ନବରଙ୍ଗପୁର: ୪ ବର୍ଷର ଝିଅକୁ ବଳି ସନ୍ଦେହ, ହତ୍ୟା ମାମଲା ରୁଜୁ

ନବରଙ୍ଗପୁର: ଗତକାଲି ସକାଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ କୁନ୍ଦେଇ ଥାନା ଅନ୍ତର୍ଗତ ଖଚରାତାରା ଗାଁରେ ଜଣେ ସାଢ଼େ ୩ ବର୍ଷ ବାଳିକାର ମୃତଦେହ ଏକ ଶାଗ କିଆରିରୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କ କାନ, ଜିଭ, ପାଦ, ନାକ ପ୍ରଭୃତି ଖଣ୍ଡିଆ ହୋଇଥିବାରୁ ତାଙ୍କୁ ବଳି ଦିଆଯାଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ଏ ନେଇ କୁନ୍ଦେଇ ଥାନା ପୁଲିସ ଏକ ନରହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଖଚରାତାରା ଗାଁର ସୁତା ଗଣ୍ଡଙ୍କ ସାଢ଼େ ୩ ବର୍ଷର ଝିଅ ପୂଜା ଗଣ୍ଡ ଗତ ବୁଧବାର ସନ୍ଧ୍ୟାରେ ହଠାତ ନିଖୋଜ ହୋଇ ଯାଇଥିଲେ। ପରିବାର ସହିତ ମିଶି ଗାଁ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପୂଜାଙ୍କର କୌଣସି ପତ୍ତା ମିଳି ନ ଥିଲା। ତେବେ ଗତକାଲି ସକାଳେ ପୂଜାଙ୍କ ମୃତଦେହ ତାଙ୍କ ବାଡ଼ିର ଶାଗ କିଆରିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମାତ୍ର ପୂଜାଙ୍କ ଶରୀର ବିଭିନ୍ନ ସ୍ଥାନରେ କଟା ଦାଗ ଥିବାରୁ ତାଙ୍କୁ ଅନ୍ୟତ୍ର ବଳି ଦିଆଯାଇ ମୃତଦେହ ଆଣି ତାଙ୍କ ଶାଗ କିଆରିରେ ଫିଙ୍ଗି ଦିଆଯାଇଛିି ବୋଲି ସୁତା ଗଣ୍ଡ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର