନଙ୍କୁ ସେମାନଙ୍କ ଗ୍ରାମ ତଲଙ୍ଗକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସେମାନେ ସୁସ୍ଥ ଥିବା ସୂଚନା ମିଳିଛି ! ବୋଟ ଆମ୍ବୁଲାନ୍ସ କର୍ମଚାରୀ ସଠିକ ସମୟରେ ଘଟଣା ସ୍ଥଳରେ ପହଁଚି ଥୁବାରୁ ଏକ ବଡ଼ ଅଘଟଣରୁ ସାତ ଜଣ ଯାତ୍ରୀ ବର୍ତ୍ତୀ ଯାଇଛନ୍ତି ! ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ! ସେହିପରି ଏକ ବଡ଼ ଅଘଟଣରୁ ବର୍ତ୍ତୀ ଯାଇଥୁବା ସମସ୍ତ ଯାତ୍ରୀ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣେଇଛନ୍ତି !

ସମ୍ବନ୍ଧିତ ଖବର