ଘୁଞ୍ଚି ଘୁଞ୍ଚି ଯାଉଛି ବଲାଙ୍ଗୀର ବାଏପାସ୍‌:ଦିନ ଗଡ଼ୁଛି, ଦାବି ଓ ଜମି ଦାମ୍‌ ବଢ଼ୁଛି

୨ବର୍ଷ ହେଲା ଚାଲିଛି ହିସାବ:୨ଶହ କୋଟି ହିସାବ, ଅଛି ୩୯ କୋଟି

ବଲାଙ୍ଗୀର: ବଢୁଛି ଜନସଂଖ୍ୟା। ସେହି ଅନୁସାରେ ଯାନବାହାନ ସଂଖ୍ୟା ବି ବଢ଼ିଛି ବଲାଙ୍ଗୀର ସହରରେ। କିନ୍ତୁ ରାସ୍ତା ସମସ୍ୟା। ତେଣୁ ସହର ମଧ୍ୟରେ ଭାରୀଯାନ ଚଳାଚଳ ନିର୍ଦ୍ଧାରିତ ସମୟ ଯାଏ ବନ୍ଦ ରହୁଥିବା ବେଳେ ବିକଳ୍ପ ବ୍ୟବସ୍ଥା ନାହିଁ। ବଲାଙ୍ଗୀର ସହରର ଟିଟିଲାଗଡ଼ ରାସ୍ତାରୁ ସମ୍ବଲପୁର ରାସ୍ତାର ମାଧିଆପାଲି ଯାଏ ବାଏପାସ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ବହୁ ଦିନରୁ ଏହି ଦାବି ହେଉଥିବା ବେଳେ ୨୦୧୫ରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ୨ ବର୍ଷ ମଧ୍ୟରେ କାମ ମନ୍ଥର ଗତିରେ ଚାଲିଛି। ଏକ ହିସାବ ଅନୁସାରେ ୨ଶହରୁ ଅଧିକ କୋଟି ଟଙ୍କାର ଆବଶ୍ୟକତା ଥିବା ବେଳେ ପ୍ରକଳ୍ପ ପାଇଁ ବର୍ତ୍ତମାନ ଅଛି ମାତ୍ର ୩୯ କୋଟି।

ଆକଳନ ଅନୁସାରେ ଅର୍ଥ ଦେବାକୁ ବର୍ତ୍ତମାନ ଦାବି ହେଉଛି। କିନ୍ତୁ କ’ଣ ହେବ ବାଏପାସର ଭବିଷ୍ୟତ ତାକୁ ନେଇ ସନ୍ଦେହ ଦୂର ହେଉ ନାହିଁ।
ବଲାଙ୍ଗୀର ବାଏପାସ ହେବ। ବିଷ୍ଣୁମୁଣ୍ଡା ଅଞ୍ଚଳର ଜଣେ ବୃଦ୍ଧା କୋଟି କୋଟି ଟଙ୍କା କ୍ଷତିପୂରଣ ବାବଦରେ ପରିବାର ଲୋକେ ପାଇବେ ବୋଲି ଜାଣିବାକୁ ପାଇଲେ। ଟଙ୍କା ପାଇଲେ ତାଙ୍କ ପାଇଁ କିଏ ଗାଡି ଆଣିବ, କେମିତି ଗାଡି ଆଣିବ ସେ ସବୁ ବରାଦ କଲେ। ଢେର ଖୁସି ବି ହେଲେ। ତାଙ୍କ ବହୁଦିନର ଆଶା ପୂରଣ ହେବ ବୋଲି ସେ ଇଚ୍ଛା ରଖିଥିଲେ। କିନ୍ତୁ ଅତ୍ୟଧିକ ଖୁସି ଏହି ବୃଦ୍ଧାଙ୍କ ପାଇଁ କାଳ ହେଲା। ହୃଦଘାତରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଗଲା। ବୃଦ୍ଧାଙ୍କ ପରଲୋକ ହୋଇଥିବା ବେଳେ ଏବେ ବାଏପାସ ନେଇ ସନ୍ଦେହ ସୃଷ୍ଟି ହେଉଥିବାରୁ ବୃଦ୍ଧାଙ୍କ ସ୍ୱାମୀ ଏବେ ଚିନ୍ତାରେ। ଏ କଥା କହିବା ବେଳେ ଆପଣଙ୍କୁ ଗପ ଓ ଗାଲୁ ଭଳି ଲାଗିପାରେ। କିନ୍ତୁ ଏହା ସଂପୂର୍ଣ୍ଣ ସତ।
ବଲାଙ୍ଗୀର ଟିଟିଲାଗଡ଼ ରୋଡ ବିଜାଖମନରୁ ସମ୍ବଲପୁର ରୋଡ୍‌ ମାଧିଆପାଲି ଯାଏ ବାଏପାସ ରାସ୍ତା ନିର୍ମାଣ ହେବ। ୮ଟି ଗାଁ ଏହି ରାସ୍ତା ଦ୍ୱାରା ପ୍ରଭାବିତ ହେବେ। ମାଧିଆପାଲି, ବାଗଭାଡି, କାଲସାଏପାଲି, ବଲାଙ୍ଗୀର(ଏ), ବିଷ୍ଣୁମୁଣ୍ଡା, ଖୁଜେନପାଲି, ପୁଇଁନ୍ତଳା, ବିଜାଖମନ। ୧୧କିଲୋମିଟର ୬୪୨ ମିଟର ବାଏପାସ ରାସ୍ତା ପାଇଁ ୫୮ହଜାର ୨୭୨ ହେକ୍ଟର ଜମି ଅଧିଗୃହୀତ ହେବ। ଏଥିପାଇଁ ଫିଲ୍ଡ ସର୍ଭେ ସାରିବା ସହ ବାଏପାସ ପାଇଁ ଜମି ଚିହ୍ନଟ ବି ହେଲାଣି। ସରକାର ବାଏପାସ କରିବା ପାଇଁ ଜମି ନେଉଥିବାରୁ କ୍ଷତିପୂରଣ ପାଇବାକୁ ଲୋକେ ଆଶାୟୀ। ୨୦୧୫ରୁ ବାଏପାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦୁଇ ବର୍ଷ ପୂରିଗଲାଣି। ଲୋକେ ପ୍ରକ୍ରିୟା ଆରମ୍ଭ ହେବାଠାରୁ କ୍ଷତିପୂରଣ ପାଇବାକୁ ଆଶାୟୀ ହୋଇଥିବା ବେଳେ ଏବେ ଯାଏ କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁ ନାହିଁ। ଖୋଦ୍‌ ବଲାଙ୍ଗୀର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗତ ବିଧାନସଭାସ୍ତରୀୟ ସମୀକ୍ଷା ବୈଠକ ବେଳେ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବାକୁ କହିଥିଲେ। କିନ୍ତୁ ବାଏପାସ ନେଇ ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି।
କ୍ଷତିପୂରଣ ଦେଇଦେଲେ ପରବର୍ତ୍ତୀ ସମୟରେ କୌଣସି ସମସ୍ୟା ହୋଇପାରେ, ଏଥିପାଇଁ ସଂପୃକ୍ତ ତହସିଲଦାରଙ୍କୁ ପକ୍ଷଭୁକ୍ତ ହେବାକୁ ପଡିପାରେ ବୋଲି ଅଧିକାରୀ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି। କିନ୍ତୁ ଏଭଳି ଅଭିଯୋଗ ଅମୂଳକ ବୋଲି ଛାନଭିନ ବେଳେ ଜଣାପଡ଼ିଥିଲା। କେନ୍ଦ୍ର ସରକାରଙ୍କ ଏନ୍‌ଏଚ୍‌ ବିଭାଗ ପ୍ରାୟ ୪୦ କୋଟି ଟଙ୍କା ଦେଇଛି। ସେଥିରୁ କିଛି ଟଙ୍କା ଖର୍ଚ୍ଚ ହୋଇଛି। ଆକଳନ ଅନୁସାରେ ବାଏପାସ ପାଇଁ ୨୦୧କୋଟି ୪୧ ଲକ୍ଷ ଟଙ୍କାର ହିସାବ ହୋଇଥିବା ବେଳେ ଏହି ଅର୍ଥ ଅନୁମୋଦନ କରିବାକୁ ଅନୁରୋଧ ବି କରାଯାଇଛି। ବହୁ ଦିନରୁ ଏ ସଂପର୍କର୍ରେ ସବୁଜ ସଙ୍କେତ ଦେବାକୁ ଅନୁମତି ଲୋଡ଼ା ଯାଉଥିବା ବେଳେ କିଛି ପଦକ୍ଷେପ ନିଆଯାଇ ନାହିଁ। ଏପଟେ ଲୋକେ କ୍ଷତିପୂରଣ ପାଇବା ପାଇଁ ଅନେଇ ନିରାଶ ହେଲେଣି।
ପୂର୍ବରୁ ବାଏପାସକୁ ଲୋକେ ବିରୋଧ କରୁଥିଲେ। ପ୍ରାୟ ଅଢ଼େଇ ଶହ ପରିବାର ବାଏପାସ ପାଇଁ ବିସ୍ଥାପିତ ହେବେ। ୨୦୧୫ରୁ ପ୍ରକ୍ରିୟା ଆରମ୍ଭ ହେବା ସହ ଫିଲ୍‌ଡ ସର୍ଭେ ସରିଛି। କୋର୍ଟ ଶୁଣାଣି ବି ସରିଯାଇଛି। ସମୟକ୍ରମେ ଲୋକଙ୍କ ବିରୋଧୀ ଆଚରଣ ବଦଳି ଯାଇଛି। ଏବେ ବାଏପାସ ପାଇଁ ଲୋକଙ୍କ ମନରେ ସକରାତ୍ମକ ଭାବନା ଥିବା ବେଳେ ବାଏପାସ୍‌ ଆଶା ଘୁଞ୍ଚି ଘୁଞ୍ଚି ଯାଉଛି।

ସମ୍ବନ୍ଧିତ ଖବର