ରାଉରକେଲା: ମା’, ୪ ପିଲାଙ୍କୁ ହତ୍ୟା କରି କୁଅରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ମଆ ସହିତ ତାଙ୍କର ୪ଜଣ ପିଲାଙ୍କୁ ଘର ଭିତରେ ହତ୍ୟା କରାଯିବା ପରେ ହତ୍ୟାକାରୀ ମୃତଦେହକୁ ନେଇ ଘର ପାଖରେ ଥିବା ଏକ କୁଅ ଭିତରେ ପକାଇ ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ସକାଳୁ ମହିଳାଙ୍କ ଘର ଭିତରେ ରକ୍ତ ଛିଟା ସହିତ ମୃତଦେହ କୁଅରେ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ କୋଇଡ଼ା ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କୋଇଡ଼ା ଥାନା ଅନ୍ତର୍ଗତ ବଡ଼ଇନ୍ଦିପୁର ଗାଁର କୁନି ମୁଣ୍ଡା (୩୦ ବର୍ଷ) ପ୍ରଥମେ ଟାଗୁୁର ମୁଣ୍ଡାଙ୍କୁ ବିବାହ କରିଥିଲେ।ତେବେ ବର୍ଷକ ତଳେ ଟାଗୁର ମୁଣ୍ଡାଙ୍କର ମୃତ୍ୟୁ ଘଟିଥିବା ବେଳେ କୁନି ସେହି ଗ୍ରାମର ସିଦିଆ ମୁଣ୍ଡାଙ୍କୁ ବିବାହ କରିଥିଲେ। କୁନିଙ୍କର ପୂର୍ବରୁ ୨ ଝିଅ ଓ ୨ ପୁଅ ଥିଲେ। ତେବେ କେହି ଗତକାଲି ରାତିରେ ଘରେ ପଶି କୁନିଙ୍କ ସହିତ ତାଙ୍କ ୧୦ ବର୍ଷର ଝିଅ ମାର ମୁଣ୍ଡା, ୯ ବର୍ଷର ପୁଅ ଟେକେଲ ମୁଣ୍ଡା, ୪ ବର୍ଷର ପୁଅ ଚାମରା ମୁଣ୍ଡା ଓ ବର୍ଷର ଝିଅଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ଘର ଭିତରୁ ଘୋଷରି ଘୋଷାରି ନେଇ ନିକଟସ୍ଥ କୁଅରେ ପକାଇ ଦେଇଛି। ତେବେ ବାହାରେ ଥିବା ସିଦିଆ ମୁଣ୍ଡା ଆଜି ସକାଳେ ଘରକୁ ଫେରି ଘର ଭିତରେ ରକ୍ତ ଛିଟା ଦେଖିବା ସହିତ ସ୍ତ୍ରୀ ଓ ପିଲାମାନଙ୍କୁ ନ ଦେଖି ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରେ ଘର ନିକଟରେ ଥିବା କୁଅ ଭିତରେ ୫ଜଣଙ୍କ ମୃତଦେହ ପଡ଼ିଥିବା ଦେଖି ସେ ପୁଲିସକୁ ସୂଚନା ଦେଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର