ସାତକୋଶିଆରେ ମହାବଳ ବାଘ ପରେ ୪ ବର୍ଷ ହାତୀର ଗଳିତ ମୃତଦେହ ଠାବ

ଅନୁଗୁଳ: ସାତକୋଶିଆରେ ମହାବଳ ବାଘ ‘ମହାବୀର’ ମୃତ୍ୟୁ ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ଉଠି ନଥିବା ବେଳେ ଆଜି ପୁଣି ଆଉ ଏକ ଦୁଃଖଦ ଖବର ଆସିଛି ସେହି ସାତକେଶିଆ ବ୍ୟାଘ୍ର ଅଭୟାରଣ୍ୟ ଭିତରୁ। ସାତକୋଶିଆର ଜିଲ୍ଲିଣ୍ଡା ବାନାଞ୍ଚଳ ଭିତରେ ଆଜି ସକାଳୁ ଏକ ଯୁବ ହାତୀର ଗଳିତ ମୃତଦେହ ଠାବ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କେତେକ ଜଙ୍ଗଲ ପାଖ ଗାଁର ଲୋକେ ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳ ଭିତରକୁ ଯାଇଥିବା ବେଳେ ସେଠାରେ ଏକ ହାତୀର ମୃତଦେହ ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହାତୀଟିର ଆନୁମନିକ ବୟସ ୪ ବର୍ଷ ହେବ। ତେବେ ଏହି ଯୁବା ହାତୀଟିର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି, ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ମୃତ ହାତୀଟିର ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧିି ପାଇଁ ଉଦ୍ୟମ କରାଯାଇଥିଲା। ଏଥିପାଇଁ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ମହାବୀର ନାମକ ଏକ ଯୁବ ବାଘକୁ ସାତକୋଶିଆକୁ ଅଣାଯାଇଥିଲା। ମାତ୍ର ଅତି ରହସ୍ୟଜନକଭାବେ ଏହି ଯୁବ ବାଘଟିର ମୃତ୍ୟୁ ଘଟିଥିଲା। ମୃତ୍ୟୁର କାରଣ ଭାବେ ବେକରେ ଘା ହୋଇ ପୋକ ହୋଇଯାଇଥିଲା କୁହାଯାଉଥିିବା ବେଳେ କେଉଁଁ ପରିସ୍ଥିତିରେ ମହାବୀର ବେକରେ ଘା ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।ଏଭଳି ପରିସ୍ଥିତିରେ ସେହି ସାତକୋଶିଆରେ ଏକ ଯୁବ ହାତୀର ମୃତ୍ୟୁ ଘଟଣା ପରିବେଶପ୍ରେମୀମାନଙ୍କୁ ଚିନ୍ତାରେ ପକାଇଛି।

ସମ୍ବନ୍ଧିତ ଖବର