‘ବ୍ୟସ୍ତ ହୁଅ ନାହିଁ, ପୂଜାରୀ ଆସିବେ’ ଏଭଳି କାହିଁକି କହିଲେ ବବି ଜାଣନ୍ତୁ

ଜୟପୁର : ଆସନ୍ତା ୧ତାରିଖ ଦିନ ଉଦଘାଟନ ହେବ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉତ୍ସବ। ଉଦଘାଟନୀ ଉତ୍ସବରେ କିଏ ମୁଖ୍ୟଅତିଥି ହେବେ ଏହାକୁ ନେଇ ସବୁ ପୁରାତନ ଛାତ୍ରମାନେ ଚିନ୍ତାରେ ପଡ଼ିଥିଲେ। ତେବେ ତାହାକୁ ଆଜି ଦୂର କରିଛନ୍ତି ବିଜେଡି ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ପୂର୍ତ୍ତି ଉତ୍ସବର ଉଦଘାଟନୀ ପ୍ରସ୍ତୁତି ବୈଠକରେ ଭାଗ ନେଇ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୁଜାରୀ ମୁଖ୍ୟଅତିଥି ଭାବେ ଯୋଗ ଦେବେ ବୋଲି ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟଅତିଥି ଭାବେ ରଖାଯାଇ ଭରଚୁଆଲରେ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବା ପରେ ସେ ଅତିଥି ହେବା ଏକରକମର ଆଶା ମଉଳି ଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟ ଅତିଥି କରିବାକୁ ଯୋଜନା କରାଯାଇଥିଲା। ୧ତାରିଖ ଦିନ ରଥଯାତ୍ରା ଓ ୨ତାରିଖରେ ବିଧାନସଭା ଆରମ୍ଭ ହେଉଥିବାରୁ ସେ ବି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନା ନାହିଁ ତାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ପ୍ରକାଶ ପାଇଥିଲା।

ପ୍ରସ୍ତୁତି ବୈଠକରେ ହିଁ ବିଧାୟକ ଶ୍ରୀ ଦାସ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ.ପୂଜାରୀଙ୍କୁ ଫୋନ କରି ତାଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ଏହି କାର୍ଯ୍ୟକ୍ରମରେ ହିଁ ମୁଖ୍ୟଅତିଥି ଭାବେ ଯୋଗ ଦେବେ ବୋଲି ସମ୍ମତ୍ତି ଜଣାଇବାକୁ କହି ବୈଠକରେ ଫୋନରେ ମାଇକ୍ ଲଗାଇ ବିଧାୟକ ଶ୍ରୀ ଦାସ ଘୋଷଣା କରାଇଥିଲେ। କୋରାପୁଟ ଜିଲ୍ଲା ତାଙ୍କର ଦ୍ବିତୀୟ ଘର ଏବଂ ଜୟପୁର ତାଙ୍କ ନିଜ ସହର ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ବିଜୁ ଜନତା ଦଳ ଓ ସମଗ୍ର ରାଜ୍ୟରେ ମିଳିଥିବା ସ୍ଥାନ ଓ ପରିଚୟ କୋରାପୁଟ ଜିଲ୍ଲା ଦେଇଛି। ତେଣୁ ସେ କୋରାପୁଟ ଜିଲ୍ଲା, ଜୟପୁର ସହରକୁ ନିଜର ସହର ବୋଲି ଭାବନ୍ତି ବୋଲି କହିଥିଲେ। ନିଜ ସହର କଲେଜର ପୂର୍ତ୍ତି ଉତ୍ସବରେ ସେ ଅତିଥି ଭାବେ ନୁହେଁ, ବରଂ ସେ ଆୟୋଜକ ଭାବେ ସବୁ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟତାର ସହ ଭାଗ ନେଇ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ। ପୂର୍ତ୍ତି ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଯେଭଳି ରଂଗାରଂଗ ହୋଇ ପାରିବ ତାହା ପ୍ରୟାସ କରିବା ବୋଲି କହିଥିଲେ। ପୁରାତନ ଛାତ୍ରଙ୍କର ଯେଉଁ ମୂଳ ଦାବି ବିକ୍ରମ ଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ବି ତାଙ୍କର ପ୍ରୟାସ ରହିବ ବୋଲି କହିଥିଲେ। କଲେଜର ଏଭଳି କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ସବୁ ଏକଜୁଟ ହୋଇ କାର୍ଯ୍ୟକ୍ରମକୁ ଯେଭଳି ସଫଳ କରାଯିବ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଡିସେମ୍ବର ମାସରେ ହେବାକୁ ଥିବା ଉଦଯାପନୀ ଉତ୍ସବରେ ଦିନକ ମୁଖ୍ୟମନ୍ତ୍ରୀଙ୍କୁ ବି ଅତିଥି କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ପୂର୍ତ୍ତି ଉତ୍ସବର ସମସ୍ତ ଯୋଜନାକୁ ପୁଙ୍ଖାନୁପୁଙ୍ଖ ଭାବେ ପୁଣିଥରେ ତାଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ଅଭିବକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ କଲେଜର ଏଭଳି ମହାନ କାର୍ଯ୍ୟକ୍ରମରେ ସେ ଆୟୋଜକ ମଧ୍ୟରେ ସାମିଲ ହେବା ନିଜ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ପୁରାତନ ଛାତ୍ରସଂଘର ସଭାପତି ତଥା କଲେଜ ଅଧ୍ୟକ୍ଷ ଡ.ଗୋପାଳ ହାଲଦାର, ସଂପାଦକ ବିଜୀ ରାୟ ଜେନାଦେଓ କଲେଜର ଇତିହାସ ଓ ପୂର୍ତ୍ତି ଉତ୍ସବ ପାଇଁ କରିବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ସାମ୍ୟକ୍ ସୂଚନା ଦେଇଥିଲେ। ପୂର୍ବତନ ଛାତ୍ର ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ର ଶେଖର ମାଝୀ ପ୍ରମୁଖ ମଂଚାସୀନ ଥିଲେ। ବହୁ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା, ପୁରାତନ ଛାତ୍ର ଆଦି ଭାଗ ନେଇଥିଲେ।

 

ସମ୍ବନ୍ଧିତ ଖବର