ବଲାଙ୍ଗୀର : ଚାଷୀ ଆନ୍ଦୋଳନ ପଞ୍ଜାବ, ହରିୟାନାରେ ଚରମସୀମାରେ ପହଞ୍ଚିଛି। କେନ୍ଦ୍ର ଗୋଟିଏ ପରେ ଗୋଟିଏ ମିଛ କହି ଚାଷୀଙ୍କୁ ଠକୁଛି। ରାଜ୍ୟ ସରକାର ବି ଚାଷୀଙ୍କୁ ମିଛ କହିଚାଲିଛନ୍ତି। ‘ବେସରମି କି ବି କୋଇ ହଦ୍ ହୋତି ହେ’ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୋମବାର କହିଛନ୍ତି।
ସେ କହିଛନ୍ତି, ସ୍ୱାମୀନାଥନ କମିସନ ସୁପାରିସ ଅନୁସାରେ ଚାଷୀମାନେ କ୍ୱିଣ୍ଟାଲ ପ୍ରତି ଅମଳରେ ହୋଇଥିବା ଖର୍ଚ୍ଚର ଦେଢ଼ଗୁଣା ପାଇବେ। ଏହା ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଲିଖିତ ଭାବେ ଦେଶବାସୀଙ୍କୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ପ୍ରତିଶ୍ରୁତିରୁ ବିରତ ରହିଥିଲା। ଯେତେବେଳେ ସୁପ୍ରିମ କୋର୍ଟରେ ଏହାକୁ ନେଇ ମାମଲା କରାଗଲା ସେତବେଳେ ଲଜ୍ଜାଜନକ ଭାବେ ମୋଦୀ ନେତୃତ୍ୱାଧୀନ କେନ୍ଦ୍ର ସରକାର ସ୍ୱାମୀନାଥନ୍ କମିଟି ସୁପାରିସ ଲାଗୁ କରିବା ସମ୍ଭବ ନୁହେଁ ବୋଲି ଉତ୍ତର ରଖିଥିଲେ। ଯଦି ଚାଷୀଙ୍କୁ ତାଙ୍କ ଅମଳର ପ୍ରକୃତ ମୂଲ୍ୟ ଦେବାର ନ ଥିଲା ତେବେ ଲିଖିତ ପ୍ରତିଶ୍ରୁତି ଦେଇ ଚାଷୀ ତଥା ଦେଶବାସୀଙ୍କୁ ଠକୁଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଥିଲେ, ରାଜ୍ୟ ସରକାର ବିଧାନସଭାରେ ଅମଳର ଦୁଇଗୁଣ ମୂଲ୍ୟ ଦେବାର ପ୍ରସ୍ତାବ ଦେଇଛନ୍ତି। ମିଛ କହିବାର ସୀମା ଉଲ୍ଲଂଘନ କରିଛନ୍ତି। କାରଣ ସେତେବେଳେ ବିଧାନସଭାରେ ମୁଁ ନିଜେ ହିଁ ପ୍ରସ୍ତାବ ଆଣିଥିଲି ଯେ ଚାଷୀଙ୍କୁ ତାଙ୍କର ଅମଳ ଖର୍ଚ୍ଚର ଦେଢ଼ଗୁଣା ଦିଆଯାଉ ବୋଲି। କିନ୍ତୁ ମୁଖ୍ୟମନ୍ତ୍ରୀ ରାଜି ହେଲେ ନାହିଁ। କେବଳ ଚାଷୀଙ୍କ ଖର୍ଚ୍ଚ ଉପରେ ୨୫ ପ୍ରତିଶତ ବଢ଼ାଇ ୨୯୩୦ ଟଙ୍କାର ପ୍ରସ୍ତାବ ପାରିତ କରାଗଲା। ଏଥିରେ ବିଜେପିର ସଭ୍ୟମାନେ ମଧ୍ୟ ଦସ୍ତଖତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ବିଜେପି ଓ ବିଜେଡି ଏହି କଥାରୁ ଓହରି ଯାଉଛନ୍ତି। ପରବର୍ତ୍ତୀ ସମୟରେ ବାଚସ୍ପତିଙ୍କ ନେତୃତ୍ୱରେ ଏକ ଗୃହ କମିଟି ଗଠନ କରାଯାଇଥିଲା। ଯୋଜନା ଥିଲା କମିଟି ପ୍ରଧାନମନ୍ତ୍ରୀଙ୍କୁ ଦେଖା କରି ଚାଷୀ କିପରି ଅମଳର ଉଚିତ ମୂଲ୍ୟ ପାଇପାରିବ ସେ ଉପରେ ଆଲୋଚନା ହେବ। କିନ୍ତୁ ବାଚସ୍ପତିଙ୍କ ଚିଠି ଦେବା ସତ୍ୱେ ପ୍ରଧାନମନ୍ତ୍ରୀ ଏହାକୁ ତିଳେ ହେଲେ ଖାତିର ନକରି କୌଣସି ଜବାବ ଦେଇ ନଥିଲେ। ପରବର୍ତ୍ତୀ ସମୟରେ ବିଧାନସଭାରେ ମୋର ପ୍ରଶ୍ନର ଉତ୍ତରରେ ସରକାର କହିଥିଲେ ଧାନର ଅମଳର ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୧୮୩୧ ଟଙ୍କା। କିନ୍ତୁ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧରଣର ଧାନ ପାଇଁ ମାତ୍ର ୧୮୬୮ ଟଙ୍କା। ଏଥିରୁ ଜନସାଧାରଣ ବୁଝି ପାରିବେ ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ଚାଷୀଙ୍କୁ କେଉଁ ଗଣିତରେ ଚାଷୀଙ୍କ ଧାନ ଅମଳ ଖର୍ଚ୍ଚର କ୍ୱିଣ୍ଟାଲ ପ୍ରତି ଦେଢ଼ ଗୁଣ ଦାମରେ ଧାନ କିଣୁଛନ୍ତି। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ରାଜ୍ୟ ସରକାର କେବଳ ଚିଠି ଲେଖାରେ ସିମୀତ ଓ କେନ୍ଦ୍ର ଚାଷୀଙ୍କୁ ମିଛ କହୁଛି ବୋଲି ସେ କହିଥିଲେ। ବର୍ତ୍ତମାନ କୃଷି ଆଇନରେ ସର୍ବନିମ୍ନ ମୂଲ୍ୟକୁ ଉଚ୍ଛେଦ କରି କେନ୍ଦ୍ର ସରକାର ବାହା ବାହା ନେଉଛି ଯେ ଆମେ ଚାଷୀକୁ ସ୍ୱାଧୀନତା ଦେଉଛୁ। ଯେଉଁଠି ଓ ଯେତେ ମୂଲ୍ୟରେ ଚାହିଁବ ସେ ତାର ଧାନ ବିକି ପାରିବ। କିନ୍ତୁ ବର୍ତ୍ତମାନର ସରକାରୀ ବ୍ୟବସ୍ଥାରେ ସର୍ବନିମ୍ନ ସହାୟକ ମୂଲ୍ୟ ଥିବା ସତ୍ୱେ ଚାଷୀ ତାର ଧାନର ଉଚିତ ମୂଲ୍ୟ ପାଉ ନଥିବା ବେଳେ ସର୍ବନିମ୍ନ ମୂଲ୍ୟ ବ୍ୟବସ୍ଥା ଉଠାଇ ଦେଲେ ଚାଷୀ ଶୋଷଣର ଶିକାର ହେବ ନାହିଁ ତ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମହିଳା ନେତ୍ରୀ ମିଲନୀ ସାହୁ, ବରିଷ୍ଠ ନେତା ଅଶୋକ ନନ୍ଦ ମଞ୍ଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/narsingh.jpg)