ରାଉରକେଲା: ଶ୍ରାବଣର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରିଛନ୍ତି ଶ୍ରଦ୍ଧାଳୁ। ପ୍ରସିଦ୍ଧ ବୈଦବ୍ୟାସ ପୀଠ, ଘୋଘରଧାମ୍‌ ସମେତ ତରକେରା ଶିବ ମନ୍ଦିର, ସେକ୍ଟର-୩ ଶିବ ମନ୍ଦିର, ହନୁମାନ ବାଟିକା ଶିବ ମନ୍ଦିର, ସେକ୍ଟର-୨୦, ଛେଣ୍ଡ୍‌ ଶିବ ମନ୍ଦିର ଆଦି ବିଭିନ୍ନ ମନ୍ଦିରରେ ଆଜି ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କାଉଡ଼ିଆମାନେ ବେଦବ୍ୟାସ ତ୍ରିବେଣୀ ସଙ୍ଗମରୁ ଜଳ ଉଠାଇ ଚାଲିଚାଲି ବିଭିନ୍ନ ଶିବ ମନ୍ଦିରକୁ ଯାଇ ଜଳାଭିଷେକ କରିଥିଲେ। କେବଳ ସୁନ୍ଦରଗଡ଼ ଜିଲ୍ଲାର ନୁହନ୍ତି, ବରଂ ପଡ଼ୋଶୀ ଜିଲ୍ଲା ସମେତ ଛତିଶଗଡ଼ର ରାୟଗଡ଼ା, ଚମ୍ପା, ଦୁର୍ଗ ସମେତ ଝାଡ଼ଖଣ୍ଡ ସିମଡେଗା, ପଶ୍ଚିମ ସିଂହଭୂମ ଅଞ୍ଚଳର କାଉଡ଼ିଆଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ବେଦବ୍ୟାସ ପୀଠରେ।

Advertisment

ପାଖାପାଖି ୫ ହଜାର କାଉଡ଼ିଆ ବେଦବ୍ୟାସରୁ ପାଣି ଉଠାଇଥିବା ବେଦବ୍ୟାସ ଟ୍ରଷ୍ଟ୍‌ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରଦ୍ଧାଳୁ ଲମ୍ବା ଲାଇନ୍‌ରେ ପାଣି ଉଠାଇ ବିଭିନ୍ନ ଶିବ ମନ୍ଦିରକୁ ଜଳାଭିଷେକ ପାଇଁ ଯାଇଥିଲେ। ଏମିତିକି ବହୁ କାଉଡ଼ିଆ ଝାଡ଼ଖଣ୍ଡର ମହାଦେବଶାଳ, ବିହାରର ବାବାଧାମ୍‌ ଅଭିମୁଖେ ବାହାରିଥିଲେ। ସୁରକ୍ଷିତଭାବେ ଜଳ ଉଠାଇବାକୁ ରାଉରକେଲା ପ୍ରଶାସନ ପକ୍ଷରୁ ବେଦବ୍ୟାସରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚାରିଆଡ଼େ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବାସହ ନଦୀ ଭିତରକୁ ନ ଯିବାକୁ ସଚେତନ କରାଯାଉଛି। ଏତଦ୍‌ବ୍ୟତୀତ ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟସେବା ବିଭାଗ, ପୁଲିସ ବ୍ୟବସ୍ଥା ସମେତ ଓଡ୍ରାଫ୍‌ ଟିମ୍‌ ନିୟୋଜିତ ଅଛନ୍ତି। ପ୍ରଥମ ସୋମବାର ଯୋଗୁଁ କାଉଡ଼ିଆଙ୍କ ସଂଖ୍ୟା ସାମାନ୍ୟ କମ୍‌ ରହିଥିଲା। ତେବେ ଦ୍ବିତୀୟ ଓ ତୃତୀୟ ସୋମବାରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ଦେଖିବାକୁ ମିଳିଥାଏ।