କଣ୍ଟାବାଞ୍ଜି: କଣ୍ଟାବାଞ୍ଜିର ଏକ ଭଡ଼ାଘରୁ ସଂଦେହଜନକ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ମାଧୁରୀ ଯାନୀ ନାମ୍ନୀ ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ଦୁଇମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡ଼ିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି।
ପୁଲିସର ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ଥାନା ଖଇରା ପଞ୍ଚାୟତ ତେଲିପଦର ଗାଁର ବିଧବା ମହିଳା ମାଧୁରୀ ଗତ ୨୫ ଦିନ ହେଲା ସ୍ଥାନୀୟ ସେଣ୍ଟ ଜାଭିୟର୍ସ ସ୍କୁଲ ସମ୍ମୁଖରେ ଥିବା ଅନିଲ ଅଗ୍ରୱାଲଙ୍କ ଘରେ ଭଡ଼ାରେ ରହୁଥିଲେ। ସେ ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଚେତାଶୂନ୍ୟ ଅବସ୍ଥାରେ ଏକୁଟିଆ ଉକ୍ତ ଭଡ଼ାଘରେ ପଡ଼ିରହିଥିଲେ। ଏହା ଜାଣିପାରି ପଡ଼ୋଶୀମାନେ ଘର ମାଲିକଙ୍କୁ ଖବର ଦେଇଥିଲେ। ଏନେଇ ଘର ମାଲିକ ପ୍ରଥମେ ଉକ୍ତ ମହିଳାଙ୍କ ପରିବାର ଲୋକକୁ ଯୋଗାଯୋଗ କରିବା ସହ ରାତିରେ ତାଙ୍କ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିଥିଲେ। ହେଲେ ରାତିରେ କେହି ଆସିନଥିଲେ। ମାଲିକ ଶ୍ରୀ ଅଗ୍ରୱାଲ ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ରାତି ପ୍ରାୟ ୧୨ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଥିଲା।
ଶନିବାର ସକାଳେ ପରିବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପୁଲିସ ତଦନ୍ତରୁ ଜାଣିପାରିଛି ଯେ, ଉକ୍ତ ମହିଳାଙ୍କ ସ୍ୱାମୀ ମାର୍କଣ୍ଡ ଯାନୀ ୫ବର୍ଷ ତଳେ ପ୍ରାଣ ହରାଇଛନ୍ତି। ମହିଳା ଜଣକ ଦୁଇ ପିଲାଙ୍କୁ ଘରେ ଛାଡ଼ି ୩ ବର୍ଷ ହେଲା କୁଆଡ଼େ ଚାଲିଯାଇଥିଲେ। କିନ୍ତୁ ଗତ ୨୫ ଦିନ ଆଗରୁ ସେ ଅନିଲ ଅଗ୍ରୱାଲଙ୍କୁ ଅଗ୍ରିମ ୧୫୦୦ ଟଙ୍କା ଦେଇ ତାଙ୍କ ଘରେ ଭଡ଼ା ରହୁଥିଲେ। ଉକ୍ତ ମହିଳା ୨ ମାସର ଗର୍ଭବତୀ ଥିବାରୁ ତାଙ୍କ ମୃତ୍ୟୁକୁ ନେଇ ନାନା ଆଲୋଚନା ହେଉଛି। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଇଛି। ଏ ବିଷୟରେ ଥାନା ଅଧିକାରୀ ରଶ୍ମିତା ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସଂପୂର୍ଣ୍ଣ ତଥ୍ୟ ଜଣାପଡ଼ିବ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଥିଲେ।